ଭୁବନେଶ୍ୱର : ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଶନିବାର ଦିନ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ନିକଟରେ ବିଧାୟକ ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବାରୁ ନୂଆ ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ବାଛିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଦଳର କେନ୍ଦ୍ରୀୟ ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବସିଥିବା ଏହି ବୈଠକରେ ସର୍ବସମ୍ମତି କ୍ରମେ ଶ୍ରୀ ମିଶ୍ରଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ସହ ପ୍ରଭାରୀ ଶ୍ରୀ ସିଂହ ଏନେଇ ସୂଚନା ଦେଇଛନ୍ତି।
ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ପରେ କହିଛନ୍ତି, ଆମେ ଏକ ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ଏହାସହ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ମୋହନ ମାଝୀ ପିଏସି ଅଧ୍ୟକ୍ଷ ହେବେ। ସୂଚନାଯୋଗ୍ୟ ଯେ ବିରୋଧୀ ଦଳ ନେତା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ବିଧାନସଭା ଅଧିବେଶନ ବେଳେ ଉପସ୍ଥିତ ରହିପାରୁନାହାନ୍ତି କି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇ ପାରୁନାହାନ୍ତି। ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଚଳିତ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ନେତା ବଦଳିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଏହାପରେ ବିଜେପି ବିଧାୟକମାନେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିଥିଲେ। ଏହାର କିଛି ଦିନ ପରେ ଶ୍ରୀ ନାଏକ ଇସ୍ତଫା ଦେଇଥିଲେ।