ଜୟଶ୍ରୀ ମିଶ୍ର ହତ୍ୟା ମାମଲା: ବିଜୟିନୀଙ୍କୁ ଅଢ଼େଇ ଘଣ୍ଟା ଜେରା

ସମ୍ବଲପୁର: ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ବଲପୁର ଜିଲ୍ଲା ଅତିରିକ୍ତ ଦୌରା ଜଜ୍‌ଙ୍କ ଅଦାଲତରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଶୁଣାଣିରେ ମାମଲାର ଅଭିଯୋଗକାରିଣୀ ତଥା ଜୟଶ୍ରୀଙ୍କ ସାନ ଝିଅ ବିଜୟିନୀ ମିଶ୍ରଙ୍କୁ ପ୍ରତିପକ୍ଷ ଓକିଲ ହିମାଂଶୁ ପାଣିଗ୍ରାହୀ ଜେରା କରିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଜବାବସୁଆଲ୍ ଚାଲିଥିଲା। ଆଜି ପ୍ରଥମଥର ପାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାକୁ କୋର୍ଟରେ ହାଜର କରା ଯାଇଥିଲା। ସ୍ବର୍ଗୀୟା ଜୟଶ୍ରୀଙ୍କ ପୁଅ ଭବାନୀ ମିଶ୍ର ମଧ୍ୟ ଅଦାଲତରେ ଉପସ୍ଥିତ ଥିଲେ।

ସରକାରଙ୍କ ପକ୍ଷରୁ ଆଇନ୍‌ଜୀବୀ ମହମ୍ମଦ ସାବିର ଅହମ୍ମଦ ଏହି ମାମଲା ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ, ୨୦୧୧ ମସିହାରେ ଘଟିଥିବା ଏହି ସମ୍ବେଦନଶୀଳ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ବିଭାଗର ଅପାରଗତା କାରଣରୁ ଦୀର୍ଘ ୮ ବର୍ଷ ପରେ ୨୦୧୯ରେ ମାମଲା ରୁଜୁ ହୋଇଥିଲା। ୮ ବର୍ଷ ଧରି ପୁଲିସ୍ ଜୟଶ୍ରୀଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିବା ବଦଳରେ ସେ ନିଖୋଜ ଥିବା ଦର୍ଶାଇ ପୀଡ଼ିତ ପରିବାରକୁ ପରୋକ୍ଷରେ ଲାଞ୍ଛିତ କରି ଚାଲିଥିଲା। ତେବେ ଜୟଶ୍ରୀଙ୍କ ଝିଅ ବିଜୟିନୀ ସବୁ ପ୍ରତିକୂଳ ପରିସ୍ଥିତିରେ ଲଢ଼େଇ କରି ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହ ତାଙ୍କ ମାଆଙ୍କ ହତ୍ୟା ହୋଇଥିବା ପ୍ରମାଣିତ କରିଥିଲେ। ୨୦୧୯ରେ ପୁଲିସ୍ ହତ୍ୟାକାଣ୍ଡକୁ ସ୍ବୀକାର କରିବା ସହ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା।

ତେବେ ହତ୍ୟା ରହସ୍ୟ ଉନ୍ମୋଚନ ହେବା ପରେ ବି ପୁଲିସ୍‌ ମାମଲାକୁ ଯେଭଳି ଗୁରୁତ୍ବର ସହ ନେବା କଥା ନେଲା ନାହିଁ। ଓଲଟି ହତ୍ୟା ରହସ୍ୟ ଉନ୍ମୋଚନରେ ପ୍ରମୁଖ ଭୂମିକା ନେଇଥିବା ତତ୍କାଳୀନ ଏସ୍‌ଡିପିଓଙ୍କୁ ଅନ୍ୟତ୍ର ବଦଳି କରି ଦିଆଗଲା। ପୁଲିସ୍‌ର ଢିଲା ଆଭିମୁଖ୍ୟ ମଧ୍ୟରେ ୩ ବର୍ଷର ବ୍ୟବଧାନ ପରେ ଏହି ସମ୍ବେଦନଶୀଳ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ରୁ ମାଆଙ୍କୁ ହରାଇଲୁ, ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷା ପରେ ଆଜି ବିଚାର ପ୍ରକ୍ରିୟା ଆରମ୍ଭ ହେବା ଆମ ଭାଇଭଉଣୀଙ୍କୁ ବେଶ ସନ୍ତୁଷ୍ଟି ଦେଇଛି। ଅଦାଲତଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ବାସ ରହିଛି ଓ ମୋ’ ମାଆଙ୍କୁ ନ୍ୟାୟ ମିଳିବ ବୋଲି ଶୁଣାଣି ପରେ ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ବିଜୟିନୀ କହିଛନ୍ତି। ଜଣେ ଛାତ୍ରୀ ଓ ଗବେଷିକା ଭାବେ ମାଆଙ୍କୁ ନ୍ୟାୟ ପାଇଁ ଲଢ଼େଇ କରି ଆସିଥିବା ବିଜୟିନୀ ଇତି ମଧ୍ୟରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସୋସିଓଲଜିରେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ନିଯୁକ୍ତି ପାଇଛନ୍ତି। ସେ ମଧ୍ୟ ଜେଏନ୍‌ୟୁରୁ ପିଏଚ୍‌ଡି ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର