୮ ବର୍ଷ ପରେ ମହିଳାଙ୍କ କଙ୍କାଳ ମିଳିବା ଘଟଣା : ତ୍ବରିତ ନ୍ୟାୟ ପାଇଁ ଡିଜିଙ୍କୁ ନିବେଦନ କଲେ ଝିଅ

ଭୁବନେଶ୍ବର : ସମ୍ବଲପୁର ନନ୍ଦପଡ଼ା ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ମୃତ ଜୟଶ୍ରୀଙ୍କ କନ୍ୟା ବିଜୟିନୀ ମିଶ୍ର ଆଜି ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ନିବେଦନ କରିଛନ୍ତି।

ପୁଲିସର ଅବହେଳା ପାଇଁ ଅପରାଧୀକୁ ଧରିବା ପାଇଁ ୮ ବର୍ଷ ଲାଗିଥିବା ବେଳେ ଦଣ୍ଡ ପ୍ରଦାନରେ ଆଉ ବିଳମ୍ବ କରା ନ ଯାଉ ବୋଲି ବିଜୟିନୀ ଅନୁରୋଧ କରିଛନ୍ତି। କିଭଳି ଅତି କମ୍‌ ସମୟରେ ଚାର୍ଜସିଟ୍‌ ଦାଖଲ ହେବ, କଙ୍କାଳର ଫରେନ୍‌ସିକ୍‌ ରିପୋର୍ଟ କିଭଳି ଶୀଘ୍ର ଆସିବ, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପାଇଁ ପୁଲିସ ତଦନ୍ତ ଓ ଚାର୍ଜସିଟ୍‌ରେ କିଭଳି କୌଣସି ଦୁର୍ବଳତା ରଖିବ ନାହିଁ, ଏ ସବୁ ଉପରେ ଧ୍ୟାନ ଦେବାକୁ ସେ ଲିଖିତ ଭାବେ ଡିଜିଙ୍କୁ ଜଣାଇଛନ୍ତି। ତା’ଛଡ଼ା ଯେଉଁ ପୁଲିସ ଅଧିକାରୀଙ୍କ ଅବହେଳାରୁ ଅଭିଯୁକ୍ତ ଧରାପଡ଼ିବା ପାଇଁ ୮ ବର୍ଷ ଗଲା, ମା’ଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ପରିବାରବର୍ଗ ଅପବାଦ ମୁଣ୍ଡାଇଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଗୁହାରି କରିଛନ୍ତି। ଅନ୍ୟପଟେ ପୁଲିସ ଡିଜି ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଏ ନେଇ ପୁଲିସ ତତ୍ପର ଥିବା ଡିଜି ଶ୍ରୀ ଶର୍ମା କହିଛନ୍ତି। କୌଣସି ପରିସ୍ଥିତିରେ ମାମଲାକୁ ଅବହେଳା କରାଯିବ ନାହିଁ। ଜଣେ ଉଚ୍ଚପଦସ୍ଥ ଅଧିକାରୀ ମାମଲାର ତଦାରଖ କରୁଛନ୍ତି। ଯଥାଶୀଘ୍ର ସମ୍ଭବ ଚାର୍ଜସିଟ୍‌ ଦାଖଲ ସହ ତୁରନ୍ତ ବିଚାର ପାଇଁ ଅନ୍ୟ ସମସ୍ତ ଆନୁଷ୍ଠାନିକ କାର୍ଯ୍ୟ କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁରର ଝିଅ ଜୟଶ୍ରୀ ମିଶ୍ର ୨୦୧୧ ନଭେମ୍ବର ୨୫ ତାରିଖ ଦିନ ନିଜ ଝିଅ ବାହାଘର ନିମନ୍ତ୍ରଣ ପତ୍ର ଦେବା ପାଇଁ ଦୂର ସମ୍ପର୍କୀୟ ଭିଣୋଇ ବସନ୍ତ ପଣ୍ଡାଙ୍କ ଘରକୁ ଯାଇ ନିଖୋଜ ହୋଇ ଯାଇଥିଲେ। ବସନ୍ତଙ୍କ ନାମରେ ଟାଉନ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ଏହାର ତଦନ୍ତ କରି ନ ଥିଲା। ବରଂ ଜୟଶ୍ରୀ ବସନ୍ତଙ୍କ ସହ କୁଆଡ଼େ ପଳାଇ ଯାଇଛନ୍ତି ବୋଲି ଦର୍ଶାଇ ଚୁପ୍‌ ବସି ଯାଇଥିଲା। ସେତେବେଳେ ଟାଉନ ଥାନା ଆଇଆଇସି ଆର୍‌ଏନ୍‌ ଦେଓ ରହିଥିଲେ। ଆଇଆଇସି ଅବହେଳା କରୁଥିବାରୁ ତତ୍‌କାଳୀନ ଏସ୍‌ପି ନିଖିଲ କାନୋଡ଼ିଆଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥି‌ଲେ। ସବୁଆଡ଼ୁ ନିରାଶ ହେବା ପରେ ଝିଅ ବିଜୟିନୀ ମିଶ୍ର ଏ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ଆର୍‌ଟିଆଇ ବଳରେ ତଥ୍ୟ ମାଗିବା ପରେ ପୁଲିସ ତତ୍ପର ହୋଇ ଘଟଣାର ୮ ବର୍ଷ ପରେ ଅଭିଯୁକ୍ତ ବସନ୍ତକୁ ଗିରଫ କରିବା ସହ ମୃତ ଜୟଶ୍ରୀଙ୍କ କଙ୍କାଳ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର