ଭୁବନେଶ୍ବର : ‘ସରକାରୀ ଦଳର ନେତାମାନେ ଅନ୍ୟମାନଙ୍କୁ ପୂର୍ବରୁ କେଉଁ ହିସାବରେ ମ୍ୟାନେଜ୍ କରୁଥିଲେ। ସେ ମ୍ୟାନେଜ୍ ମୋତେ କରିପାରିଲେନି। ସେମାନେ ମୋତେ ମ୍ୟାନେଜ୍ କରିପାରୁନଥିବାରୁ ମୋ ବିରୋଧରେ କେସ୍ ଫେସ୍ ଦେଇ ଡରାଇବାକୁ ଚାହୁଁଛନ୍ତି। ମୁଁ କାହାରି ଦ୍ବାରା କେବେ ମ୍ୟାନେଜ୍ ହୋଇନି। ଆପଣମାନେ ଜାଣିଥିବେ, କ’ଣ ହୁଏ କ’ଣ ନାହିଁ। ମୁଁ ଯେତେବେଳେ ତାଙ୍କର ସବୁ ଜିନିଷକୁ ଲୋକଲୋଚନକୁ ଆଣୁଛି ସେମାନେ ଉତ୍କ୍ଷିପ୍ତ ହୋଇଯାଉଛନ୍ତି।’
ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର ଦିନ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ଅବସରରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ଜୟ ନାରାୟଣଙ୍କ ଏଭଳି ମନ୍ତବ୍ୟ କିନ୍ତୁ ନିଜ ବିଜେପି ଦଳର ନେତାଙ୍କ ସମେତ କଂଗ୍ରେସ ନେତାଙ୍କୁ କାଠଗଡ଼ାକୁ ଟାଣି ଆଣିଛି। ଆହୁରି ସରଳ ଭାବେ କହିଲେ, ଜୟଙ୍କ ପୂର୍ବରୁ ଯେଉଁମାନେ ବିରୋଧୀ ଦଳ ନେତା ହୋଇଥିଲେ (ଅର୍ଥାତ୍ କଂଗ୍ରେସ ଏବଂ ବିଜେପି ଦଳର) ସେମାନେ ଏବେ ଜୟଙ୍କ ବୟାନ ପରେ ସନ୍ଦେହ ଘେରକୁ ଚାଲିଆସିଛନ୍ତି।
ନିଜ ଦଳ ବିଜେପିକୁ ଅଡ଼ୁଆରେ ପକାଇଲେ
କଂଗ୍ରେସ ବି କାଠଗଡ଼ାରେ
ଜୟନାରାୟଣଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ କରୁ: ବିଜେଡି
କାଚ ଘରେ ଥାଇ ଜୟନାରାୟଣ ପଦାକୁ ଟେକା ନ ମାରନ୍ତୁ: ନରସିଂହ
‘ବିଧାନସଭାରେ ନବ ଦାସଙ୍କ ହତ୍ୟା ଗୁମର ଖୋଲିବି’
କେବଳ ସେତିକି ନୁହେଁ, ବିଜେପିର ଯେଉଁମାନେ ବିଭିନ୍ନ ପଦପଦବିରେ ରହି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରୁଛନ୍ତି ସେମାନଙ୍କ ବିଶ୍ବସନୀୟତା ଉପରେ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇ ଦେଇଛନ୍ତି। ବିରୋଧୀ ଦଳ ନେତାଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହେଲାଣି। କଂଗ୍ରେସ ଗର୍ଜିଛି, ବିଜେଡି ବି। ବିଜେପିର ଅନ୍ୟ ନେତା ମୁହଁ ଖୋଲିନଥିଲେ ହେଁ ଅକଳରେ ପଡ଼ିଯାଇଛନ୍ତି।
ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଜୟନାରାୟଣ ତାଙ୍କ ଦଳର ନେତାଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଶ୍ରୀ ମିଶ୍ର ତାଙ୍କ ବୟାନ ଦ୍ବାରା ପୂର୍ବତନ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯିଏକି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆହୁରି ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ଯେ ସେ ଅଭିଯୋଗ କରିଛନ୍ତି କି ବିରୋଧୀ ଦଳର ପୂର୍ବତନ ଉପନେତା ସ୍ବର୍ଗତ ବିଷ୍ଣୁଚରଣ ସେଠୀ ମଧ୍ୟ ସରକାର ଦ୍ବାରା ପରିଚାଳିତ ହେଉଥିଲେ। କେବଳ ସେତିକି ନୁହେଁ, ଶ୍ରୀ ମିଶ୍ର ମଧ୍ୟ ଓଡ଼ିଶା ବିଧାନସଭାରେ ବିଜେପି ଦଳର ମୁଖ୍ୟସଚେତକ ଥିବା ମୋହନ ଚରଣ ମାଝୀଙ୍କ ବିରୋଧରେ ସରକାରୀ ଦଳ ଦ୍ବାରା ପରିଚାଳିତ ହେଉଥିବାର ଅଭିଯୋଗ ଆଣିଛନ୍ତି। ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତି ଯିଏ କି ଜୟନାରାୟଣ ମିଶ୍ରଙ୍କ ଦ୍ବାରା ଚପଲ ମାଡ଼ର ଶିକାର ହୋଇଥିଲେ ସେ ବିଜେପି ବିଧାୟକ, ବିରୋଧୀ ଦଳର ଉପନେତା ତଥା ବର୍ତ୍ତମାନର ବିଜେପି ମୁଖ୍ୟ ସଚେତକଙ୍କ ତରଫରୁ ଉତ୍ତର ଦେବା ଉଚିତ୍। ରାଜ୍ୟ ବିଜେପି ସଭାପତି ବର୍ତ୍ତମାନ ଏହି ଦୁର୍ଦ୍ଦାନ୍ତ ଅପରାଧୀ ତଥା ହତ୍ୟାକାରୀ ଶ୍ରୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍, ଯିଏ କି ତାଙ୍କୁ ମାଡ଼ ମରାଇବା ସହ ବର୍ତ୍ତମାନ ନିଜ ଦଳର ନେତାଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଛନ୍ତି।
ସେହିପରି ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କାଚ ଘରେ ଥାଇ ଜୟନାରାୟଣ ପଦାକୁ ଟେକା ନ ମାରନ୍ତୁ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ବିରୋଧୀ ଦଳ ନେତା ପଦରେ ଥିବା ଜଣେ ବରିଷ୍ଠ ନେତାଙ୍କ ମୁହଁରୁ ଏହା ଶୋଭା ପାଉନି। ଏହା ନିନ୍ଦନୀୟ।
ଜୟ ନାରାୟଣ ଆଜି ଆହୁରି କହିଛନ୍ତି ଯେ ବିଧାନସଭାର ଆଗାମୀ ଅଧିବେଶନରେ ନବ ଦାସ ହତ୍ୟା ମାମଲାର ଗୁମର ଖୋଲିବେ ଓ ବିଜେଡି ସରକାରକୁ ଏକ୍ସପୋଜ୍ କରିବେ। ଏହି ହତ୍ୟାକାଣ୍ଡ ମାମୁଲି ଲୋକର ଷଡ଼ଯନ୍ତ୍ର ନୁହେଁ। ଏଥିରେ ବହୁତ ବଡ଼ ମୁଣ୍ଡ ଅଛନ୍ତି। ତାହା ତଦନ୍ତ ସାପେକ୍ଷ। ସେଥିପାଇଁ ତ ମୁଁ ସିବିଆଇ ତଦନ୍ତ ଦାବି କରୁଛି। ଯଦି ରାଜ୍ୟ ସରକାର ଏତେ ସ୍ବଚ୍ଛ ତେବେ ସିବିଆଇ ତଦନ୍ତ କାହିଁକି କରୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ନବ ଦାସ ହତ୍ୟାକାଣ୍ଡ ପଛରେ ଅନେକ ରହସ୍ୟ ରହିଛି। ଅଭିଯୁକ୍ତଙ୍କୁ ଖସେଇ ଦେବାକୁ ପୁଲିସ ଚେଷ୍ଟା କରୁଛି। ମୁଁ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି। ସରକାରୀ ଦାୟିତ୍ୱହୀନତାକୁ ନେଇ ବିକ୍ଷୋଭ ବେଳେ ପୁଲିସ ସହ ମୁହାଁମୁହିଁ ହେବା ଏକ ସାମାନ୍ୟ କଥା। ଏହାକୁ ବିଜେଡି କାହିଁକି ବଡ଼ ରୂପ ଦେଉଛି ? ଏଥିରେ ସର୍ବସାଧାରଣଙ୍କର କିଛି ଅସୁବିଧା ହୋଇଛି କି? ମୁଁ ଆଜି ଯାଏ କୌଣସି ସାଧାରଣ ଲୋକକୁ ହଇରାଣ କରିଛି କି? ମୋ ବିରୋଧରେ କେବଳ ଉଦ୍ଦେଶ୍ୟ ପ୍ରଣୋଦିତ ଓ ମନଗଢ଼ା କେସ୍ କରିଛନ୍ତି।
ମୋ ନାଁରେ ତ ଚାର୍ଜସିଟ୍ ହୋଇନି। ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ତେବେ ମୁଁ ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ। ବିଧାନସଭାରେ ବି ଯଦି ମୋ ବିଷୟ ସେମାନେ ଉଠେଇବେ ମୁଁ ଆଲୋଚନା କରିବି। ବିଧାନସଭାରେ ମୁଁ ନବ ଦାସ ହତ୍ୟାକାଣ୍ଡ ନେଇ ବହୁ ତଥ୍ୟ ଦେବି। ସମସ୍ତଙ୍କୁ ଏକ୍ସପୋଜ୍ କରିବି। କାହା ନାଁ ନନେଲେ ବି ଲୋକ ସବୁ ବୁଝିଯିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।