ସମ୍ବଲପୁର: ଶନିବାର ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜିଲ୍ଲା ଓକିଲ ସଂଘର ସଦସ୍ୟମାନଙ୍କୁ ଭେଟିଛନ୍ତି। ତାଙ୍କ ସହ ରେଂଗାଲି ବିଧାୟକ ନାଉରୀ ନାୟକ ମଧ୍ୟ ଥିଲେ। ଶ୍ରୀ ମିଶ୍ର ଓ ଶ୍ରୀ ନାୟକ ଜେଲ୍‌ରେ ସଂଘର ସଭାପତି ସୁ‌ରେଶ୍ବର ମିଶ୍ର, ବରିଷ୍ଠ ଆଇନ୍‌ଜୀବୀ ପ୍ରଦୀପ ବହିଦାର, ସତ୍ୟ ନାରାୟଣ ପଣ୍ଡାଙ୍କ ସମେତ ପ୍ରବୀଣ ସିଂହଦେଓ, ରତନ ଅଗ୍ରୱାଲ ଏବଂ ଶିବ ଦିୱାନ୍‌ଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ଅବସ୍ଥା ପଚାରି ବୁଝିଥିଲେ।

Advertisment

ଗିରଫ ଓକିଲମାନଙ୍କୁ ପୁଲିସ୍ ହାଜତରେ ଓ ଜେଲ୍‌ ଭିତରେ ବର୍ବରୋଚିତଭାବେ ମାଡ଼ ମରା ଯାଇଥିବା ସେମାନେ ଉଭୟ ନେତାଙ୍କୁ ଜଣାଇଥିଲେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସାକ୍ଷାତ ଆଲୋଚନା ସଂପର୍କରେ ସୂଚନା ଦେଇ ଶ୍ରୀ ନାୟକ କହିଲେ ଯେ ପୁଲିସ୍‌ ଗିରଫ କରିବା ପରେ ଅନେକ ଆଇନ୍‌ଜୀବୀଙ୍କୁ ନିର୍ମମଭାବେ ପ୍ରହାର କରିଥିଲା। ଏପରିକି ଜଣେ ଆଇନ୍‌ଜୀବୀଙ୍କୁ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଅନ୍ୟମାନଙ୍କର କ୍ଷତ ଚିହ୍ନ ଆଜିଯାଏ ଶୁଖି ନାହିଁ। ଏ ସଂପର୍କରେ ଆଇନ୍‌ଜୀବୀମାନେ ବିରୋଧୀ ଦଳ ନେତାଙ୍କୁ ଜଣାଇଥିଲେ। ସେମାନେ ଜେଲ୍‌ରୁ ବାହାରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କଥାବାର୍ତ୍ତା ହୋଇଥିବା ଶ୍ରୀ ନାୟକ କହିଥିଲେ। ଶ୍ରୀ ମିଶ୍ର ଓ ନାୟକ ସାକ୍ଷାତ ପାଇଁ ଯିବାବେଳେ ତାଙ୍କ ସହ ଜେଲ୍‌ ପରିସରରେ ବିଜେପି ନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ସମୀର ବାବୁ ଏବଂ ସୁଧୀର ବହିଦାର ମଧ୍ୟ ଉପସ୍ଥିତ ଥିଲେ।