ଜୟୀଙ୍କ ମୃତ୍ୟୁ ଖବର ପୋଷ୍ଟ କରିଥିବା ଯୁବକ କ୍ଷମା ମାଗିଲେ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ତଥା କମେଡିଆନ୍‌ ଜୟୀଙ୍କ ମୃତ୍ୟୁ ଖବର ସଂପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରିଥିବା ଯୁବକ ଜଣକ ଶେଷରେ ତାଙ୍କ ନିକଟରେ ହାତଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି। ଅଭିନୟରେ ଲକ୍ଷଲକ୍ଷ ହୃଦୟକୁ ଜୟ କରିଥିବା ଜୟୀରାମ ସାମଲଙ୍କୁ ବଞ୍ଚି ଥାଉଥାଉ ମାରିଦେବା ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବା କ୍ଷଣି ଭୀଷଣ କ୍ଷୋଭ ପ୍ରକାଶ ପାଇଥିଲା। ଏମିତି କି ଯେଉଁ ବ୍ୟକ୍ତି ଏହି ମିଛ ତଥ୍ୟକୁ ପୋଷ୍ଟ୍‍ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ସ୍ୱର ଉଠିଥିଲା।

ମଙ୍ଗଳବାର ‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ତଥ୍ୟ ଫଟୋ ସହ ପୋଷ୍ଟ୍‍ ହେବା ପରେ ଅନେକ କମେଣ୍ଟ୍‌ ଦେବା ବି ଆରମ୍ଭ କରିଦେଇଥିଲେ। ମାତ୍ର ନିଜ ଭୁଲ୍‌ ସ୍ୱୀକାର ପୂର୍ବକ ଏହି ପୋଷ୍ଟ୍‍ କରିଥିବା ଯୁବକ ଜଣକ ଜୟୀଙ୍କ କଟକସ୍ଥିତ ତୁଳସୀପୁର ବାସଭବନରେ ପୂର୍ବାହ୍‌ଣ ସାଢ଼େ ୧୨ଟା ପହଞ୍ଚି କ୍ଷମା ମାଗିଥିଲେ। ସେ ଭୁଲ୍‌ କ୍ରମେ ଏଭଳି କରିଦେଇଥିବା ସ୍ୱୀକାର କରିଥିବା ଜୟୀଙ୍କ ପୁତ୍ର ଜ୍ୟୋତି ରଂଜନ ସାମଲ୍‌ ସୂଚନା ଦେଇଛନ୍ତି। ଜୟୀ ମଧ୍ୟ ସଂପୃକ୍ତ ଯୁବକଙ୍କୁ କ୍ଷମା କରିଦେଇଛନ୍ତି।

ସୂଚନାଯୋଗ୍ୟ ମଙ୍ଗଳବାର ରାତିରେ ଏହିଭଳି ପୋଷ୍ଟ୍‍ ହେବା ପରେ ଜୟୀଙ୍କ ନିକଟକୁ ଶହଶହ ଫୋନ୍‌ ଆସିଥିଲା। ଏମିତି କି ତାଙ୍କ ଘରକୁ ଅନେକ ପ୍ରଶଂସକ ଧାଇଁ ଆସିଥିଲେ। ନିଜ ମୃତ୍ୟୁ ଖବରକୁ ନେଇ ସେ ଯେତିକି ଚିନ୍ତିତ ନଥିଲେ ନିଜ ପ୍ରଶଂସକଙ୍କୁ ଏହା ବିଶେଷ ଆଘାତ ଦେଇଥିବାରୁ ସେନେଇ ବେଶି କଷ୍ଟ ପାଉଥିଲେ ବୋଲି ଜୟୀ କହିଛନ୍ତି।

ସମ୍ବନ୍ଧିତ ଖବର