ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଥରେ ବିବାଦୀୟ ବୟାନ ରଖିଛନ୍ତି। ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରିବାକୁ ଯାଇ ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦେଶରେ କେବଳ ଜାତୀୟ ସଙ୍ଗୀତ ଗାନ ହୋଇପାରିବ। ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମରେ କାହିଁକି ‘ବନ୍ଦେ ଉତ୍କଳ ଜନନୀ’ ବଜାଯାଉଛି, ମୁଁ ବୁଝିପାରୁନାହିଁ। ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ପାଇଁ ଆମେ ଆନ୍ଦୋଳନ କରିଥିଲୁ। ଓଡ଼ିଶା ଗଠନରେ ଆମ ଅଞ୍ଚଳର ବେଶ ଯୋଗଦାନ ରହିଛି। କଟକ, ପୁରୀ, ବାଲେଶ୍ବର ଆଦି ଅଞ୍ଚଳକୁ ନେଇ ଉତ୍କଳ। ଉତ୍କଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ରାଜ୍ୟ ଗଠନ ହୋଇଛି। ହେଲେ, ସଙ୍ଗୀତରେ କେବଳ ଉତ୍କଳର କାହିଁକି ଜୟଗାନ ହେବ? କୋଶଳ ଓ କଳିଙ୍ଗର କାହିଁକି ଜୟଗାନ ହେବ ନାହିଁ? ଏ କି ପ୍ରକାରର ମାନସିକତା? ଆମର ଅର୍ଥ, ଖଣି, ଜଙ୍ଗଲ ସଂପଦକୁ ଲୁଟି ଚାଲିଛ। ଶୋଷଣ କରୁଛ। ଶେଷରେ ସାଂସ୍କୃତିକ ଭାବେ ବି ଶୋଷଣ କରିବ। ଏହା ଆଦୌ ବରଦାସ୍ତଯୋଗ୍ୟ ନୁହେଁ। ଓଡ଼ିଶାରେ ମିଶିବା ଆମର ଭୁଲ ଥିଲା। ଏକ ଐତିହାସିକ ଭୁଲ ଥିଲା ବୋଲି ଜୟନାରାୟଣ କହିଛନ୍ତି।  

Advertisment

ରୋହିତଙ୍କ କଟାକ୍ଷ
ମନ୍ତ୍ରୀ କରିବାକୁ ଚାପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆମ୍ବପୁଆଠାରେ ରାଜ୍ୟର ପ୍ରାୟ ୧ କୋଟି ୬୪ ହଜାର ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆମ୍ବପୁଆଠାରେ ଚାଲିଥିବା କାର୍ଯ୍ୟକ୍ରମର ସିଧା ପ୍ରସାରଣ ବି ହୋଇଥିଲା। ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ସମ୍ବଲପୁର ସଭାମଞ୍ଚରେ ଥିବା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସମେତ ସରକାରୀ ଅଧିକାରୀ ଏବଂ ପ୍ରେକ୍ଷାଳୟରେ ଉପସ୍ଥିତ ଅନ୍ୟମାନେ ଉଠି ଛିଡ଼ା ହୋଇଥିଲେ। କିନ୍ତୁ ଜୟନାରାୟଣ ସଭା ମଞ୍ଚରେ ହିଁ ବସି ରହିଥିଲେ। ପ୍ରେକ୍ଷାଳୟରେ ଉପସ୍ଥିତ ଥିବା ଜୟନାରାୟଣଙ୍କ ସମର୍ଥକମାନେ ମଧ୍ୟ ନିଜ ନିଜ ଆସନରେ ବସି ରହିଥିଲେ। ସଭାରେ ଯେତେବେଳେ ବକ୍ତବ୍ୟ ରଖିବା ପାଇଁ ଜୟନାରାୟଣଙ୍କ ପାଳି ଆସିଲା ସେତେବେଳେ ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ସେ ବିଷୋଦଗାର କରିଥିଲେ। ତେବେ ଜୟନାରାୟଣଙ୍କ ଏଭଳି ଆଚରଣ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବି ସେ ଏଭଳି ବିରୋଧ କରି ଆସୁଛନ୍ତି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ସେ ବସି ରହିଥିଲେ। ଅପରପକ୍ଷରେ ଜୟନାରାୟଣଙ୍କ ବିଷୋଦ୍‌ଗାରକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କଟାକ୍ଷ କରିଛନ୍ତି। ଜଲ୍‌ଦି ମନ୍ତ୍ରୀ କରିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଜୟନାରାୟଣ ଏଭଳି କହୁଥିବା ସେ ଆକ୍ଷେପ କରିଛନ୍ତି। ଜୟନାରାୟଣ ୨୦୦୪-୨୦୦୯ରେ ଯେତେବେଳେ ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କର ଏ କଥା କେମିତି ମନେ ପଡ଼ୁନଥିଲା ବୋଲି ରୋହିତ ପ୍ରଶ୍ନ କରିଛନ୍ତି।

ଚର୍ଚ୍ଚାରେ ୩ ମିଶ୍ର...

ସମ୍ବଲପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଦା ପଶ୍ଚିମ ଓଡ଼ିଶାକୁ ଅବହେଳା କରାଯାଉଥିବା ନେଇ ଅଭିଯୋଗ ହୋଇଆସୁଛି। ଓଡ଼ିଶା ସରକାରଙ୍କ ପକ୍ଷପାତ ନୀତି ଯୋଗୁଁ ରାଜ୍ୟର ଗୋଟିଏ ଅଞ୍ଚଳର କେବଳ ବିକାଶ ହେଉଛି। ପୂର୍ବ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶା ବହୁତ ପଛୁଆ ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଆସୁଛନ୍ତି। ଘଡ଼େଇ କମିସନ ରିପୋର୍ଟ ମଧ୍ୟ ଏକପ୍ରକାର ସେହି କଥା କହୁଛି। ସରକାରୀ ଅବହେଳା ବିରୋଧରେ ଆନ୍ଦୋଳନ ତୀବ୍ର ହେବା ସହିତ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ଜୋର ଧରିଥିଲା। ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଏକଦା ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ। ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ ବ୍ୟାପକ ଜନସଚେତନତା ସୃଷ୍ଟି ଲାଗି ଏକ ରଥ ବାହାରି ସମଗ୍ର ପଶ୍ଚିମ ଓଡ଼ିଶା ପରିକ୍ରମା କରିଥିଲା। ସମୟକ୍ରମେ ଏହି ଦାବି ଜାରି ରହିଥିଲେ ବି ଆନ୍ଦୋଳନ ଅପେକ୍ଷାକୃତ ଶିଥିଳ ପଡ଼ିଛି। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ୨୫ ବର୍ଷ ଅତିକ୍ରମ କରିବା ପରେ ମଧ୍ୟ ଅଞ୍ଚଳର ଯେତିକି ବିକାଶ ହେବା କଥା ତାହା ହୋଇ ପାରିନାହିଁ। 

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ସହିତ ଅନେକ ଦାବି ଏବେ ବି ଅସମାହିତ ରହିଛି। ଗତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ଅବ‌ହେଳା ପ୍ରସଙ୍ଗକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପୁଣି ଥରେ ଜୋରଦାର ଢଙ୍ଗରେ ଉତ୍‌ଥାପନ କରିଥିଲେ। ‘ଆବଶ୍ୟକ ହେଲେ ଓଡ଼ିଶା ଦୁଇଫାଳ ହେବ’ କହି ନିଆଁରେ ଘିଅ ଢାଳିଥିଲେ। ସେହି ସମୟରେ ଅଭିନେତା ମନୋଜ ମିଶ୍ରଙ୍କୁ କେତେକ ପ୍ରଯୋଜକଙ୍କ ବ୍ୟାନ୍ ଏବଂ କେତେକ ଅଭିନେତାଙ୍କ ଗାଳିଗୁଲଜକୁ ନେଇ ପଶ୍ଚିମ ଓଡ଼ିଶାରେ ଅସନ୍ତୋଷର ନିଆଁ ଜଳିଥିଲା। ମନୋଜ ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରସଙ୍ଗ ଉଠାଇବା ସହିତ ଅଭିନେତାରୁ ନେତା ହେବା ପାଇଁ କଂଗ୍ରେସ ଟିକେଟରେ ବଲାଙ୍ଗୀର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ସହ ଏହାକୁ ଆହୁରି ଜୋର୍‌ଦାର କରିଥିଲେ। ଏବେ ବି ସେ ସାମାଜିକ ଗଣମାଧ୍ୟମ ଜରିଆରେ ଏହା  ଜାରି ରଖିଛନ୍ତି। ତ‌େବେ, ‘ବନ୍ଦେ ଉତ୍କଳ ଜନନୀ’ ଗାନକୁ ସର୍ବଦା ବିରୋଧ କରି ଆସୁଥିବା ଜୟନାରାୟଣ ଆଜି ପୁଣି ଥରେ ଗର୍ଜିଛନ୍ତି।

 ରାଜ୍ୟ ବିରୋଧୀ ଦଳର ନେତା ଥିବା ସମୟରେ ନିଜ ଶବ୍ଦବାଣ ମାଧ୍ୟମରେ ତତ୍କାଳୀନ ବିଜେଡି ସରକାରଙ୍କୁ ଦୋହଲାଇ ଦେଉଥିବା ଜୟନାରାୟଣ ନିଜ ବିଜେପି ସରକାର କ୍ଷମତାକୁ ଆସିବା ପରେ ବି ସେଭଳି ଢଙ୍ଗରେ ଆଜି ସମ୍ବଲପୁରରେ ବକ୍ତବ୍ୟ ରଖିଥିବା ଦେଖିବାକୁ ମିଳିଥିଲା। ସେ କେବଳ ‌‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରିନଥିଲେ, ପଶ୍ଚିମ ଓଡ଼ିଶା ପ୍ରତି ସରକାରୀ ଶୋଷଣର କଥା କହିଥିଲେ। ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ସଂପର୍କରେ ସ୍ପଷ୍ଟ ଭାବେ କହିନଥିଲେ ବି ଜୟନାରାୟଣ ଓଡ଼ିଶାରେ ମିଶିବା ଆମର ଭୁଲ୍ ହୋଇଥିବା କହିଛନ୍ତି। ନିଜ ଭାଷଣରେ ସେ ବିଭିନ୍ନ ଉପାୟରେ ଅଞ୍ଚଳବାସୀଙ୍କୁ ଶୋଷଣ କରାଯାଉଥିବା ଅଭି‌ଯୋଗ କରିବା ସହିତ ଏହା ବିରୋଧରେ ସ୍ବର ଉଠାଇଛନ୍ତି। ଜୟନାରାୟଣ ମିଶ୍ରଙ୍କ ଆଜି ଏଭଳି ଭାଷଣ ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।