ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଣି ଟାର୍ଗେଟ୍‌ କରିଛି ବିଜେଡି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଏପ୍ରିଲ ପହିଲା ଦିନ ସାରା ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳନ କରୁଥିଲା ବେଳେ ଏଭଳି ଏକ ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପ ଘୋଷଣା କରିଥିଲେ। କିନ୍ତୁ ଏହାକୁ ଏପ୍ରିଲ ଫୁଲ୍ ବୋଲି କହି ଉପହାସ କରି ବିରୋଧୀ ଦଳ ନେତା ତାଙ୍କ ଓଡ଼ିଶା ବିରୋଧୀ ମାନସିକତାକୁ ଦର୍ଶାଇବା ସହିତ ଓଡିଶାବାସୀଙ୍କୁ ଅପମାନିତ କରିଛନ୍ତି।

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡ଼ିଶା ବିଜେପିର ନେତାମାନେ ଓଡ଼ିଶାବାସୀଙ୍କୁ ଅପମାନିତ କରିବା ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେମାନେ ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କୁ ଅରାଜକ ବୋଲି କହିଥିଲେ ଏବଂ ଓଡ଼ିଶାକୁ ଜାତୀୟ ସ୍ତରରେ ଅପମାନିତ କରିବାକୁ ଚେଷ୍ଟା କରିଥିଲେ। କିଛିଦିନ ହେଲା ମାନସିକ ଭାରସାମ୍ୟ ହରାଇଥିବାରୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ବାଉଳିଚାଉଳି ହେଉଛନ୍ତି। ଓଡ଼ିଶା ବିଜେପି ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଉ। ନହେଲେ ସେ ଏଭଳି ଆତ୍ମଘାତୀ ମନ୍ତବ୍ୟ ଦେଇ ବିଜେପିକୁ ଓଡ଼ିଶାରୁ ସଫା କରିଦେବେ ବୋଲି ସେ କହିଛନ୍ତି।