ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର: ବିଶିଷ୍ଟ ଜନନେତ୍ରୀ, ସୁସାହିତ୍ୟିକ ତଥା ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଇଥିଲା। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଶୋକ

ପୂର୍ବତନ ସାଂସଦ, ବିଶିଷ୍ଟ ରାଜନେତ୍ରୀ ତଥା ସୁସାହିତ୍ୟିକା ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ସାରସ୍ବତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ପୂର୍ବତନ ସାଂସଦ, ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ତଥା ସୁସାହିତ୍ୟିକ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ ଯୋଗେ ଜଣାଇଛନ୍ତି। ଓଡ଼ିଆ ସାହିତ୍ୟ ଜଗତ ସହ ନାରୀ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶ୍ରୀମତୀ ପଟ୍ଟନାୟକ ରାଜନୀତି ସହ ସମାଜସେବାରେ ନିଜକୁ ସମର୍ପିତ କରିଥିଲେ। ଜଣେ ଲେଖିକା ଭାବରେ ମଧ୍ୟ ତାଙ୍କର ପରିଚୟ ଥିଲା ସ୍ବତନ୍ତ୍ର। ତାଙ୍କ ବିୟୋଗରେ ଓଡ଼ିଶା, ରାଜ୍ୟ ରାଜନୀତି ଜଗତର ଜଣେ ପ୍ରତିଷ୍ଠିତ ମହିଳାଙ୍କୁ ହରାଇଲା। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ଟ୍ବିଟ କରି ଜଣାଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶଙ୍କ ଶୋକ

ପୂର୍ବତନ ସାଂସଦ ତଥା ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଜଣେ ଦକ୍ଷ ରାଜନେତ୍ରୀ ସହିତ ସେ ଜଣେ ସୁଲେଖିକା ଓ ସ୍ତମ୍ଭକାର ମଧ୍ୟ ଥିଲେ। ମୁଁ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରୁଛି।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଶୋକ

ପୂର୍ବତନ ସାଂସଦ ତଥା ସାମାଜିକ କର୍ମୀ ଜୟନ୍ତୀ ପଟ୍ଟନାୟକଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।

କଟକ ବିଧାୟକ ମହମ୍ମଦ ମୋକିମଙ୍କ ଶୋକ

ବରିଷ୍ଠ କଂଗ୍ରେସ ନେତ୍ରୀ, ପ୍ରାକ୍ତନ ସାଂସଦ ତଥା ସର୍ବ ଭାରତୀୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା, ସୁସାହିତ୍ୟିକା ଲେଖିକା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତରେ ବାରବାଟି – କଟକ ବିଧାୟକ ଇଂ . ମହମ୍ମଦ ମୋକିମ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀମତୀ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ନାରୀ ନେତ୍ରୀ ଏବଂ ଓଡ଼ିଶା ଭାଷା ସାହିତ୍ୟର ଜଣେ ସୁଲେଖିକାଙ୍କୁ ହରାଇଲା ବୋଲି ତାଙ୍କ ଶୋକବାର୍ତ୍ତାରେ  ଜଣାଇବା ସହିତ ସ୍ୱର୍ଗୀୟା ମହିୟସୀ ମହିଳା ନେତ୍ରୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଶୋକ
ବିଶିଷ୍ଟ ନାରୀ ନେତ୍ରୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ବିଟ ଯୋଗେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଜୟନ୍ତୀ ପଟ୍ଟନାୟକ ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ଭାବରେ ଗୌରବ ଅର୍ଜନ କରିଛନ୍ତି। ସାଂସଦ ଭାବରେ ତାଙ୍କର ସୁଖ୍ୟାତି ଥିଲା। ସମାଜସେବା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କ ଅନେକ ଅବଦାନ ଥିଲା। ତାଙ୍କ ବିୟୋଗ ସମାଜସେବା ଓ ରାଜନୀତିରେ ଜଣେ ବିଶିଷ୍ଟ ନାରୀନେତ୍ରୀଙ୍କ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ଟ୍ବିଟଯୋଗେ ଉଲ୍ଲେଖ କରିଛନ୍ତି।

ପୂର୍ବତନ ସାଂସଦ ବୈଜୟନ୍ତୀ ପଣ୍ଡାଙ୍କ ଶୋକ
ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ବିଶିଷ୍ଟ ନାରୀନେତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଦୁଃଖିତ, ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନାକରୁଛି ବୋଲି ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି।

 

ସମ୍ବନ୍ଧିତ ଖବର