ନୂଆ କାହାଣୀ ରଚି ସମବେଦନା ଗୋଟାଇବା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ: ଜୟନାରାୟଣ

ଭୁବନେଶ୍ବର : ପଦ୍ମପୁର‌ରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ପ୍ରଚାର କରିବାକୁ ଗଲେ ସେନେଇ ପ୍ରତିକ୍ରିୟା ଦେବାପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ନୂଆ କାହାଣୀ ରଚି ସମବେଦନା ଗୋଟାଇବା ମୁଖ୍ୟମନ୍ତ୍ରୀଙ୍କର ପୁରୁଣା ଅଭ୍ୟାସ।

ଜୟନାରାୟଣ ଟୁଇଟ୍ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ଆହ୍ୱାନରେ ନୁହେଁ, ବରଂ ଦଳର ସଭାପତି ହିସାବରେ ନିଜ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ। ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ଝିଅ ବୋଲି ସମ୍ବୋଧନ ନକରି ଏବେ ଜିତିବା ପରେ ନୂଆ କାହାଣୀ ରଚି ସମବେଦନା ଗୋଟାଇବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ପଦ୍ମପୁର ନିର୍ବାଚନର ଫଳାଫଳକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ। ଗଣତନ୍ତ୍ରରେ ଜନତାଙ୍କ ମତ ସର୍ବାଗ୍ରେ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଆଜି ଚତୁରତାର ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକ ରାଜନୈତିକ ବୟାନ ଦେଇଛନ୍ତି, ଏହାକୁ ମୁଁ ନିନ୍ଦା କରୁଛି। ୨୨ବର୍ଷ ଲମ୍ବା ସମୟ ଶାସନରେ ରହିବା ପରେ ମଧ୍ୟ ସେ ଲୋକଙ୍କ ଆସ୍ଥାଭାଜନ ହେବାରେ ସକ୍ଷମ ହୋଇ ପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ ଠିକ୍ ରୂପେ ନିର୍ବାହ ନକରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ବିଜେପି, ମହିଳା ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଆଖ୍ୟା ଦେଇଛନ୍ତି ତାହା ଯଦି ସତ ହୋଇଥାନ୍ତା ତେବେ ଆଜି ନରେନ୍ଦ୍ର ମୋଦୀ ନିଜକୁ ଦେଶର ପ୍ରଧାନ ସେବକ ଭାବେ ପ୍ରତିଷ୍ଠିତ କରିପାରିନଥାନ୍ତେ। ଧାମନଗର ଉପନିର୍ବାଚନରେ ବିଜେପିକୁ ଧାମନଗରବାସୀ ଜିତାଇ ନଥାନ୍ତେ । ଯଦି ମାଆ ଭଉଣୀଙ୍କ ପାଇଁ ବିଜେପି ପ୍ରତି ସମ୍ମାନ ନଥାନ୍ତା ତେବେ ପଦ୍ମପୁରରେ ୭୮ହଜାରରୁ ଉର୍ଦ୍ଧ୍ୱ ଭୋଟର ଭାଇଭଉଣୀ ଦଳକୁ ସମର୍ଥନ କରିନଥାନ୍ତେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ମହିଳାଙ୍କୁ କେତେ ସମ୍ମାନ ଦିଅନ୍ତି, ତାହା ପରୀ, ମମିତା, ବେବିନା, ଇତିଶ୍ରୀ, କୁନ୍ଦୁଲି ଭଳି ଘଟଣାରୁ ସ୍ପଷ୍ଟ ଅନୁମେୟ। ରାଜରାସ୍ତାରେ ଅଙ୍ଗନବାଡ଼ି ଓ ଆଶା ଭଉଣୀମାନେ ପିଲାଛୁଆ ଓ ପରିବାରକୁ ଛାଡ଼ି ଦିନ ଦିନ ଧରି ଧାରଣାରେ ବସୁଛନ୍ତି, ଯାହା ମୁଖ୍ୟମନ୍ତ୍ରୀଙ୍କ କେବେ କଷ୍ଟ ଦିଏନି। କିନ୍ତୁ ସେଥିରୁ ରାଜନୈତିକ ଫାଇଦା ନେବା ପାଇଁ ସବୁବେଳେ ଚେଷ୍ଟା କରିଛନ୍ତି ।

ଏହାସହ ଶ୍ରୀ ମିଶ୍ର ପଦ୍ମପୁର ନିର୍ବାଚନ ବେଳେ ୪ଜଣ କେନ୍ଦ୍ର ମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ଉତ୍ତର ଦେଉନାହାନ୍ତି ବୋଲି ପଚାରିଛନ୍ତି।

ସମ୍ବନ୍ଧିତ ଖବର