ବିଜେଡିକୁ ଫେରି ପାରନ୍ତି ପାଙ୍ଗି, ଚାଲିଛି ଲାଭକ୍ଷତିର ଅଙ୍କକଷା

କୋରାପୁଟ : ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି ପୁଣି ଘରବାହୁଡ଼ା କରିବେ କି ? ଦୁଇ ଦିନ ପୂର୍ବେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କୋରାପୁଟରେ ପାଙ୍ଗିଙ୍କ ବାସଭବନକୁ ଯାଇ ଆଲୋଚନା କରିବା ପରେ ଦଳରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଯଦିଓ ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ଜୟରାମ ପାଙ୍ଗିଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ତେବେ ଦଳୀୟ କର୍ମୀ ମହଲରେ ପାଙ୍ଗିଙ୍କ ଲେଉଟାଣିକୁ ନେଇ ଆଲୋଚନା ଜୋର୍ ଧରିଛି । ପାଙ୍ଗି ଦଳକୁ ଫେରିଲେ ଲାଭ କେତେ, କ୍ଷତି କେତେ ତାହାର ଅଙ୍କକଷା ଚାଲିଛି। ବିଜେଡିରେ ଥିବା କିଛି ପାଙ୍ଗି ସମର୍ଥକ ଅଧିକ ଉତ୍ସାହିତ ହୋଇପଡ଼ିଥିବା ବେଳେ ପାଙ୍ଗି ବିରୋଧୀ କିନ୍ତୁ ଫେରିବା ବାଟକୁ ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ବିଜେଡି ଶିବିରରେ ଏଭଳି ଚିତ୍ର ଦେଖିବାକୁ ମିଳୁଥିବା ବେଳେ ବିଜେପି ପାଙ୍ଗିଙ୍କ ଗତିବିଧିକୁ ତୀକ୍ଷ୍ମ ନଜରରେ ରଖିଥିବା ସୂଚନା ମିଳିଛି ।

କୋରାପୁଟ ଜିଲ୍ଲା ରାଜନୀତିରେ ଜଣେ ଟାଣୁଆ ନେତା ଜୟରାମ ପାଙ୍ଗି ଜଣେ କଂଗ୍ରେସ ବିରୋଧୀ ବ୍ୟକ୍ତି ଭାବେ ପରିଚିତ। ଜନତା ଦଳ ସମୟରୁ ସେ ବିଜୁ ଅନୁଗତ ଭାବେ କାମ କରିଆସୁଥିଲେ । ବିଜେଡି ଗଠନ ହେବା ପରଠାରୁ ସେ ଦଳରେ ରହି କୋରାପୁଟ ଜିଲ୍ଲାର ସଭାପତି ଭାବେ କାର୍ଯ୍ୟ କରିବା ସହ ଦଳୀୟ ଟିକଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭାପତି ଚୟନକୁ ନେଇ ଦଳୀୟ ନେତାଙ୍କ ସହ ତାଙ୍କର ମତଭେଦ ହୋଇଥିଲା ଏବଂ ସେ ଦଳୀୟ ନେତାଙ୍କ ବିରୋଧରେ ସେ କଡ଼ା ଟିପ୍ପଣୀ ଦେଇ ଦଳରୁ ନିଲମ୍ବିତ ହୋଇଥିଲେ । ନିଲମ୍ବନ ଆଦେଶ ଉଠାଇବାର ବିଳମ୍ବ ହେବାରୁ ସେ ପଦ୍ମ ପୋଖରୀକୁ ଡେଇଁଥିଲେ। ବିଜେପି ତାଙ୍କୁ କୋରାପୁଟ ସଂସଦୀୟ ଆସନରୁ ଟିକେଟ ଦେଇଥିଲା। ତେବେ ନିର୍ବାଚନରେ ପାଙ୍ଗିଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଅବଶ୍ୟ ବିଜେଡି ଭୋଟରେ ଭାଗ ବସାଇ ଏହାକୁ ହରାଇବାରେ ସେ ସଫଳ ହୋଇଥିଲେ।

ନିର୍ବାଚନରେ ପରାଜୟ ପରେ ପାଙ୍ଗିଙ୍କ ରାଜନୈତିକ ଜୀବନ ଶୀଥିଳ ପଡ଼ିଥିବା ବେଳେ ବବିଙ୍କ ସହ ଆଲୋଚନା ପୁଣି ପାଙ୍ଗିଙ୍କୁ ଚର୍ଚ୍ଚାକୁ ଆଣିଦେଇଛି । କୋରାପୁଟ ବାସଭବନରେ ପ୍ରଣବ ପ୍ରକାଶ ଦାଶଙ୍କ ସମେତ କୋରାପୁଟ ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା ଓ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ ଭେଟିଥିଲେ। ପାଙ୍ଗି ସପକ୍ଷବାଦୀଙ୍କ ଦାବି ହେଲା, ପାଙ୍ଗି ହେଉଛନ୍ତି ବିଜୁ ପରିବାର ଲୋକ। ଆଗରୁ ବି‌ଜେଡିକୁ ଫେରିବା ନେଇ ମଧ୍ୟ ସେ ଇଙ୍ଗିତ ଦେଇଥି‌ଲେ। କିନ୍ତୁ ବିଜେଡି ନେତୃତ୍ବ ଏହାକୁ ଗୁରୁତ୍ବ ଦେଇ ନ ଥିଲା। ବିଜେଡି ରାଜନୀତିରେ ପାଙ୍ଗିଙ୍କର ଦୀର୍ଘଦିନର ଅଭିଜ୍ଞତା, କୋରାପୁଟ ସଂସଦୀୟ କ୍ଷେତ୍ରରେ ତାଙ୍କର ଅନୁଭବ ବିଜେଡିକୁ ଆଗାମୀ ଦିନରେ ସହାୟକ ହେବ ବୋଲି କହିଛନ୍ତି । କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ଆଗ ଅପେକ୍ଷା ଅଧିକ ଦୃଢ଼ ହେବ ବୋଲି କହୁଛନ୍ତି । ଅନ୍ୟ ଗୋଷ୍ଠୀଙ୍କ ଯୁକ୍ତି ହେଲା, ସେ ଫେରିଲେ ଦଳରେ ଗୋଷ୍ଠୀ ବିବାଦ ବଢିବାର ଆଶଙ୍କା ରହିଛି। ପାଙ୍ଗିଙ୍କୁ ଦଳରେ ନେବାକୁ ସହଜରେ ଗ୍ରହଣ କରି ନପାରନ୍ତି ରାଜ୍ୟସଭା ସାଂସଦ ଭାସ୍କର ରାଓଙ୍କ ଗୋଷ୍ଠୀ। ପୂର୍ବତନ ସାଂସଦ ଝିନ୍ନ ହିକକା ମଧ୍ୟ ବିରୋଧ କରିବାର ସମ୍ଭାବନା ରହିଛି। କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀ ଖୋଲାଖୋଲି ବିରୋଧ ନକଲେ ମଧ୍ୟ ମିଶ୍ରଣକୁ ସମ୍ପୂର୍ଣ୍ଣ ସମର୍ଥନ କରିବାର ସମ୍ଭାବନା କମ୍‌ ରହିଥିବା ବିରୋଧୀ ଗୋଷ୍ଠୀ କହୁଛନ୍ତି। ପାଙ୍ଗିଙ୍କ ଘର ବାହୁଡ଼ାରେ ଜୟପୁର ନେତାମାନେ ବେଶ ଖୁସି ‌ହେବେ। ପାଙ୍ଗିଙ୍କ ସହ ପୁରୁଣା ସଂପର୍କ ଆଧାରରେ ସମର୍ଥନ ପାଇବାକୁ ସେମ‌ାନେ ଆଶା କରୁଛନ୍ତି। ବିଜେଡିରେ ପାଙ୍ଗିଙ୍କ ସମର୍ଥକ ଓ ଅନୁଗାମୀ ତାଙ୍କ ଫେରିବା ବାଟକୁ ଅନାଇ ରହିଥିବାବେଳେ ବିରୋଧୀ ତାଙ୍କ ବିରୋଧରେ ମନ୍ତ୍ରଣା ଆରମ୍ଭ କଲେଣି। ମେଳି ବାନ୍ଧି ପାଙ୍ଗିଙ୍କ ଫେରିବା ବାଟକୁ ବନ୍ଦ କରିବାର ରାସ୍ତା ଖୋଜୁଛନ୍ତି। କିନ୍ତୁ ଖୋଲାଖୋଲି କେହି ମୁହଁ ଖୋଲୁ ନାହାନ୍ତି। ଏନେଇ ଜିଲ୍ଲା ବିଜେଡି ସଭାପତି ଈଶ୍ବର ପାଣିଗ୍ରାହୀଙ୍କୁ ପଚାରିବାରୁ ପାଙ୍ଗି ବାବୁ ଜଣେ ବରିଷ୍ଠ ନେତା। ତାଙ୍କୁ ଦଳକୁ ଫେରାଇ ଅଣାଯିବ କି ନ‌ାହିଁ ତାହା ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ। ଦଳର ସଭାପତି ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର