ମହାପ୍ରଭୁଙ୍କ ପାଇଁ ମିଳୁନି ‘ଜୟପୋଖାଲ’ ଚନ୍ଦନ, ତାମିଲନାଡ଼ୁରୁ ଚନ୍ଦନ କାଠ ଆସିବାରେ ଅଡ଼ୁଆ

ଲାଗି‌ ହେବ ଓଡ଼ିଶାରେ ଉପଲବ୍ଧ ଚନ୍ଦନ, ମାସକୁ ଲାଗି ହେଉଛି ୨୧ କେଜି

ପୁରୀ : ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ସ୍ବତନ୍ତ୍ର ନୀତିକାନ୍ତି ପାଇଁ ଲାଗି ହେଉଥିବା ଚନ୍ଦନକାଠର ଘୋର ଅଭାବ ଦେଖାଦେଇଛି। ଆଇନଗତ ଅଡ଼ୁଆ ପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ପ୍ରତିବର୍ଷ ତାମିଲନାଡ଼ୁରୁ ଆସୁଥିବା ‘ଜୟପୋଖାଲ’ ଚନ୍ଦନକାଠ ଆସିବା ବନ୍ଦ ହୋଇଯାଇଛି। ଏହି ସମସ୍ୟା ମହାପ୍ରଭୁଙ୍କ ନୀତିକାନ୍ତିକୁ ପ୍ରଭାବିତ କରିବା ଆଶଙ୍କା ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକଳ୍ପ ଖୋଜା ଆରମ୍ଭ କରିଛି। ଯେହେତୁ ତାମିଲନାଡ଼ୁରୁ ଚନ୍ଦନକାଠ ଆସିବା ବନ୍ଦ ହୋଇଯାଇଛି, ‌ତେଣୁ ଓଡ଼ିଶାରେ ମିଳୁଥିବା ଚନ୍ଦନକାଠରେ ମହାପ୍ରଭୁଙ୍କ ନୀତିକାନ୍ତି କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ପିସିସିଏଫ୍‌ଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଦୈନିକ ସକାଳଧୂପ, ମଧ୍ୟାହ୍ନଧୂପ, ସଂଧ୍ୟା ଧୂପ ସହ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରାଯାଇଥାଏ। ଏଥିପାଇଁ ଦୈନିକ ପ୍ରାୟ ୭ଶହ ଗ୍ରାମ ଚନ୍ଦନ କାଠ ଆବଶ୍ୟକ ପଡ଼ିଥାଏ। ଏହି ଚନ୍ଦନ ମହାପ୍ରଭୁ ଅଧରରେ ଲାଗି ‌ହୁଏ। ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଅଣସର ନୀତି ବେଳେ ଏହି ଚନ୍ଦନକୁ କଢ଼ାଯାଇ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ଶରୀରରେ ଚନ୍ଦନ ବୋଳାଯାଇଥାଏ। ଏଥିପାଇଁ ୧୬ ସେର ଚନ୍ଦନ ଲାଗି ହୋଇଥାଏ। ସେହିଭଳି ଚନ୍ଦନଯାତ୍ରା ନୀତି ବେଳେ ୭ କେଜି ଚନ୍ଦନ ଲାଗି ହୋଇଥାଏ। ଅନ୍ୟାନ୍ୟ ନୀତିକାନ୍ତି ବେଳେ ବି ଭିନ୍ନ ପରିମାଣର ଚନ୍ଦନ ଲାଗି ହୋଇଥାଏ। ଏହି ଚନ୍ଦନ ‘ଜୟପୋଖାଲ’ ପ୍ରଜାତିର। ନାଲିଆ ଦେଖାଯାଉଥିବା ଏହି ଚନ୍ଦନର ବାସ୍ନା ବି ବହୁତ। ପାଖରେ ଥିଲେ ଆଖପାଖ ବାସ୍ନାରେ ମହକି ଉଠେ। ଏହି ଚନ୍ଦନ ତାମିଲନାଡ଼ୁରେ ବହୁଳ ପରିମାଣରେ ମିଳେ ଓ କେଜି ପ୍ରତି ଦର ପ୍ରାୟ ୧୮ରୁ ୨୦ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ତାମିଲନାଡ଼ୁ ସରକାରଙ୍କ ବନ ବିଭାଗ ସହ ଯୋଗାଯୋଗ କରି ଚନ୍ଦନକାଠ ବାବଦ ଅର୍ଥ ଜମା ‌ଦେଇ ଆବଶ୍ୟକ ଚନ୍ଦନ କ୍ରୟ କରିଥାଏ। ଅନ୍ୟ ପ୍ରସିଦ୍ଧ ଦେବଦେବୀ ପୀଠ ପାଇଁ ବି ଏହି ଚନ୍ଦନ ତାମିଲନାଡ଼ୁ ସରକାରଙ୍କଠାରୁ ଓଡ଼ିଶା ସରକାର ସିଧାସଳଖ କ୍ରୟ କରିଥାନ୍ତି। କିନ୍ତୁ ତାମିଲନାଡ଼ୁ ସରକାର ଯୋଗାଇ ଆସୁଥିବା ଏହି ଚନ୍ଦନକାଠ କିଣାବିକାରେ ଆଇନଗତ ପ୍ରତିବନ୍ଧକ ଲଗିଛି।

ଜୟପୋଖାଲ ଚନ୍ଦନ କାଠ ଯୋଗାଣ ଉପରେ କଟକଣା ଲାଗିବା ପରେ ତାମିଲନାଡ଼ୁ ସରକାରଙ୍କଠାରୁ ଆଉ ଆଗଭଳି ଚନ୍ଦନକାଠ କ୍ରୟ କରିବାରେ ସୁବିଧା ନାହିଁ। ଏହି ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ବିକଳ୍ପ ଭାବେ ଓଡ଼ିଶାରେ ଉପଲବ୍ଧ ଚନ୍ଦନ କାଠ କ୍ରୟ କରି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବି ଏହି ପ୍ରସଙ୍ଗରେ ଜୋରଦାର ଆଲୋଚନା ହୋଇଥିଲା। ନିଜେ ମୁଖ୍ୟ ପ୍ରଶାସକ ବି ଏହି ପ୍ରସଙ୍ଗ ଉଠାଇଥିଲେ। ବିସ୍ତୃତ ଆଲୋଚନା ପରେ ଓଡ଼ିଶାରୁ ଚନ୍ଦନକାଠ କ୍ରୟ କରି ମହାପ୍ରଭୁଙ୍କ ନୀତିକାନ୍ତିରେ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ପ୍ରଶାସନ ପିସିସିଏଫ୍‌ଙ୍କୁ ଚିଠି ଲେଖିଛି। ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଆବଶ୍ୟକ ପଡ଼ୁଥିବା ଚନ୍ଦନ କାଠ ଯୋଗାଇ ଦେବାକୁ ନିବେଦନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଯେତିକି ପରିମାଣର ଜୟପୋଖାଲ ଚନ୍ଦନ କାଠ ମହଜୁଦ ରହିଛି, ତାହା ଆଗାମୀ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିରେ ଲାଗିଯିବ। କିନ୍ତୁ ଏହା ପରେ ଆବଶ୍ୟକ ଚନ୍ଦନକାଠ କ୍ରୟ କରାଯିବ। ସେଥିପାଇଁ ପିସିସିଏଫ୍‌ଙ୍କୁ ଚିଠି କରାଯାଇଛି ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର