ଜେଡିସିଏ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦ୍‌ଘାଟିତ : ଶିଳ୍ପୀ ସର୍ଜନାର ପୂଜାରୀ

ଭୁବନେଶ୍ବର : ଶିଳ୍ପୀ ସର୍ଜନାର ପୂଜାରୀ। ଗାଁ ହାଟରେ ଗାଁ’ର ପିଲାଟିଏ ବିକ୍ରି କରୁଥିବା ମାଟି କଣ୍ଢେଇଟିଏ କେବଳ ଏକ ସାଧାରଣ ଜିନିଷଟିଏ ନୁହେଁ, ଏହା ମଧ୍ୟ ଏକ କଳାକୃତି। ଏହି କଳାକୃତି ପଛରେ ସେ ଓ ତା ପରିବାର ସଦସ୍ୟଙ୍କର ସମସ୍ତ ସୃଜନତା ନିହିତ ଥାଏ। ସେ କଳାର ସ୍ରଷ୍ଟା ଓ ପ୍ରେମିକ। ଆମ ପେଣ୍ଟିଂଠୁ ନେଇ ସ୍ଥାପତ୍ୟ, ପିତଳ କାରିଗରୀ, ଟେରାକୋଟା, ମାଟି କଣ୍ଢେଇ, ତାରକସୀ ଭଳି ହସ୍ତଶିଳ୍ପରେ କଳାତ୍ମକ ସୃଜନତା ବାରି ହୋଇପଡ଼େ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍‌ସ ପକ୍ଷରୁ ଇଡ୍‌କଲ୍‌ ପ୍ରେକ୍ଷାଳୟରେ କଳା ଓ କଳାକାରଙ୍କ ସମ୍ପର୍କିତ ୧୩ତମ ଜେଡିସିଏ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଶା କଳା ଓ କଳାକାରଙ୍କ ମାଟି। ବିଶ୍ବ ଐତିହ୍ୟରେ ଆମ ମନ୍ଦିର କଳା ଓ ସଂସ୍କୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଜେଡିସିଏ ପକ୍ଷରୁ କଳା ଓ କଳାକାରଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏ ଧରଣର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ପ୍ରଦର୍ଶନୀ କକ୍ଷ ବାହାରେ ବିଭିନ୍ନ ଷ୍ଟଲ୍‌ରେ ପ୍ରଦର୍ଶିତ କଳାକୃତି ବୁଲି ଦେଖିତିଲେ। ଶିଳ୍ପୀ କେସୁ ଦାସ ତାଙ୍କୁ ମାଟି ଓ ଜଉ ନିର୍ମିତ ଶଙ୍ଖ ଉପହାର ଦେଇଥିଲେ। ଆସନ୍ତାକାଲିଠୁ ପୂର୍ବାହ୍ନରୁ ୧୭ଟି ଦେଶରୁ ୪୮ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। ଏଥିରେ ଭାରତୀୟ ଭାଷାର ୩୧ଟି, ବିଦେଶୀ ଭାଷାରେ ୧୭ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଆଜିର ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନ, ନାସନାଲ୍‌ ମଡର୍ଣ୍ଣ ଆର୍ଟ ଗ୍ୟାଲେରିରର ମହାନିର୍ଦେଶକ ଅଦ୍ବୈତ ଗଡ଼ନାୟକ, ବିଶିଷ୍ଟ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ରାଷ୍ଟ୍ରଦୂତ ଲଳିତ ମାନସିଂହ, ସମାଲୋଚକ ଅରୁଣା ବାସୁଦେବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜେଡିସିଏ ମୁଖ୍ୟ ଯତିନ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟି ନନ୍ଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଚଳଚ୍ଚିତ୍ର ମହୋତ୍ସବ ଉପାଧ୍ୟକ୍ଷ ସିଦ୍ଧାର୍ଥ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର