ଗୋପାଳପୁର : ଆସନ୍ତା ୨ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ପ୍ରଖ୍ୟାତ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ‘ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ’ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ସେହିଭଳି, କନ୍ଧମାଳ ଜିଲ୍ଲାର ଲୋକକବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସି ଜାନିଙ୍କୁ ‘ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗଞ୍ଜାମ ଜିଲ୍ଲା ଆସ୍କାର ମୂଳନିବାସୀ ନାଟ୍ୟକାର ମେଜର ରମାରମଣ ପାଢ଼ୀଙ୍କୁ ମାନପତ୍ର ସହ ଅଙ୍ଗବସ୍ତ୍ର ଏବଂ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ପୁରାତନ ଛାତ୍ରୀ ଭାବେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ଥିବା ପ୍ରଫେସର ସସ୍ମିତା ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯିବ। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍ଚିଙ୍କୁ ଆମନ୍ତ୍ରିତ କରାଯାଇଥିବା ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତର କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମହାପାତ୍ର ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି। ଉଭୟ ଓଡ଼ିଆ ଓ ଇଂରାଜୀ କବିତାରେ ତାଙ୍କର ବେଶ୍ ସୁନାମ ରହିଛି। ନିଜର ଇଂରାଜୀ କବିତା ସଙ୍କଳନ ‘ରିଲେସନ୍ସିପ୍’ ପାଇଁ ସେ ୧୯୮୧ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଥିଲେ। ୨୦୦୯ ମସିହାରେ କେନ୍ଦ୍ର ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିଥିଲେ।