ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର କୁମଖାଲ ପଞ୍ଚାୟତର ସୋରିଷପଦର ଗ୍ରାମର ଏକ ପୋଖରୀରେ ପଙ୍କ ଉଦ୍ଧାର ବିଲ କରାଇଦେବା ପାଇଁ ପଞ୍ଚାୟତ ପିଇଓଙ୍କ ଠାରୁ ୩୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କୁମଖାଲ ପଞ୍ଚାୟତର ସୋରିଷପଦର ଗ୍ରାମରେ ଗ୍ରାମ୍ୟ ପୋଖରୀର ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ପୋଖରୀର ଦେଢ଼ଲକ୍ଷ ଟଙ୍କା ବିଲ କରିବା ପାଇଁ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ସୁବ୍ରତ କୁମାର ମଲ୍ଲିକ ୩୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟିମନଭାଡ଼ି ଗ୍ରାମର ଗୌତମ ନାଗ ଏନେଇ ଭିଜିଲାନ୍ସକୁ ସୂଚନା ଦେଇଥିଲେ । କନିଷ୍ଠଯନ୍ତ୍ରୀ ସୁବ୍ରତ କୁମାର ମଲ୍ଲିକ ପଞ୍ଚାୟତ ପିଇଓଙ୍କ ଠାରୁ ୩୩ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିନେଇଥିଲେ । କନିଷ୍ଠଯନ୍ତ୍ରୀଙ୍କ ଠାରୁ ରଙ୍ଗବୋଲା ୩୩ ହଜାର ଟଙ୍କା ଜବତ କରିବା ସହିତ ଗିରଫ କରିଛି । ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢାଉରେ ଇନ୍ସପେକ୍ଟର ପ୍ରମିଳା ସୁନା ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ଭିଜିଲାନ୍ସ ପକ୍ଷରୁ କନିଷ୍ଠଯନ୍ତ୍ରୀଙ୍କ ବିଶ୍ୱନାଥପୁର ଅଫିସ ଓ ବାସଭବନ ଏବଂ ତାଙ୍କ ନିଜଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ସ୍ଥିତ ବାସଭବନରେ ଚଢାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କନିଷ୍ଠଯନ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।