‘ଶୀତଳ ବହ୍ନି’ରୁ ସାଉଁଟା ସ୍ମୃତି : ଇନ୍ଦିରା, ରାଜୀବ ଓ ଜୟନ୍ତୀ

ଭୁବନେଶ୍ବର : ଆଜି ଆମ ଗହଣରେ ବିଶିଷ୍ଟ ଜନନେତ୍ରୀ, ସୁସାହିତ୍ୟିକା ଓ ସୁବକ୍ତା ଜୟନ୍ତୀ ପଟ୍ଟନାୟକ ନାହାନ୍ତି ସିନା, କିନ୍ତୁ ତାଙ୍କର ସ୍ମୃତି ଚିର ଅମଳିନ ହୋଇ ରହିବ। ଭାରତୀୟ ରାଜନୀତିରେ ସେ ଛାଡ଼ି ଯାଇଥିବା ପାଦଚିହ୍ନ ସଦା ସୁସ୍ପଷ୍ଟ। ଅଖିଳ ଭାରତୀୟ ମହିଳା କଂଗ୍ରେସର ପ୍ରଥମ ଓଡ଼ିଆ ସଭାନେତ୍ରୀ, ରାଜ୍ୟର ପ୍ରଥମ ମହିଳା ସାଂସଦ ଓ ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା- ଏମିତି ଅନେକ ‘ପ୍ରଥମ’ ତାଙ୍କ ସହିତ ଯୋଡ଼ି ହୋଇ ରହିଛି। ପାର୍ଥିବ ଶରୀରରେ ସେ ନାହାନ୍ତି ସତ ହେଲେ ତାଙ୍କର କର୍ମ, ଲେଖନୀ ଓ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଆସନ୍ତୁ ଦିବଂଗତ ମହାନ ନେତ୍ରୀଙ୍କ ଜୀବନର କିଛି ସ୍ମରଣୀୟ ଘଟଣାବଳିର ସ୍ମୃତିଚାରଣ କରିବା।

୧୯୮୧ ମସିହା ଅଗଷ୍ଟ ୧୭ ତାରିଖ, ଲୋକସଭା ସଦନ, ନୂଆଦିଲ୍ଲୀ। ସେଦିନ ନୂଆକରି ନିର୍ବାଚିତ ହୋଇ ଆସିଥିବା କିଛି ସଦସ୍ୟ ଶପଥ ନେବାର କାର୍ଯ୍ୟକ୍ରମ ଥାଏ। ପାଖାପାଖ ବସିଥାନ୍ତି ଜଣେ ଓଡ଼ିଆ ମହିଳା ଓ ଅନ୍ୟ ଜଣେ ସୌମ୍ୟଦର୍ଶନ ଯୁବକ।

‘‘ଡୁ ୟୁ ନୋ ହ୍ଵାଟ୍‌ ୱିଲ୍‌ ହାପନ୍‌ ହିଅର୍‌ ଟୁଡେ (ଆଜି ଏଠି କ’ଣ ଘଟିବ ଜାଣନ୍ତି କି) ?’’ ପଚାରିଲେ କୌତୂହଳୀ ମହିଳା ଜଣକ। ପାଖରେ ବସିଥିବା ଯୁବକ ଜଣକ ହସହସ ମୁହଁରେ ଉତ୍ତର ଦେଲେ। ‘‘ଆଇ ଅଲ୍‌ସୋ ଡୁ ନଟ୍‌ ନୋ ଏନିଥିଙ୍ଗ୍‌(ମୁଁ ବି କିଛି ଜାଣେନା)।’’

ଜୟନ୍ତୀ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ‘ଶୀତଳ ବହ୍ନି’ରେ ବର୍ଣ୍ଣିତ ଏହି କଥୋପକଥନଟି ଥିଲା, ଶପଥ ନେବା ପାଇଁ ଅପେକ୍ଷା କରିଥିବା ଲୋକସଭାରେ ଓଡ଼ିଶାର ପ୍ରଥମ ମହିଳା ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଏବଂ ଉତ୍ତରପ୍ରଦେଶର ଆମେଥିରୁ ନିର୍ବାଚନ ଜିଣି ପ୍ରଥମ କରି ଲୋକସଭାକୁ ଆସିଥିବା ରାଜୀବ ଗାନ୍ଧୀଙ୍କ ଭିତରେ। ସାନଭାଇ ସଂଜୟ ଗାନ୍ଧୀଙ୍କ ମୃତ୍ୟୁପରେ  ଆମେଥି ଆସନରୁ ଉପନିର୍ବାଚନ ଜିଣି  ଲୋକସଭାକୁ ଆସିଥିଲେ ରାଜୀବ ଗାନ୍ଧୀ। ସେହିପରି ଓଡ଼ିଶାର କଟକ ଆସନରୁ ଲୋକସଭା ଉପନିର୍ବାଚନ ଜିଣି ସଦନକୁ ଆସିଥାନ୍ତି ଜୟନ୍ତୀ।

ରାଜ୍ୟ ବିଧାନସଭା ଓ ରାଜ୍ୟସଭାରେ ଓଡ଼ିଆ ମହିଳାମାନେ ଆସନ ଜମାଇ ସାରିଥିଲେ ବହୁତ ଦିନ ତଳୁ। ୧୯୭୨ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିଥିବା ଶ୍ରୀମତୀ ନନ୍ଦିନୀ ଶତପଥୀ ଥିଲେ ଦେଶର ଦ୍ଵିତୀୟ ମହିଳା ମୁଖ୍ୟମନ୍ତ୍ରୀ। ମାତ୍ର ଲୋକସଭାକୁ ଓଡ଼ିଶାରୁ ଜଣେ ହେଲେ ମହିଳା ଯେ ୧୯୮୧ ପର୍ଯ୍ୟନ୍ତ ନିର୍ବାଚିତା ହୋଇ ଆସିପାରି ନଥିଲେ, ଏହା ବିଶ୍ୱାସ କରିହେଉନଥିଲେ ବି ସତ।

୧୯୫୧ରୁ ୧୯୮୦ ମଧ୍ୟରେ ସାତଟି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେମଧ୍ୟରୁ କେତୋଟିରେ ଓଡ଼ିଶାର କେହି ଜଣେ ବି ମହିଳା ପ୍ରାର୍ଥୀ ହୋଇ ନଥିଲେ। ୧୯୮୦ ମସିହାରେ ମାତ୍ର ଦୁଇଜଣ ମହିଳା ଲୋକସଭା ପାଇଁ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ। ଜନତା ଦଳ ଟିକେଟରେ ଆସ୍କାରୁ ଶାନ୍ତି କୁମାରୀ ଦେବୀ ଓ ବାଲେଶ୍ୱର ଆସନରୁ ସ୍ୱାଧୀନ ପ୍ରାର୍ଥୀ କମଳିନୀ ପାତ୍ର। ମାତ୍ର ଏମାନଙ୍କ ମଧ୍ୟରୁ କେହି ନିର୍ବାଚନ ଜିଣିପାରିନଥିଲେ। ଏହି ବର୍ଷ କଟକ ଲୋକସଭା ଆସନରୁ ଜିଣିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ମାତ୍ର ସେ ରାଜ୍ୟର ନବଗଠିତ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାରୁ ତାଙ୍କୁ ଆଠଗଡ଼ ବିଧାନସଭା ଆସନରୁ ଉପନିର୍ବାଚନ ଜିଣି ବିଧାନସଭାକୁ ଆସିବାକୁ ପଡ଼ିଲାଏବଂ ସେ ତାଙ୍କ ଲୋକସଭା ଆସନରୁ ଇସ୍ତଫା ଦେଲେ। ଫଳରେ ୧୯୮୧ ମସିହା ଜୁନ୍‌ ମାସରେ କଟକ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେଲା। ଏହି ଆସନରୁ କଂଗ୍ରେସଦଳର ପ୍ରାର୍ଥୀରୂପେ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ରବି ରାୟଙ୍କୁ ପାଖାପାଖି ୫୦ ହଜାର ଭୋଟ୍‌ରେ ପରାସ୍ତ କରି ନିର୍ବାଚିତା ହେଲେ।

ପ୍ରଥମଥର ଲୋକସଭାକୁ ଗଲାବେଳେ ସେ ସ୍ୱାମୀଙ୍କ ସହ ଏକାଠି ଯାଇଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭେଟିବା ପାଇଁ। ତାଙ୍କ ମନରେ ଅନେକ ପ୍ରଶ୍ନ। ଶ୍ରୀମତୀ ଗାନ୍ଧୀ ତାଙ୍କୁ କ’ଣ ପଚାରିବେ ଓ ସେ କ’ଣ ଉତ୍ତର ଦେବେ ଇତ୍ୟାଦି। କିନ୍ତୁ ସେ ଯେତେବେଳେ ସଂସଦ ଭବନସ୍ଥିତ ପ୍ରଧାନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରବେଶ କଲେ, ଶ୍ରୀମତୀ ଗାନ୍ଧୀ ନିଜେ ଦୁଆର ପାଖକୁ ଉଠିଆସି ତାଙ୍କୁ କୁଣ୍ଢାଇପକାଇଥିଲେ। ସତେ ଯେମିତି ସେ ନିଜର ଜଣେ ଅତି ପରିଚିତା ସହକର୍ମୀଙ୍କୁ ଅପେକ୍ଷା କରି ବସିରହିଥିଲେଭେଟିବା ପାଇଁ। ଜୟନ୍ତୀଙ୍କ ଜୀବନୀ ପୁସ୍ତକ ‘ଶୀତଳ ବହ୍ନି’ରେ ବର୍ଣ୍ଣିତ ଏହି ଉପାଖ୍ୟାନଟି ସୂଚାଇ ଦିଏ ଇନ୍ଦିରା ଗାନ୍ଧୀଙ୍କ ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ଵଏବଂ ଲୋକସଭା ସଦନରେ ପ୍ରଥମ ଓଡ଼ିଆ ମହିଳାଙ୍କ ଗୃହପ୍ରବେଶ କାଳରେ ପ୍ରଥମ ସଙ୍ଖୋଳାର ଅନୁଭୂତି।

ସମ୍ବନ୍ଧିତ ଖବର