ଜୟପୁର: ଗଛରେ କାର୍‌ ଧକ୍କା ଖାଇ ଗୋଟିଏ ପରିବାରର ୨ ମୃତ; ୩ ଆହତ

ଜୟପୁର: ଶୁକ୍ରବାର ଭୋର୍‌ ପ୍ରାୟ ସାଢ଼େ ଚାରିଟା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଟାପଯୋଡ଼ି ପାଖରେ ଏକ ଗଛରେ ଗୋଟିଏ କାର୍‌ ଧକ୍କା ଖାଇବା ଯୋଗୁଁ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଚୈତନ୍ୟ ମହାନ୍ତି ଏବଂ ତାଙ୍କ ପତ୍ନୀ। ଏବେ ଆହତମାନଙ୍କ ନାଁ ଜଣାପଡ଼ି ନାହିଁ।

ଗୋଟିଏ ପରିବାରର ସଦସ୍ୟମାନେ ଏକ ଧଳା କାର୍‌ ଯୋଗେ ଜୟପୁରରୁ ମାଲକାନଗିରି ଯାଉଥିଲେ। ଦ୍ରୁତ ବେଗରେ ଚାଲୁଥିବା ଗାଡ଼ିଟି ଏକ ବୁଲାଣିରେ ଠିକ୍‌ ଭାବେ ବୁଲି ନ ପାରିବାରୁ ରାସ୍ତାରୁ ହଟି ଯାଇ କଡ଼ରେ ଥିବା କୌଣସି ଏକ ଗଛରେ ଖୁବ୍‌ ଜୋର୍‌ରେ ପିଟି ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ ପୀଡ଼ିତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅଧିକ ଚିକିତ୍ସା ପାଇଁ ଆହତମାନଙ୍କୁ ସେଠାରୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚୈତନ୍ୟ ଓ ତାଙ୍କ ପତ୍ନୀ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ଅନ୍ୟ ତିନି ଆହତଙ୍କର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର