ରାୟଗଡ଼ା: ରାୟଗଡ଼ାର ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଜୟରାମ ଜେନା (୮୭)ଙ୍କ ଆଜି ପରଲୋକ ଘଟିଛି। ଅପରାହଣ୍ ୩ଟାରେ ରାମକୃଷ୍ଣ ନଗର ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପିଲାଟି ଦିନରୁ ଗାନ୍ଧୀଜୀ, ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଜୟରାମ ଅବିଭକ୍ତ କୋରାପୁଟ ସମେତ ଉପାନ୍ତ ଅଞ୍ଚଳରେ ଭୂଦାନ ଆନ୍ଦୋଳନ, ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଦିଗରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ।

Advertisment

୧୯୩୬ ମସିହା ଅଗଷ୍ଟ ୭ ତାରିଖରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ୟାଶପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଜୟରାମ। ୧୯୫୩ ମସିହାରେ ମାଟ୍ରିକ୍ ପାସ୍ କରିବା ପରେ ୧୯୫୫ରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟଭାମାପୁରରେ ଗୋପବନ୍ଧୁ ଚୌଧୁରୀ, ରମା ଦେବୀଙ୍କ ଦ୍ବାରା ପରିଚାଳିତ ଗାନ୍ଧୀ ଆଦର୍ଶ ଆଶ୍ରମରେ ଯୋଗଦାନ କରିଥିଲେ। ଭୂଦାନ ନେତା ବିନୋବା ଭାବେଙ୍କ ତତ୍ତ୍ବାବଧାନରେ ଜୟରାମ ତାଲିମ୍ ନେଇଥିଲେ। ତାଲିମ୍ ଶେଷ ହେବା ପରେ ୧୯୬୦ ମସିହାରେ କୋରାପୁଟର ଆଦିବାସୀଙ୍କ ସେବା କରିବା ପାଇଁ ଜୟରାମ କଟକରୁ ଆସିଥିଲେ। ଏହା ପୂର୍ବରୁ ଯୁଯୁମୁରାରେ କିଛି ବର୍ଷ ପାଇଁ ରହି ଗାନ୍ଧୀ ଶିକ୍ଷାନୁଷ୍ଠାନ ଗଢ଼ି ଶିକ୍ଷା ପ୍ରଦାନ କରିଥିଲେ।

୧୯୭୦ ମସିହାରେ ରାୟଗଡ଼ା ଆସି ଗୋପାଳବାଡ଼ିରେ ରହି ଶାନ୍ତି ଦେବୀ, ରତନ ଦାଶଙ୍କ ସହ ଭୂଦାନ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ଏଥି ସହିତ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ଓଡ଼ିଆ କଳା, ସଂସ୍କୃତିର ରକ୍ଷା ଦିଗରେ କାମ କରୁଥିଲେ।ଅବିଭକ୍ତ କୋରାପୁଟରେ ମାଓ ସମସ୍ୟା ବଢ଼ିବା ପରେ ଶାନ୍ତି ପଦଯାତ୍ରାରେ ସାମିଲ୍ ହୋଇ ଅସ୍ତ୍ର ଛାଡ଼ିବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଥିଲେ ଜୟରାମ। ଜୀବନ ତମାମ ଗାନ୍ଧୀଜୀଙ୍କ ଆଦର୍ଶକୁ ମାନି ଚାଲିଥିବା ଜୟରାମ ନୂତନ ରାୟଗଡ଼ାର ବିକାଶରେ ମଧ୍ୟ କର୍ଣ୍ଣଧାର ସାଜିଥିଲେ। ଦୀର୍ଘ ୫୦ ବର୍ଷ ସମାଜସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଜୟରାମ ବୟସର ସାୟାହ୍ନରେ ମଧ୍ୟ ଥକିନଥିଲେ।

୨୦୨୨ ସେପ୍ଟେମ୍ବର ମାସରେ ଜୟରାମ ଘରେ ହଠାତ୍ ପଡି ଯାଇଥିଲେ। ଅଣ୍ଟାରେ ଆଘାତ ଲାଗିଥିଲା। କଟକ ମେଡ଼ିକାଲରେ ଅସ୍ତ୍ରୋପଚାର ହୋଇଥିଲା। କିଛି ଦିନ ପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ବେଳେ ଶୌଚ ହେବାକୁ ଯାଇ ପୁଣି ପଡି ଆହତ ହୋଇଥିଲେ। ଗତ ୩ ମାସ ହେଲା ଜୟରାମ ଶର୍ଯ୍ୟାଶାୟୀ ଥିବା ବେଳେ ଅସୁସ୍ଥ ଥିବା ସମୟରେ ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଦେବଜ୍ୟୋତି ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଜୟରାମଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଥିଲେ।

ଆଜି ଅପରାହଣରେ ତାଙ୍କର ପରଲୋକ ଘଟିଛି। ଜୟରାମଙ୍କ ବିୟୋଗରେ ରାୟଗଡ଼ା ସମେତ ସର୍ବୋଦୟ ନେତାଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ବହୁ ମାନ୍ୟଗଣ୍ୟ ଲୋକ ଗଭୀର ଶୋକ ପ୍ରକାଶ କରିବା ସହ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସିରିଗୁଡା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଏକ ମାତ୍ର ପୁଅ ହୃଦୟ ରଞ୍ଜନ ଜେନା ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ଜ୍ବାଇଁ ରମେଶ ଚନ୍ଦ୍ର ନାୟକ, ଝିଅ ଦୀପ୍ତି କୁମାର ଜେନା, ଦୁଇ ନାତି ଦେବଦତ୍ତ ନାୟକ, ବିନ୍ଦୁସାର ନାୟକ, ନାତୁଣୀ ବୋହୂ ସନ୍ତୋଷିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତି, ସାହିତ୍ୟିକ ସୁଶାନ୍ତ ନାୟକ, ଆଶୁତୋଷ ପାତ୍ର, ଦ୍ବିତୀ ଚନ୍ଦ୍ର ସାହୁ, ସ୍ବେଚ୍ଛାସେବୀ ବିଜୟ ରାଉତ, କେସିସି ବ୍ୟାଙ୍କ ନିର୍ଦେଶକ ଜଗନ୍ନାଥ ନୁଣ୍ଡୃକା, ବିଦୁଲତା ହୁଇକା, ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, ଗୋପିନାଥ ସାହୁ ପ୍ରମୁଖ ଶେଷ ଦର୍ଶନ କରି ଶୋକ ପ୍ରକାଶ କରିଛନ୍ତି।