ଜୟଶ୍ରୀ ମିଶ୍ର ମାମଲା : ପୁଣି ମାଟି ତଳୁ ଦେହବାଶେଷ ଖୋଜିବ ପୁଲିସ୍‌

ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ଅଭିଯୁକ୍ତଙ୍କ ପରିବାର ସଦସ୍ୟ

ସମ୍ବଲପୁର : ସମ୍ବଲପୁର ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ପୁଣି ଖୋଜା ହେବ ଦେହବାଶେଷ । ଏ ନେଇ ଶୁକ୍ରବାର ସକାଳେ ଏସଡିପିଓ ଭବାନୀ ଉଦଗାତା, ଟାଉନ ଥାନା ଅଧିକାରୀ ରମେଶ ଦୋରାଙ୍କ ସହିତ ଏଫଏମଟି ପ୍ରଫେସର ଏବଂ ଡେପୁଟି ଡାଇରେକ୍ଟର ଆରଏଫଏସଏଲ ଘଟଣାସ୍ଥଳକୁ ଯାଇ ସ୍ଥିତି ଦେଖିଥିଲେ। ତେବେ, ଏଥିପାଇଁ କେବେ ଗାତ ଖୋଳାଯିବ ସେ ସଂପର୍କରେ ପରେ ନିଷ୍ପତ୍ତି ହେବ। ଅନ୍ୟଦିଗରେ ଏହି ମାମଲାରେ ହତ୍ୟା ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କ ପରିବାର ସହିତ ତାଙ୍କ ଘନିଷ୍ଠ ବନ୍ଧୁ, ଗାତ ଖୋଳିଥିବା ଚୈତନ୍ୟ କୁଅଁରଙ୍କ ସମେତ ସମୁଦାୟ ୯ ଜଣଙ୍କୁ ଏସପି ପଚରାଉଚରା କରିଛନ୍ତି। ଏହି ମାମଲାରେ ବସନ୍ତ ଏକୁଟିଆ ଥିଲା ନା ତାଙ୍କର କେହି ସହଯୋଗୀ ଥିଲେ, ସେ ସଂପର୍କରେ ଏସପି ତଦନ୍ତ କରୁଛନ୍ତି।

୨୦୧୧ ମସିହାରେ ନିଖୋଜ ସମ୍ବଲପୁର ନନ୍ଦପଡ଼ା ଜୟଶ୍ରୀ ମିଶ୍ରଙ୍କ ଖପୁରି ହାଡ଼ ଜୁଲାଇ ୨୬ ତାରିଖ ବଡ଼ସିଂହାରିରୁ ଉଦ୍ଧାର କରିଥିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା, ସ୍ଥାନୀୟ ଅଧିବାସୀ ଚୈତନ୍ୟ କୁଅଁରଙ୍କ ଉପସ୍ଥିତିରେ ଗାତ ଖୋଳାଯାଇ ଏହି ଖପୁରି ହାଡ଼ ଉଦ୍ଧାର କରାଯାଇ ଥିଲା। ଫରେନସିକ୍‌ ଯାଞ୍ଚ ପରେ ଏହା ଜଣେ ମହିଳାଙ୍କ ବୋଲି ସ୍ପଷ୍ଟ ହୋଇଛି। ଏଥିସହିତ ଡିଏନଏ ରିପୋର୍ଟ ପାଇଁ ଜୟଶ୍ରୀଙ୍କ ଝିଅ ଏବଂ ପୁଅ ଠାରୁ ରକ୍ତ ନମୁନା ଭୁବନେଶ୍ବରସ୍ଥିତ ରାଜ୍ୟ ଫରେନସିକ ସାଇନ୍ସ ଲେବୋଟୋରିକୁ ପଠାଯାଇଛି। ଏତିକିରେ ତଦନ୍ତ ସ୍ପଷ୍ଟ ହୋଇ ପାରୁ ନାହିଁ। ଏହା ଏକ ୮ ବର୍ଷ ପୁରୁଣା ମାମଲା। ତେଣୁ ବୈଷୟିକ ଦୃଷ୍ଟିକୋଣରୁ ତଦନ୍ତକୁ ଆହୁରି ବଳିଷ୍ଠ କରିବା ପାଇଁ ଦେହାବଶେଷର ଆଉ କିଛି ଅଂଶର ଆବଶ୍ୟକତା ରହିଥିବା ଫରେନସିକ ଟିମ କହିଛି। ଅନ୍ୟଦିଗରେ ହତ୍ୟାକାଣ୍ଡ ପରେ ବସନ୍ତ ପଣ୍ଡା ପୁଟ୍ଟପର୍ତ୍ତି ଯାଇଥିବା ଜଣାପଡ଼ିଛି। ସେଠାରେ ସେ କେଉଁଠିକୁ ଗଲେ, କେଉଁଠି ରହିଲେ ଏହା ଜାଣିବା ପାଇଁ ଏକ ଟିମ ସେଠାକୁ ଯିବ ବୋଲି ଜଣାପଡ଼ିଛି।

ପୁଲିସର କହିବାନୁସାରେ, ବସନ୍ତ ପଣ୍ଡାଙ୍କ ସହିତ ଜୟଶ୍ରୀଙ୍କ ବଚସା ପରେ ଉତ୍ୟକ୍ତ ହୋଇ ବସନ୍ତ ଜୟଶ୍ରୀଙ୍କୁ ହତ୍ୟା କରିଛି। କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ଏକ ସୂତ୍ରରୁ ଜାଣିବାକୁ ପାଇଛି। ୨୦୧୧ ମସିହାରେ ଯେଉଁ ଦିନ ଜୟଶ୍ରୀ ନିଖୋଜ ହୋଇଥିଲେ ସେହି ଦିନ ସକାଳେ ଏକ ଗାତ ଖୋଳାଯାଇଥିବା କୁହାଯାଉଛି। ଜୟଶ୍ରୀ ହତ୍ୟାକାଣ୍ଡରେ ବସନ୍ତ ଏକୁଟିଆ ଥିଲେ ନା ଅନ୍ୟ କେହି ତାଙ୍କୁ ସହଯୋଗ କରିଥିଲେ ସେ ନେଇ ତନାଘନା ଚାଲିଛି। ଅନ୍ୟଦିଗରେ ବସନ୍ତଙ୍କ ପରିବାରର ସମସ୍ତେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର