କଟକ: ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଡୁଆରେ ପଡିଛନ୍ତି। ତାଙ୍କ ବିରୋଧରେ ରହିଥିବା ଦୁଇଟି ମାମଲାକୁ ନେଇ ଶ୍ରୀ ମିଶ୍ର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ସେଥିରୁ ଗୋଟିଏ ଖାରଜ ହୋଇଯାଇଛି ଏବଂ ଅନ୍ୟ ଗୋଟିଏ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି।
ସୂଚନା ଅନୁଯାୟୀ, ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ସମ୍ବଲପୁର ଟାଉନ ଥାନାରେ ରୁଜୁ ମାମଲାରେ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ୨୦୨୩ ଫେବ୍ରୁଆରି ୧୫ରେ ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ବେଳେ ପୁଲିସ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ଘଟଣାରେ ଶ୍ରୀ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ। ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ କର୍ତ୍ତବ୍ୟ ସଂପାଦନରେ ବାଧା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଧନୁପାଲି ଥାନା ଆଇଆଇସିଙ୍କ ଏତଲା କ୍ରମେ ଟାଉନ ଥାନା ପକ୍ଷରୁ ଶ୍ରୀ ମିଶ୍ରଙ୍କ ନାଁରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା।
ସେହିଭଳି କ୍ଷେତରାଜପୁର ଥାନା ମାମଲାରେ ଆଗୁଆ ଜାମିନ ଲୋଡ଼ି ଶ୍ରୀ ମିଶ୍ର ଦାୟର କରିଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଯଦି ନିମ୍ନ ଅଦାଲତରେ ଶ୍ରୀ ମିଶ୍ର ଆତ୍ମସମର୍ପଣ କରି ନିୟମିତ ଜାମିନ ପାଇଁ ନିବେଦନ କରନ୍ତି ତେବେ ଏହା ଉପରେ ଆଇନ ଅନୁସାରେ ତ୍ବରିତ ବିଚାର କରାଯିବ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ସଦର ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଲକ୍ଷ୍ମଣ ଅମାତଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ନେଇ ଶ୍ରୀ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ କ୍ଷେତରାଜପୁର ଥାନାରେ ୨୦୨୨ରେ ଏତଲା ରୁଜୁ ହୋଇଥିଲା। ଫେବ୍ରୁଆରି ୧୫ରେ ତହସିଲଦାର ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ବିଧାୟକ ଓ ତାଙ୍କ ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଶ୍ରୀ ଅମାତଙ୍କ ଅଭିଯୋଗ ଆଧାରରେ କ୍ଷେତରାଜପୁର ଥାନରେ ଆଇପିସିର ଦଫା ୧୪୩, ୨୯୪, ୧୮୬, ୩୫୩, ୫୦୬, ୧୪୯ ସହିତ ଏସସି ଏସଟି (ପିଏ) ଆଇନର ଧାରା ୩ରେ ମାମଲା ରୁଜୁ ହୋଇଥିଲା। ଏସସି ଏସଟି ଆଇନରେ ରୁଜୁ ମାମଲାରେ ଆଗୁଆ ଜାମିନ ପ୍ରଦାନ ସଂକ୍ରାନ୍ତରେ କଟକଣା ରହିଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହାପରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।