ବାଲେଶ୍ବର: ବାଲେଶ୍ବରର ଲୋକ ପର୍ବ ଜଉକଣ୍ଢେଇ ବହାଘର ଚଳିତବର୍ଷ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ବରର ନାମ ଜୟଦେବ ରଖାଯାଇଥିବା ବେଳେ କନ୍ୟାର ନାମ ପଦ୍ମାବତୀ ରଖାଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚନ୍ଦନ ପୂର୍ଣ୍ଣମୀ ଅବସରରେ ଲଗ୍ନଧରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସଦସ୍ୟମାନେ ସିନେମାଛକ ନିକଟରେ ଥିବା ସିଦ୍ଧିବିନାୟକ ମନ୍ଦିରରୁ ପୂଜାସାରି କନ୍ୟାଘରକୁ ବାହାରିଥିଲେ। ପରେ ସେମାନେ ମୋତିଗଞ୍ଜରେ ଥିବା ରାଧାକୃଷ୍ଣ ମନ୍ଦିର ନିକଟରେ ପହଞ୍ଚିଥିଲେ। କନ୍ୟାଘର ଭାବରେ ଅଖିଳ ଭାରତୀୟ ମାରୁୱାଡ଼ି ମହିଳା ସମ୍ମିଳନ ଓଡ଼ିଶା ପ୍ରଦେଶ ବାଲେଶ୍ବର ଶାଖାର ସଦସ୍ୟମାନେ ଦାୟିତ୍ବ ନେଇଛନ୍ତି।
ପାରମ୍ପରିକ ରୀତିରେ କନ୍ୟା ପଦ୍ମାବତୀଙ୍କୁ ସଜବାଜ କରିବା ପରେ ବ୍ରାହ୍ମଣ ପାରମ୍ପରିକ ରୀତିନୀତିରେ ଲଗ୍ନଧରା କାର୍ଯ୍ୟ ସଂପନ୍ନ କରିଥିଲେ। ବରକର୍ତ୍ତା ଭାବରେ କୃଷି ବିଭାଗର ପୂର୍ବତନ ଅଧିକାରୀ କୈଳାସ ଚନ୍ଦ୍ର ପରିଡ଼ା ଓ ତାଙ୍କ ପତ୍ନୀ ସୁପ୍ରିୟା ପରିଡ଼ା ଦାୟିତ୍ବ ଗ୍ରହଣ କରିଥିବା ବେଳେ କନ୍ୟାକର୍ତ୍ତା ଭାବେ ଦାୟିତ୍ବ ସମାପନ କରିଥିଲେ ମଦାନ ସେରାୱାଗି ଓ ତାଙ୍କ ପତ୍ନୀ ଅଞ୍ଜୁ ସେରାୱାଗି। ଏହି ଅବସରରେ ବରଘର ତରଫରୁ ଗଜା ଲଡ଼ୁ ଆଦି ଭାର କନ୍ୟା ଘରକୁ ପ୍ରଦାନ କରାଯାଇଥିଲା। ସେହିପରି କନ୍ୟାପେଡ଼ିରେ ସମସ୍ତ ପ୍ରକାର ସାମଗ୍ରୀ ଦିଆଯାଇଥିଲା। କନ୍ୟାଘର ପକ୍ଷରୁ ଚଳିତବର୍ଷରେ ୧୦୧ ଜଣ ନେତ୍ର ଦାନ ପାଇଁ ଡିମାଣ୍ତ କରାଯାଇଥିବା ବେଳେ ବରଘର ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ଆର୍ଥିକ ଅନଗ୍ରସର ପରିବାରର ୨ଟି କନ୍ୟାଙ୍କୁ ବିବାହ କରାଇବା ପାଇଁ ଦାବି ରଖାଯାଇଥିଲା।
ଆସନ୍ତା ମେ ୨୬ ତାରିଖରେ ଜୟଦେବ ଓ ପଦ୍ମାବତୀଙ୍କ ଶୁଭ ବିବାହ ସଂପନ୍ନ ହେବ। ବରଘର ପକ୍ଷରୁ ସଭାପତି ସୁବାସିନୀ ଜେନା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର, ସଂପାଦକ ଡ.କୁମାର ଗୋପାଲ, ସହସଂପାଦକ ରାଜେଶ ଗିରି, ରଘୁନାଥ ଲେଙ୍କା ସମେତ ସଦସ୍ୟ କେଶୁ ଦାସ, ହୃଷିକେଶ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ବ୍ୟୋମନାଥ ରଥ, ସୁଶାନ୍ତ କୁମାର ବେହେରା, କଟିଆ ସାହୁ, ମନସ୍ବିନୀ ଦେବୀ, ପ୍ରତିମା ପଣ୍ତା, ସଂଯୁକ୍ତା ଦାସ, ଡ.ପ୍ରଦୀପ ଭୌମିକ, ଡ.ଅରବିନ୍ଦ ଗିରି, ଇଂ.ହୃଷିକେଶ ସାହୁ, ଶିକ୍ଷାବିତ କଳିକିଙ୍କର ଦାସ, କନକଲତା ଦାସ, କାଞ୍ଚନବାଳା ପାତ୍ର, ଆଲୋକ ସାହୁ, ପରେଶ ଦାଶ, ସନ୍ତୋଷ ବିଶ୍ବାଳ, ଅଜସ୍ବିନୀ ମିଶ୍ର ରହିଛନ୍ତି।
ସେହିପରି କନ୍ୟାଘର ପକ୍ଷରୁ ସଭାପତି ପ୍ରିୟା ଅଗ୍ରୱାଲ, ସଂପାଦକ ସନୋଲ ମୋଦି, ଗୀତା ସମାନି, ଶିବୁ ପୋଦାର, ମନିଷା ମୋଦି, ଗୋପାଲ ଅଗ୍ରୱାଲ, ସୁଧା ଅଗ୍ରୱାଲଙ୍କ ସମେତ ସମସ୍ତ ସଭ୍ୟସଭ୍ୟା, ବହୁ ସାହିତ୍ୟିକ, ସାମ୍ବାଦିକ ଓ ସମାଜସେବୀ ଯୋଗ ଦେଇଥିଲେ। ବିମଳ କଣ୍ତା ଓ ଯୁଗଳକିଶୋର ଶର୍ମାଙ୍କ ପୌରୋହିତ୍ୟରେ ବିବାହ ଲଗ୍ନଧରା କାର୍ଯ୍ୟ ସଂପନ୍ନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/14-12.jpg)