ବିଜେପି ଛାଡ଼ିବେ ଜୟରାମ ପାଙ୍ଗୀ: ଦଣ୍ଡକାରଣ୍ୟ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇଁ ଲଢ଼ିବେ

ସରକାର କି ମାଓବାଦୀ ସଙ୍ଗଠନ ବି ଯୋଡ଼ି ହୋଇପାରିବେ59

କୋରାପୁଟ: ବିଜେପି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ଆଗକୁ କେଉଁ ଦଳରେ ଯୋଗଦେବେ ସେ ସ୍ପଷ୍ଟ କରିନାହାନ୍ତି। ତେବେ, ଦଣ୍ଡକାରଣ୍ୟ ଅଞ୍ଚଳକୁ ନେଇ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିବାକୁ ଉଦ୍ୟମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବି ସେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଆସନ୍ତା ୧୦ତାରିଖ ପୂର୍ବରୁ ସେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।

ଗତକାଲି ଦଣ୍ଡକାରଣ୍ୟ ବିକାଶ ପରିଷଦ ଭାବେ ନୂଆ ଅନୁଷ୍ଠାନ ଗଠନ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା, ଆନ୍ଧ୍ରର ବିଜୟନଗର ଓ ପାର୍ବତୀପୁରମ ଜିଲ୍ଲାର କିଛି ଅଂଶ ଏବଂ ଛତିଶଗଡ଼ର କିଛି ଅଂଶକୁ ନେଇ ନୂଆ କେନ୍ଦ୍ର ଶାସିତ ଅଞ୍ଚଳର ପରିକଳ୍ପନା କରି ଏହି ଅନୁଷ୍ଠାନକୁ ଆରମ୍ଭ କରାଯାଇଛି। ଏହି ସଂଗଠନ ସହ ଆଗକୁ କାମ କରିବାକୁ ଜୟରାମ ସ୍ଥିର କରିଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି ଯେ, ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଯେଉଁଭଳି ଭାବେ ଏହି ଅଞ୍ଚଳକୁ ବିକାଶ କରିବା କଥା କରୁନାହାନ୍ତି। ତେଣୁ ଦଣ୍ଡକାରଣ୍ୟ ରାଜ୍ୟ ପ୍ରତିଷ୍ଠା ଦାବିକୁ ପୁଣିଥରେ ଶାଣିତ କରାଯିବ। ଯଦି ପୂର୍ଣ୍ଣ ରାଜ୍ୟ ମାନ୍ୟତା ନମିଳୁଛି, କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଦାବି କରାଯିବ। ଏହି ଅଭିଯାନରେ ସ୍ବଇଚ୍ଛାରେ କେହି ସାମିଲ ହୋଇପାରିବେ। ଏପରିକି, ସରକାର କିମ୍ବା ମାଓବାଦୀ ସଂଗଠନ ଆମ ସହ ସମାନ ଦାବି ନେଇ ଯୋଡ଼ିହେବେ, ସ୍ବାଗତ କରାଯିବ ବୋଲି କହିଛନ୍ତି ଜୟରାମ।

ପୂର୍ଣ୍ଣ ରାଜ୍ୟ ବଦଳରେ କାହିଁକି କେନ୍ଦ୍ରଶାସିତ ଅଞ୍ଚଳ ଦାବି କରାଯିବ, ସେ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଜୟରାମ। ସେ କହିଛନ୍ତି, ଯଦି ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରାଯିବ, ଅନେକ କ୍ଷତି ହେବାର ଆଶଙ୍କା ରହିଛି। ସେହି କାରଣରୁ କେନ୍ଦ୍ରଶାସିତ ଅଞ୍ଚଳ ଦାବି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ, ଏହା ହେଉଛି ୪୦ ବର୍ଷ ତଳର ଦାବି। ଆଦୌ ଏବେକାର ନୁହେଁ। ସବୁକ୍ଷ‌େତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଛତିଶଗଡ଼ ଓ ଆନ୍ଧ୍ରର କିଛି ଅଞ୍ଚଳ ପଛୁଆ ହୋଇରହିଛି। ଖୁବ୍‌ଶୀଘ୍ର ଉପବିଧି ପ୍ରସ୍ତୁତ ହୋଇ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ବିଜେଡିର ପ୍ରତିଷ୍ଠା ହେବାଦିନଠାରୁ ଏଠାରେ ଦଳର ମଙ୍ଗ ସମ୍ଭାଳିଥିବା ଜୟରାମ ପାଙ୍ଗୀ ୨୦୧୭ ମସିହା ମେ ମାସରେ ଦଳ ଛାଡିଥିଲେ ଏବଂ ଏହାପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ ମସିହା ସାଧାରଣ ନିର୍ବାଚନରେ କୋରାପୁଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ୪୦ବର୍ଷ ହେଲା ସେ ଅଣକ˚ଗ୍ରେସ ରାଜନୀତିର ନେତୃତ୍ବ ନେଇ ଆସୁଥିଲେ। ବିଜୁବାବୁଙ୍କ ନେତୃତ୍ବରେ ସକ୍ରିୟ ରାଜନୀତିକୁ ଆସିଥିବା ଜୟରାମ ଜନତାଦଳ ସରକାରରେ ମନ୍ତ୍ରୀ ମଧୢ ହୋଇଥିଲେ। ଉଭୟ କୋରାପୁଟ ଓ ରାୟଗଡା ଜିଲ୍ଲାରେ ତାଙ୍କର ରାଜନୈତିକ ପ୍ରଭାବ ରହିଥିଲା। ଅନ୍ୟପକ୍ଷରେ, ଜୟରାମ ଦଳ ପରିତ୍ୟାଗ କଲେ ସଙ୍ଗଠନକୁ ଆଦୌ ପ୍ରଭାବିତ କରିବ ନାହିଁ ବୋଲି ବିଜେପିରେ ଆଲୋଚନା ହେଉଛି। ତେବେ, ବିଜେପିର କୌଣସି ନେତା ନିର୍ଦ୍ଦିଷ୍ଟ ଭାବେ ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ସମ୍ବନ୍ଧିତ ଖବର