ପୁଲିସ ଆଈ ମା’ କାହାଣୀ ଶୁଣାଇବା ବନ୍ଦ କରୁ: ଜୟ ନାରାୟଣ

ବିରୋଧୀ ଦଳ ନେତା ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର ପାଇଁ କହିବାର ଅଧିକାର ପୁଲିସ ମହାସଂଘର ଅଛି କି?

ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନିଜ ପିଏସ୍‌ଓ ପ୍ରତ୍ୟାହାର କରିବା ପରେ ପୁଲିସ ମହାସଂଘ ଏହାର କଡ଼ା ବିରୋଧ କରିଛି। ଏହାସହ କହିଛି ଯେ, ବିରୋଧୀ ଦଳ ନେତା ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ। ଏହାପରେ ଶ୍ରୀ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ ନେତା ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର ପାଇଁ କହିବାର ଅଧିକାର ପୁଲିସ ମହାସଂଘର ରହିଛି କି? ଏଇଟା ବିଶୃଙ୍ଖଳିତ ପୁଲିସ୍‌ର ବିଶୃଙ୍ଖଳିତ ଆଚରଣ। ନବୀନ ପଟ୍ଟନାୟକଙ୍କ ସରକାରରେ ଏମାନଙ୍କ ମୁହଁ ବହୁତ ବଢ଼ିଯାଇଛି। ସେଥିପାଇଁ ସେମାନେ ଏପରି ବିଶୃଙ୍ଖଳିତ କାମ କରୁଛନ୍ତି।

ନବ ଦାସଙ୍କ ହତ୍ୟା ଘଟଣାରେ ପୁଲିସ ପ୍ରତିଦିନ ନୂଆ ନୂଆ କଥା କହୁଥିବାରୁ ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶା ପୁଲିସ୍ ଆଈ ମା’ କାହାଣୀ କହୁଛି। ଆମେ ଆଈ ମା’ କାହାଣୀରେ କାହିଁକି ଯିବା? ଯେଉଁଠି ରାଜ୍ୟ ସରକାରଙ୍କ ଉପରେ ଆକ୍ଷେପ ଆସିବ, ସେଠି ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା କରିବ। ଏହା ଆମ ସଂଘୀୟ ବ୍ୟବସ୍ଥାରେ ରହିଛି। ଆଇନ୍‌ ତା’ ବାଟରେ ଯିବ କଥା କହୁଥିବା ରାଜ୍ୟ ସରକାର ସେହି ଅନୁସାରେ ଯାଆନ୍ତୁ। ଯଦି ଓଡ଼ିଶା ପୁଲିସ୍‌ ନାଁରେ ଅଭିଯୋଗ ରହିଛି, ତାହାହେଲେ କେନ୍ଦ୍ରୀୟ ସଂସ୍ଥା ସିବିଆଇ ଏହାର ତଦନ୍ତ କରୁ। ସେହି ବ୍ୟବସ୍ଥା ଅନୁସାରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ। ଏହାନକରି ପ୍ରତିଦିନ କାହିଁକି ନୂଆ ନୂଆ କାହାଣୀ ତିଆରି କରୁଛନ୍ତି?

ସେହିପରି ପାଇଖାନାରେ ଗୋଟିଏ କାଗଜ ପକାଇ ଫ୍ଲସ୍‌ କରିଦେଲେ ଘଣ୍ଟାଏ ପରେ କାଗଜର ଅବସ୍ଥା ନଥିବ। ଏମାନେ ୪ ଦିନ ପରେ କାଗଜ ବାହାର କରୁଛନ୍ତି। ତାହା ପୁଣି ଠିକ୍‌ ଅଛି ବୋଲି କହୁଛନ୍ତି। ଆଉ ଏମିତିକା ଆଈ ମା’ କାହାଣୀ କେତେ କହିବେ? ଓଡ଼ିଶାରେ ଆଇନଶୃଙ୍ଖଳା ଆଉ ନାହିଁ। ପୂରା ଧ୍ୱଂସ ପାଇଗଲାଣି। ପୁଲିସକୁ ଏଠାରେ ଦଳୀୟ କାମରେ ବ୍ୟବହାର କରାଯାଉଛି। ଏହି ପ୍ରସଙ୍ଗ ମୁଁ ବିଧାନସଭାରେ ଉଠାଇବି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଓଡ଼ିଶା ପୁଲିସ ସଂଘର ତୀବ୍ର ଅସନ୍ତୋଷ
ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର ନିଜ ସୁରକ୍ଷା କର୍ମୀଙ୍କୁ ଫେରାଇବା ସହ ରାଜ୍ୟ ପୁଲିସକୁ କଟୁ ସମାଲୋଚନା କରିଛନ୍ତି। ବିଧାୟକ ଶ୍ରୀ ମିଶ୍ରଙ୍କ ପୁଲିସ ବିରୋଧୀ ମନ୍ତବ୍ୟକୁ ନେଇ ଓଡ଼ିଶା ପୁଲିସ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି ଯେ, ଓଡ଼ିଶା ପୁଲିସ ଦେଶରେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଛି। ରାଜ୍ୟରେ କାର୍ଯ୍ୟରତ ୯୦ ହଜାରରୁ ଅଧିକ ପୁଲିସ କର୍ମଚାରୀ ସାଢ଼େ ୪କୋଟି ଜନତାଙ୍କୁ ସୁରକ୍ଷା ଦେଉଛନ୍ତି। ସାମ୍ବିଧାନିକ ପଦରେ ଥାଇ ଜଣେ ପୁଲିସ ଅଧିକାରୀଙ୍କ ଭୁଲ ଯୋଗୁଁ ରାଜ୍ୟର ସମସ୍ତ ପୁଲିସଙ୍କୁ ଦୋଷୀ କହିବା ଓ ଅପରାଧ ପ୍ରବଣ କହିବା ଆଦୌ ଗ୍ରହଣୀୟ ନୁହେଁ। ଜଣେ ଜନପ୍ରତିନିଧି ହୋଇ ତାଙ୍କ ମୁହଁରୁ ଏଭଳି କଥା ସଭ୍ୟ ସମାଜଙ୍କୁ ଭୁଲ ବାର୍ତ୍ତା ଦେଉଛି। ମନ୍ତ୍ରୀ ତୁରନ୍ତ ଏଭଳି ଦାୟିତ୍ବହୀନ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର