ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ପୁଲିସ ପୁଣି ଥରେ ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ଜୟବ୍ରତ ଦେ’ଙ୍କୁ ଗିରଫ କରିଛି। ସାମାଜିକ ଗଣମାଧ୍ୟମରେ ଧାର୍ମିକ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଡିଓ ବାର୍ତ୍ତା ପଠାଉଥିବା ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି। କୋର୍ଟରୁ ଜାମିନ ନହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଇପିସି ଧାରା ୧୫୩-ଏ(୧)(ସି), ୨୯୫-ଏ, ୧୮୮, ୨୯୮, ୪୬୭, ୪୬୮, ୪୮୨ ଓ ୫୦୬ରେ ମାମଲା ରୁଜୁକରି ତାଙ୍କୁ ଗିରଫ କରାଯାଇଛି।

Advertisment

ସେ ବାଇକ୍‌ରେ ଯାଉଥିବା ବେଳେ ଟାଙ୍ଗରପାଲି ପୋଲ ନିକଟରେ ପୁଲିସ ଟିମ୍‌ ତାଙ୍କୁ ଅଟକାଇବା ସହ ମୋବାଇଲ୍‌ ଯାଞ୍ଚ କରିଥିଲା। ସେହି ମୋବାଇଲ୍‌ର ହ୍ବାଟ୍ସଆପ୍‌ ମାଧ୍ୟମରେ ଅନେକ ଲୋକଙ୍କୁ ହିଂସା ସୃଷ୍ଟି କରୁଥିବା ଭଳି ବାର୍ତ୍ତା ପଠାଇଥିବା ଜଣାପଡ଼ିଥିଲା ବୋଲି ପୁଲିସ ପକ୍ଷରୁ କହାଯାଇଛି। ଉକ୍ତ ବାର୍ତ୍ତାରେ ରୋହିଙ୍ଗ୍ୟା ସମ୍ପ୍ରଦାୟର ଲୋକଙ୍କୁ ଟ୍ରେନ୍‌ରେ ପାର୍ସଲ କରି ବାଂଲାଦେଶ ପଠାଇଦେବାକୁ ସେ କହୁଛନ୍ତି। ପ୍ରତ୍ୟେକ ପୁଅ, ଝିଅ ଓ ମହିଳାଙ୍କୁ ଠେଙ୍ଗା ଧରି ବାହାରିବା ସହ ଜିଲ୍ଲା ସ୍କୁଲ୍‌ ଛକ ନିକଟରେ ଜମା ହୋଇ ଏକତାର ବଳ ଦେଖାଇବା ପାଇଁ ବାର୍ତ୍ତା ଦେଉଛନ୍ତି। ଆଗକୁ ହନୁମାନ ଜୟନ୍ତୀ ଆସୁଥିବାରୁ ଏଭଳି ଅଡିଓ ବାର୍ତ୍ତା ହିଂସା ସୃଷ୍ଟିକାରିବାର ଆଶଙ୍କା ଥିବା ପୁଲିସ ପକ୍ଷରୁ କହାଯିବା ସହ ମଙ୍ଗଳବାର ଜୟବ୍ରତଙ୍କୁ ଗିରଫ କରାଯାଇଛି।