ସାହିତ୍ୟ ଏକାଡେମିର ଭାରପ୍ରାପ୍ତ ସଚିବ ହେଲେ ଜୟନ୍ତୀ ରଥ

ସ୍ଥାୟୀ ସଚିବ ବାଛିବାରେ ବିଳମ୍ବ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ପଦ ୩ ଦିନ ଖାଲି ପଡ଼ିବା ପରେ ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥଙ୍କୁ ତରବରିଆ ଭାବେ ଭାରପ୍ରାପ୍ତ ସଚିବ ଭାବେ ବସାଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଅର୍ଥାତ ଶ୍ରୀମତୀ ରଥ ଏବେ ସଂଗ୍ରହାଳୟ ସହ ଅତିରିକ୍ତ ଭାବେ ଅନିର୍ଦିଷ୍ଟ କାଳ ପାଇଁ ସଚିବଙ୍କ କାର୍ଯ୍ୟ ତୁଲାଇବେ। ଏକାଡେମିର ସଚିବ ଥିବା ଅଶ୍ୱିନୀ ମିଶ୍ର ଗତ ଜାନୁଆରି ୨୯ ତାରିଖରୁ ପଦତ୍ୟାଗ କରିବା ପରେ ବିଭାଗ ଏହି ନିଷ୍ପତ୍ତି ନେଇଛି। ସେପଟେ ସର୍ଚ କମିଟି ଗତ ଜାନୁଆରି ୧୭ ତାରିଖରୁ ସ୍ଥାୟୀ ସଚିବ ପଦ ପାଇଁ ୪ଟି ନାଁ ପଠେଇଥିଲେ ହେଁ କାହାକୁ ସଚିବ ପଦରେ ବସାଇବ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ଏଯାଏଁ କାହାର ନାଁ ଘୋଷଣା କରିବାକୁ ବି ସକ୍ଷମ ହୋଇପାରିନି। ଏତେଦିନ ଧରି ବିଭାଗ ପକ୍ଷରୁ ନାଁ ଘୋଷଣା କରାନଯିବା ପଛର କ’ଣ କାରଣ ରହିଛି ତାହା ବିଭଗର ଅଧିକାରୀମାନେ ମଧ୍ୟ ସ୍ପଷ୍ଟ କରିପାରୁନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ କମିସନର ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସାତକଡ଼ି ହୋତା, ବିଜୟ ଶତପଥୀ ଏବଂ ବିଷ୍ଣୁପ୍ରିୟା ଓତାଙ୍କୁ ନେଇ ଗଠିତ ସର୍ଚ କମିଟି ପକ୍ଷରୁ ଗତ ୧୭ ତାରିଖରେ ସର୍ଚ କମିଟି ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ମୁତାବକ ୪ ଜଣଙ୍କ ନାମ ମଧ୍ୟ ସରକାରଙ୍କ ନିକଟକୁ ପଠା ଯାଇଥିଲା। ଯେଉଁ ୪ ଜଣଙ୍କ ନାମ ଯାଇଛି ଯୋଗ୍ୟତା ଭିତ୍ତିରେ ନାମ ଚୟନ କରିବାରେ କିଛି ସମସ୍ୟା ନାହିଁ ବୋଲି ଜଣେ ସାହିତ୍ୟିକ କହିଛନ୍ତି। ମାତ୍ର ଏନେଇ କାହିଁକି ନିଷ୍ପତ୍ତି ହୋଇପାରୁନି ଏବଂ ବିଭାଗ କି ଉଦ୍ଦେଶ୍ୟ ରଖି ନାମ ଘୋଷଣା ବିଳମ୍ବ କରି ଚାଲିଛି ତାହା ଏବେ ସାହିତ୍ୟିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣେ ସର୍ଚ କମିଟି ଜରିଆରେ ଯେଉଁମାନଙ୍କ ନାମ ତାଲିକାଭୁକ୍ତ ହୋଇ ସରକାରଙ୍କ ନିକଟକୁ ପଠାଯାଇଛି ତାହା ଠିକ୍‌ ଭାବେ କରାଯାଇଛି କି ନାହିଁ ସେନେଇ ମଧ୍ୟ କିଛି ସାହିତ୍ୟିକ ପ୍ରଶ୍ନ କରିିଛନ୍ତି।

ସମ୍ବନ୍ଧିତ ଖବର