ଜୟନାରାୟଣଙ୍କୁ ନେଇ ଅଡ଼ୁଆରେ ବିଜେପି

ବିଧାୟକମାନେ ପାଟି ଖୋଲୁ ନାହାନ୍ତି, ହାଇକମାଣ୍ଡ ନିଷ୍ପତ୍ତିକୁ ସମସ୍ତେ ମାନିବାକୁ ବାଧ୍ୟ: ବସନ୍ତ

ଭୁବନେଶ୍ବର : ଜୟ ନାରାୟଣ ମିଶ୍ରଙ୍କ ନାମ ବିରୋଧୀ ଦଳ ନେତା ଦୌଡ଼ରେ ଆଗରେ ଥିଲା। କେଉଁ ପରିସ୍ଥିତିରେ କାହିଁକି ତାଙ୍କ ନାମ କଟିଲା?

ସଂଖ୍ୟା ଗରିଷ୍ଠତା ଥାଇ ବିଜେଡି ରାଜ୍ୟସଭା ନିର୍ବାଚନରେ କାହିଁକି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଲା ? କେବଳ ମୋଦୀ-ଶାହଙ୍କ କଥାରେ ନବୀନ କ’ଣ ଏତେ ବଡ଼ ନିଷ୍ପତ୍ତି ନେଇଗଲେ? ଏହା ପଛର ରହସ୍ୟ କ’ଣ ?

ରାଜ୍ୟସଭା ନିର୍ବାଚନ ଓ ବିରୋଧୀ ଦଳ ନେତା ଚୟନ ପର ଠାରୁ ଏହି ପ୍ରଶ୍ନ ବିଜେପି ନେତାମାନଙ୍କୁ ଆନ୍ଦୋଳିତ କରୁଥିଲା। ସମସ୍ତେ ପରସ୍ପରକୁ ଏହି ପ୍ରଶ୍ନ କରୁଥିଲେ ବି ଉତ୍ତର ଖୋଜି ପାଉ ନ ଥିଲେ। ଯଦିଓ ବିଜେପିର ଜଣେ ସାଂସଦ ରାଜ୍ୟସଭାକୁ ଗଲେ, ତଥାପି ବିଜେଡିର ସମର୍ଥନକୁ ନେତାମାନେ ହଜମ କରିପାରୁ ନ ଥିଲେ। ସେମାନଙ୍କ ସନ୍ଦେହ ତ ଦୂର ହେଉ ନ ଥିଲା, ଅସନ୍ତୋଷକୁ ମଧ୍ୟ କେହି ବାହାର ପ୍ରକାଶ କରିବା ସମ୍ଭବ ନ ଥିଲା।

ଗତକାଲି ଜୟନାରାୟଣ ମିଶ୍ର ଉଭୟ ପ୍ରସଙ୍ଗରେ ମୁହଁ ଖୋଲି ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଏକ ଜବରଦସ୍ତ ଝଟ୍‌କା ଦେଇଛନ୍ତି। କାହାରି ନାମ ନେଇ ନ ଥିଲେ ବି ବିଜେପିର କାର୍ଯ୍ୟଶୈଳୀ ଯେ ଠିକ୍ ଚାଲିନି, ତାହା ଇସାରାରେ ଜଣାଇ ଦେଇଛନ୍ତି। ଖୋଲାଖୋଲି ଭାବେ ଦୁଇଟି ଯାକ ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ି ଷଡ଼ଯନ୍ତ୍ରର ଆଭାସ ଦେଇଛନ୍ତି। ଯେଉଁ ପ୍ରଶ୍ନଗୁଡ଼ିକ ଗଲା ତିନି ସପ୍ତାହ ହେଲା ବିଜେପି ନେତାମାନଙ୍କ ମଧ୍ୟରେ ଗୁଡ଼େଇ ତୁଡ଼େଇ ହେଉଥିଲା, ତାହାକୁ ଆହୁରି ଖୋରାକ ଯୋଗାଇଛନ୍ତି ଶ୍ରୀ ମିଶ୍ର।

ବିରୋଧୀ ଦଳ ନେତା ଚୟନ ପରେ ହଠାତ୍ ଶ୍ରୀ ମିଶ୍ର ତାହାକୁ ବିରୋଧ କରି ନ ଥିଲେ। କିନ୍ତୁ ୧୭ ଦିନ ପରେ ବିରୋଧ କରିବା ଓ ଅତ୍ୟନ୍ତ କଠୋର ଆଭିମୁଖ୍ୟ ପୋଷଣ କରିବା ବିଜେପି ରାଜନୀତିକୁ ହଲ୍‌ଚଲ୍‌ କରିଛି। ବିବାଦ ବଢ଼ୁଥିବା ଦେଖି ଦଳର ବିଧାୟକମାନେ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ମୁହଁ ନ ଖୋଲି ନିରା‌ପଦ ଦୂରତ୍ବରେ ରହିବାକୁ ଉଚିତ ମଣୁଛନ୍ତି। ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ଆଉ କିଛି ବିଧାୟକଙ୍କୁ ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିଲେ। କିନ୍ତୁ ବିବାଦ ଭିତରେ ପଶିବେନି ବୋଲି କେହି ମୁହଁ ଖୋଲି ନ ଥିଲେ।

ତେବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଜୟନାରାୟଣଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି। କହିଛନ୍ତି, ବିରୋଧୀ ଦଳ ନେତା ଚୟନ ପାଇଁ ବିଧାୟକମାନଙ୍କ ଠାରୁ ମତାମତ ନିଆଯାଇଥିଲା। କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବେ ବୋଲି ବିଧାୟକମାନେ ମତାମତ ଦେଇଥିଲେ। କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେଲେ ଓ ବିଧାୟକମାନେ ତାହାକୁ ସାଦରେ ଗ୍ରହଣ କଲେ। ନିଜେ ଶ୍ରୀ ମିଶ୍ର ମଧ୍ୟ ଗ୍ରହଣ କରିଥିଲେ।

ଶେଷ ମୁହୂର୍ତ୍ତରେ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ବଦଳାଇଲେ ବୋଲି ଶ୍ରୀ ମିଶ୍ର କରିଥିବା ଅଭିଯୋଗ ଉପରେ ସଭାପତି କହିଛନ୍ତି, କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ବଦଳାଇ ନାହାନ୍ତି। ବିଭିନ୍ନ ଦିଗକୁ ବିଚାର କରି ନେତା ଚୟନ କରିଛନ୍ତି। ଦଳର ଶୃଙ୍ଖଳା ଦୃଷ୍ଟିରୁ ତାହାକୁ ସମସ୍ତେ ମାନିନେବା ଉଚିତ। ବିଜେଡି ସହ ସମ୍ପର୍କକୁ ନେଇ ଶ୍ରୀ ମିଶ୍ର ପରୋକ୍ଷରେ କରିଥିବା ଆରୋପ ଉପରେ ଶ୍ରୀ ପଣ୍ଡା କହିଛନ୍ତି, ବିଜେପି ସହ କାହାର ବୁଝାମଣା ନାହିଁ। ଭବିଷ୍ୟତରେ ବି ହେବ ନାହିଁ। ଓଡ଼ିଶାର ସ୍ବାର୍ଥ ପାଇଁ ଦଳ ଲଢ଼େଇ ଜାରି ରଖିଛି।

ଶ୍ରୀ ମିଶ୍ରଙ୍କ ଅଭିଯୋଗ ଉପରେ ବିଜେପି ସଭାପତି ସଫେଇ ଦେଇଥିଲେ ବି ଆଭ୍ୟନ୍ତରୀଣ ବିବାଦ ବଢ଼ୁଥିବାର ସ୍ପଷ୍ଟ ଆଭାସ ମିଳୁଛି। ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି। କିନ୍ତୁ ଦଳ ଭିତରେ ବିବାଦ ଓ ରାଜ୍ୟସଭା ନିର୍ବାଚନରେ ବିଜେଡିର ସମର୍ଥନ ହାସଲ ବିଜେପିକୁ ବିବାଦ ଭିତରେ ରଖିଛି। ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି-ବିଜେପି ବୁଝାମଣା ହୋଇଥିବାରୁ ବିଜେପି ବିରୋଧୀ ଦଳରେ ରହିବାର ଯୋଗ୍ୟତା ହରାଇଛି ବୋଲି କଂଗ୍ରେସ ଆରମ୍ଭରୁ ଅଭିଯୋଗ କରିଆସୁଛି। ପୁଣି ଏହି ସମୟରେ ବିରୋଧୀ ଦଳ ନେତା ପଦବି ନେଇ ଦଳର ବରିଷ୍ଠ ବିଧାୟକଙ୍କ ବିସ୍ଫୋରଣ ଦଳକୁ ଆହୁରି ଅଡ଼ୁଆ ପରିସ୍ଥିତିରେ ପକାଇଛି। ଶ୍ରୀ ମିଶ୍ରଙ୍କୁ ବୁଝାଇ ଦଳ ତାଙ୍କୁ ସନ୍ତୁଷ୍ଟ କରିବ ନା ଦଳବିରୋଧୀ ଦାଗ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର