ଟିଟିଲାଗଡ଼ ମୁଖ୍ୟ ରାସ୍ତା ଡ୍ରେନ୍‌ ଉପରୁ ହଟିଲା ଜବରଦଖଲ, ଶାସ୍ତ୍ରୀ ଛକରୁ ବ୍ୟାଙ୍କ ଛକ ମଧ୍ୟରେ ବୁଲିଲା ଜେସିବି

ଟିଟିଲାଗଡ଼/ସିନ୍ଧେକେଲା: ଟିଟିଲାଗଡ଼ ସହରର ମୁଖ୍ୟ ରାସ୍ତା ପୁରୁଣା ବ୍ୟାଙ୍କ ଛକରୁ ଶାସ୍ତ୍ରୀ ଛକ ଯାଏ ରାସ୍ତାକଡ଼ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଗୁରୁବାର ପୌର ପ୍ରଶାସନ ପକ୍ଷରୁ ଜେସିବି ଯାହାଯ୍ୟରେ ଏସବୁ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା।

ପ୍ରକାଶ ଯେ ଉକ୍ତ ରାସ୍ତାଟି ଜବରଦଖଲ ଯୋଗୁ ଅଣଓସାରିଆ ହୋଇ ପଡ଼ିଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ଦୁଇଟି ଚାରିଚକିଆ ଗାଡ଼ି ଯିବା ସମୟରେ ଅନେକ ସମୟ ଧରି ରାସ୍ତାଜାମ ରହୁଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଦୋକାନ ବଜାର ରହିଥିବାରୁ ମୁଖ୍ୟ ରାସ୍ତା ଉପରେ ଦୁଇଚକିଆ ଯାନବାହନ, ରିକ୍ସା, ଠେଲା ଆଦି ରହୁଥିଲା। ଯଦି କୌଣସି ଟ୍ରକ୍‌ ଆସିଲେ ସ୍ଥିତି ସାଂଘାତିକ ହେଉଥିଲା। ରାସ୍ତା କଡ଼ରେ ପୌର ପରିଷଦ ତରଫରୁ ଡ୍ରେନ୍‌ ନିର୍ମାଣ ହୋଇଥିଲେ ମଧ୍ୟ ଅଳିଆ ଆବର୍ଜନାରେ ପୋତି ହୋଇଥିଲା। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ମଇଳା ପାଣିର ସୁଅ ଛୁଟୁଥିଲା। ତେଣୁ ସହରବାସୀ ଜବରଦଖଲ ହଟାଇବାକୁ ଦାବି କରି ଆସୁଥିଲେ। ଏହାକୁ ନେଇ ଗୁରୁବାର ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶାସ୍ତ୍ରୀ ଛକରୁ ପୁରୁଣା ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଡ୍ରେନ୍‌ ଉପରୁ ଜବରଦଖଲ ହଟାଇଛନ୍ତି। ଗତ ୧୮ମାସ ମଧ୍ୟରେ ଏହି ମୁଖ୍ୟ ରାସ୍ତା ଉପରେ ଦୁଇ ଦୁଇ ଥର ଜେସିବି, ବୁଲଡୋଜର ଲାଗିଛି। ଲୋକେ ଏଥର ନାଳ ସମସ୍ୟାରୁ ମୁକୁଳି ପାରିବା ନେଇ ଆଶା ବ୍ୟକ୍ତ କରିଛନ୍ତି। ଆଜି ନାଳ ଉପରେ ଥିବା କଂକ୍ରିଟ ଢାଙ୍କୁଣିକୁ ଜେସିବି ସାହାଯ୍ୟରେ ଉଠାଇ ଦିଆଯାଇଛି। ଆଜି ସ୍ଥାନୀୟ ବ୍ୟବସାୟୀମାନେ ପ୍ରଶାସନକୁ ସହଯୋଗ କରିଥିବାରୁ ଉପଜିଲ୍ଲାପାଳ ଟିଟିଲାଗଡ଼ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଜବରଦଖଲ ଉଚ୍ଛେଦ ସମୟରେ ପୌର ପରିଷଦ କର୍ମଚାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ, ଜେଇ, ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର