ଜୟନାରାୟଣ ମିଶ୍ରଙ୍କ ଗିରଫକୁ ବିଜେପିର ବିରୋଧ : ସବୁ ଥାନା ଆଗରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆରମ୍ଭ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରୀଙ୍କୁ କଡ଼ା ବିରୋଧ କରିଛି ବିଜେପି। ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଷଡ଼ଯନ୍ତ୍ର ପଛରେ ଥିବା ରହସ୍ୟ ଉପରେ ପରଦା ଢ଼ାଙ୍କି ଲୋକଙ୍କ ନଜର ହଟାଇବା ଲାଗି ଶ୍ରୀ ମିଶ୍ରଙ୍କୁ ଗିରଫ କରାଯାଇଛି। ଏହା ହୀନ ଷଡ଼ଯନ୍ତ୍ର। ବିଜେଡି ଏବେ ରକ୍ତମୁଖା ହୋଇଛି। ପଞ୍ଚାୟତ ନିର୍ବାଚନଠାରୁ ରାଜନୈତିକ ପ୍ରତିପକ୍ଷଙ୍କୁ ହତ୍ୟା କରାଯାଉଛି। ପୁଲିସ ଓ ପ୍ରଶାସନର ମନୋମୁଖୀ କାର୍ଯ୍ୟପନ୍ଥା ବିରୋଧରେ ବିଜେପିର କର୍ମକର୍ତାମାନେ ଆଜିଠାରୁ ସମସ୍ତ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିବେ ବୋଲି ସେ କହିଛନ୍ତି।

ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ଯେ ବିଜେପୁର ନିର୍ବାଚନ ସମୟରେ କେଉଁ ପରିପ୍ରେକ୍ଷୀରେ ହିଂସାକାଣ୍ଡ ଘଟିଲା ଓ ଘଟଣା ପଛର କାରଣ ଏବେ ବି ଅସ୍ପଷ୍ଟ। ଡାକ୍ତରଖାନାରେ ଆହତମାନେ ଭର୍ତି ହେବା ସମୟରେ କୌଣସି ଆହତଙ୍କ ଶରୀରରେ ଗୁଳି ବାଜି ନ ଥିବା ଓ ସମସ୍ତେ ସୁସ୍ଥ ଥିବା କୁହାଯାଇଥିଲା। କେଉଁ ପରିସ୍ଥିତିରେ ଦିଲେଶ୍ୱର ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଲା, କଟକ ବଡ ଡାକ୍ତରଖାନା ପଠାଇବାରେ କାହିଁକି ବିଳମ୍ବ ହେଲା ଓ ରାସ୍ତାରେ କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲେ ଏସବୁର ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରୁଛି। ଏହାସତ୍ତ୍ୱେ ପୁଲିସକୁ ଗୁଣ୍ଡା ଭାବେ ବ୍ୟବହାର କରି ତଦନ୍ତକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀ ପଣ୍ଡା ଆହୁରି କହିଲେ ପଞ୍ଚାୟତ ନିର୍ବାଚନ ସମୟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବୁଲୁ ପ୍ରଧାନ ଓ ଢ଼େଙ୍କାନାଳ ଜିଲ୍ଲାର ସଲମାନ ରାଉତଙ୍କ ସମେତ ଦଶରୁ ଅଧିକ ବିଜେପି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଶସକ ଦଳର ଗୁଣ୍ଡାମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର