ଆଉ ନାହାନ୍ତି ଜୟନ୍ତୀ: ୯୦ବର୍ଷ ବୟସରେ ପରଲୋକ, ଆଜି ସ୍ବର୍ଗଦ୍ବାରରେ ଶେଷକୃତ୍ୟ

ଜାତୀୟ ମହିଳା ଆୟୋଗର ଥିଲେ ପ୍ରଥମ ଅଧ୍ୟକ୍ଷା, ଅଖିଳ ଭାରତ ମହିଳା କଂଗ୍ରେସର ପ୍ରଥମ ଓଡ଼ିଆ ସଭାନେତ୍ରୀ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜା‌ନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକ ଆଉ ନାହାନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ବର୍ଷ ବୟସରେ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ଆଜି ରାତି ୮ଟା ୨୦ମିନିଟ୍‌ରେ ତାଙ୍କର ପ‌ରଲୋକ ହୋଇଯାଇଛି। ମୃତ୍ୟୁ ବେଳେ ତାଙ୍କ ନିକଟରେ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ, ବୋହୂ ସସ୍ମିତା ପଟ୍ଟନାୟକ, ବଡ଼ ଝିଅ ସୁଦତ୍ତା ପଟ୍ଟନାୟକ, ଜ୍ବାଇଁ ‌ସୌମ୍ୟ ରଂଜନ ପଟ୍ଟନାୟକ, ଝିଆରୀ ଗୀତା ବକ୍ସି, ନାତୁଣୀ ତନୟା ପଟ୍ଟନାୟକ, ନାତୁଣୀ ଜ୍ବାଇଁ ସତ୍ୟ ସ୍ମୃତି ମହାନ୍ତି, ନାତୁଣୀ ତମନ୍ନା ପଟ୍ଟନାୟକ ଓ ତନ୍ମୟୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ସାନ ଝିଅ ସୁପ୍ରିୟା ପଟ୍ଟନାୟକ ଓ ଜ୍ବାଇଁ ଗୌତ୍ତମ ପଟ୍ଟନାୟକ ଆମେରିକାରେ ରହୁଛନ୍ତି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ।
ଶ୍ରୀମତୀ ପଟ୍ଟନାୟକଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ଜଣେ ଅଗ୍ନିବର୍ଷୀ ନେତ୍ରୀ, ସୁସାହିତ୍ୟିକା, ଅନୁବାଦିକା,
ସାହିତ୍ୟ ସଂଗଠିକା, ସମାଜସେବୀ ଓ ବକ୍ତା ଭାବେ ସାରା ଦେଶରେ ଜୟନ୍ତୀ ପଟ୍ଟନାୟକ ଖ୍ୟାତି ଅର୍ଜନ କରିଥିଲେ। ପିଲାଟି ଦିନରୁ ପିତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜୟନ୍ତୀ ଜୀବନର ମଧ୍ୟାହ୍ନରେ ରାଜନୀତିରେ ପ୍ରବେଶ କରିଥିଲେ। ନିଜର ଓଜସ୍ବିନୀ ଭାଷଣ ପାଇଁ ସେ ଓଡ଼ିଶାବାସୀଙ୍କ ପ୍ରିୟ ହୋଇପାରିଥିଲେ। ଓଡ଼ିଶାରୁ ୪ଥର ସାଂସଦ ଭାବେ ସଂସଦକୁ ନିର୍ବାଚିତ ହୋଇଥିଲେ ଜୟନ୍ତୀ ପଟ୍ଟନାୟକ। ୧୯୮୧ରେ ପ୍ରଥମ ଓଡ଼ିଆ ମହିଳା ଭାବେ ‌ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୦ରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ କଟକ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୧୯୮୧ରେ ହୋଇଥିବା ଉପନିର୍ବାଚନରେ ଜିତି ଜୟନ୍ତୀ ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ କରିଥିଲେ। ଏହାପରେ ପୁନର୍ବାର ୧୯୮୪ ମସିହାରେ ପୁଣି କଟକ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୧୯୯୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ୧୯୯୮ରେ ବ୍ରହ୍ମପୁର ଲୋକସଭା ଆସନରୁ ତୃତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋ‌ଇଥିଲେ।

୧୯୯୨ ମସିହାରେ ପିଭି ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଦେଶରେ ଜାତୀୟ ମହିଳା କମିସନ ଗଠନ ହୋଇଥିଲା। ସ୍ବର୍ଗତା ପଟ୍ଟନାୟକ ୧୯୯୨ ଫେବ୍ରୁଆରି ୩ରୁ ୧୯୯୫ ଜାନୁଆରି ୩୦ ପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ହେବାର ସୌଭାଗ୍ୟ ହାସଲ କରିଥିଲେ। ଏହାସହ ସେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ହୋଇଥିଲେ। ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ଏହି ପଦରେ ରହି ଦାୟିତ୍ବ ତୁଲାଇଥିଲେ।

ଏପ୍ରିଲ ୭, ୧୯୩୨ରେ ଗଞ୍ଜାମର ଆସିକାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତା ପଟ୍ଟନାୟକ ଆସିକା ସ୍ଥିତ ହରିହର ବିଦ୍ୟାପୀଠରୁ ମାଟ୍ରିକ୍, କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଦର୍ଶନ ଓ ସଂସ୍କୃତରେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର (ପ୍ରଥମ ଓଡ଼ିଆ) ଶିକ୍ଷାଲାଭ କରିଥିଲେ। ୧୯୫୩ ମସିହା‌ରେ ବିଶିଷ୍ଟ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜୟନ୍ତୀ ବିବାହ କରିଥିଲେ। ସେ ସର୍ବଭାରତୀୟ ସ୍ତରରେ ୧୯୯୨ ମସିହା ପାଇଁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭା ଭାବେ ମହିଳା ଶିରୋମଣି ଉପାଧି ଓ ୧୯୯୬ ମସିହାରେ ମହିଳା ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ।

ରାଷ୍ଟ୍ରପତିଙ୍କ ଶୋକ
ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସେ ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାମାଜିକ କର୍ମୀ ଥିଲେ। ନିଜ ସେବା ତଥା ନିଷ୍ଠା ମାଧ୍ୟମରେ ରାଜ୍ୟବାସୀଙ୍କୁ ଭଲ ପାଉଥିଲେ। ତାଙ୍କ ପରିବାର, ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ମୁଁ ସମବେଦନା ଜଣାଉଛି।
ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି

ସମ୍ବନ୍ଧିତ ଖବର