ଜୟଶ୍ରୀ ମିଶ୍ର ହତ୍ୟା ଘଟଣା : ୪ ଦିନ ପରେ ମିଳିଲା ଖପୁରି ହାଡ଼

ସମ୍ବଲପୁର : ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ଶୁକ୍ରବାର ପୁଲିସ୍‌କୁ ତାଙ୍କର ଖପୁରି ହାଡ଼ର କିଛି ଅଂଶ ମିଳିଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା ଓ ଶବ ପୋତିବା ପାଇଁ ଗାତ ଖୋଳିଥିବା ବଡ଼ସିଂହାରୀ ଗ୍ରାମର ଚୈତନ୍ୟ କୁଅଁରଙ୍କ ସୂଚନା ମୁତାବକ ଶୁକ୍ରବାର ପୁଲିସ୍‌ ମହୁଲମୁଣ୍ଡାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜେସିବି ଦ୍ବାରା ମାଟି ତାଡ଼ିଥିଲା। ପ୍ରାୟ ୩ ଘଣ୍ଟା ଖୋଳା ‌ଖୋଳି ପରେ ୪ ଫୁଟ ଗଭୀରରୁ ମୃତ ଜୟଶ୍ରୀଙ୍କ ଖପୁରି ହାଡ଼ର କିଛି ଅଂଶ ମିଳିଥିଲା। ତେବେ ଘଟଣାକୁ ଇତି ମଧ୍ୟରେ ୮ ବର୍ଷ ବିତି ଯାଇଥିବା ବେଳେ ଓ ପୋତିବା ପୂର୍ବରୁ ଶବରେ ଏସିଡ୍‌ ଓ ଲୁଣ ପକାଯାଇଥିବାରୁ ଶରୀରର ସମସ୍ତ ଅଂଶ ମାଟି ହୋଇସାରିଥିଲା। ବିଜ୍ଞାନ ମତାନୁସାରେ ଚୂଟିର ‌କୌଣସି କ୍ଷତି ହେଉନଥିଲେ ମଧ୍ୟ ଏହି ଘଟଣାରେ ହୁଏତ ଏସିଡ ପକାଇବା ଦ୍ବାରା ତାହା ପୋଡ଼ି ଯାଇଥିବା ଅନୁମାନ କରାଯାଉଛି।

ମୃତ ଜୟଶ୍ରୀଙ୍କ ଝିଅ ବିଜୟିନୀ ଓ ପୁଅ ଭବାନୀଙ୍କ ଉପସ୍ଥିତିରେ ସଦର ଏସ୍‌ଡିପିଓ, ଟାଉନ୍‌ ଥାନା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଖୋଳାଖୋଳି କରିଥିଲେ। ଘଟଣାସ୍ଥଳରୁ ଜବତ ହୋଇଥିବ‌ା ଖପୁରି ହାଡ଼ର କିଛି ଅଂଶକୁ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ସମ୍ବଲପୁର ସଦର ସହକାରୀ ତହସିଲଦାର ସରୋଜା ବେ‌ହେରାଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌ ପକ୍ଷରୁ ସିଲ୍‌ କରାଯାଇ ଚିହ୍ନଟ ପାଇଁ ବୁର୍ଲାସ୍ଥିତ ଏଫ୍‌ଏମ୍‌ଟିକୁ ପଠାଯାଇଥିଲା। ସେଠାରୁ ଉକ୍ତ ହାଡ଼ର ସବିଶେଷ ତଥ୍ୟ ହାସଲ ହେବା ପରେ ଭୁବନେଶ୍ବର ରସୁଲଗଡ଼ ସ୍ଥିତ ଟେଷ୍ଟିଂ ଲାବ୍ରୋଟାରିକୁ ପଠାଯିବ ବୋଲି ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ସୂଚନା ଦେଇଛନ୍ତି।

ଉଲ୍ଳେଖଯୋଗ୍ୟ, ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ଗିରଫ କରିବା ପରେ ସେ କହିବାନୁସାରେ ବଡ଼ସିଂହାରୀ ଗ୍ରାମର ବିଭିନ୍ନ ସ୍ଥାନରେ ଯାଇ ୪ ଦିନ ହେବ ପୁଲିସ୍‌ ଖୋଳାଖୋଳି କରୁଥିଲା।

ସମ୍ବନ୍ଧିତ ଖବର