ଅଷ୍ଟମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଜୟଶ୍ରୀ

ଚାଲି ଚାଲି ପ୍ରଚାର

ସମ୍ବଲପୁର : ସରପଞ୍ଚ ଠାରୁ ଲୋକସଭା ପର୍ଯ୍ୟନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ୭ ଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ସାରିଛନ୍ତି ସମ୍ବଲପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଜୟଶ୍ରୀ ମିଶ୍ର(୫୭)। ୧୯୯୫ ମସିହା ଠାରୁ ଲଗାତାର ବିଧାନସଭା ପ୍ରାର୍ଥୀ ହୋଇ ଆସୁଥିବାବେଳେ ଏବେ ଅଷ୍ଟମ ଥର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମାଇକ ଏବଂ ଛତାଟିଏ ଧରି ପ୍ରଚାର ଚଳାଇଛନ୍ତି ସେ। ଜୟଶ୍ରୀ କହନ୍ତି, ୧୯୮୦ ମସିହାରେ ମ୍ୟୁନିସିପାଲଟିର ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ତତକାଳୀନ ଜଣେ ଯୁବ ନେତାଙ୍କ ଗୁଣ୍ଡାଗିରୀ ଯୋଗୁଁ ୩ ବର୍ଷ ପରେ ଚାକିରି ଛାଡ଼ିବାକୁ ପଡ଼ିଥିଲା। ୧୯୮୪ ମସିହାରେ ସୁବନପୁର ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚନ ଲଢିଥିଲେ। ଏହାପରେ ୧୯୮୯ ମସିହାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ। ୧୯୯୫ ମସିହାରେ ପ୍ରଥମ କରି ସ୍ବାଧୀନ ବିଧାୟକ ପ୍ରାର୍ଥୀ ହୋଇ ଚର୍ଚାରେ ରହିଥିଲେ। ୨୭୦୧ଟି ଭୋଟ ପାଇଥିଲେ। ସମାଜବାଦୀ ଆଦର୍ଶର ଚିନ୍ତାନାୟକ କିସନ ପଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି ପ୍ରତି ଆଗ୍ରହ କରିଥିବା କହନ୍ତି ଜୟଶ୍ରୀ। ସ୍ବତନ୍ତ୍ର ରାଜ୍ୟ ଗଠନ ଆନ୍ଦୋଳନ ସମେତ ସମ୍ବଲପୁରରେ ହେଉଥିବା ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ସେ ଭାଗ ନେଇ ଥାଆନ୍ତି। ରହିବାକୁ ଘର ନାହିଁ କେତେବେଳେ କେଉଁ ମନ୍ଦିର ତ କେତେବେଳେ କେଉଁ ଅଫିସ ବାରଣ୍ଡାରେ ରହନ୍ତି। କିନ୍ତୁ ନିର୍ବାଚନ ଲଢିବାର ନିଶା ଯାଇ ନାହିଁ।

ସମସ୍ତ ପ୍ରାର୍ଥୀଙ୍କ ସହିତ ପିଏସଓ ରହୁଥିବାବେଳେ ତାଙ୍କ ପିଏସ୍‌ଓ ନାହାନ୍ତି। ପୂର୍ବରୁ ଅନେକ ସମୟରେ ପିଏସଓ ତାଙ୍କୁ ସାଇକେଲରେ ବୁଲାଉଥିବା ଅନୁଭବ ମଧ୍ୟ ରହିଛି। ଆବଶ୍ୟକ ହେଲେ ଡାକିବ ପାଇଁ କହି ପିଏସ୍‌ଓ ଛାଡ଼ି ଚାଲି ଯାଇଥିଲେ। ଚଳିତ ବର୍ଷ ବିଜେପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ଆଗ୍ରହ କରିଥିଲେ। ମାତ୍ର ପ୍ରସ୍ତାବକ ନମିଳିବାରୁ ସେ ନାମାଙ୍କନ ଦାଖଲ କରିପାରିନଥିଲେ। ସମ୍ବଲପୁରର ପ୍ରତିନିଧିତ୍ବ କରିବାକୁ ସୁଯୋଗ ମିଳିଲେ, ଲୋକଙ୍କ ସ୍ବର ଉଠାଇବେ ବୋଲି କହନ୍ତି।

ସମ୍ବନ୍ଧିତ ଖବର