ଯାଜପୁର/ଦଶରଥପୁର: ଦୀର୍ଘ ଦିନ ହେବ ଭଡ଼ାରେ ଲାଗିଛି ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି)ର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ବିଭାଗୀୟ ଠିକାଦାରଙ୍କୁ ଏହି କାର୍ଯ୍ୟାଳୟ ମାସକୁ ୨ହଜାର ଟଙ୍କାରେ ଭଡ଼ାରେ ଦେଇଛନ୍ତି ବିଭାଗୀୟ କନିଷ୍ଠ ଯନ୍ତ୍ରୀ । ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଖାନନଗର ପଞ୍ଚାୟତର ଲାଲବାଗଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ।
ଏହି କାର୍ଯ୍ୟାଳୟ ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସାରଦା ପ୍ରସନ୍ନ ରାୟ ଦାୟିତ୍ୱରେ ଅଛନ୍ତି । ତାଙ୍କ ଅଧୀନରେ ବିଭିନ୍ନ ସ୍ଥାନରେ ଆରଡି ରାସ୍ତା କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ କରୁଥିବା ଜଣେ ଠିକାଦାର ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ଭଡ଼ାରେ ନେଇଛନ୍ତି । ଏଥିପାଇଁ ମାସକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ରାୟଙ୍କୁ ୨ ହଜାର ଲେଖାଏଁ ଟଙ୍କା ଦେଉଛନ୍ତି। ଏହି ଖବର ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ଶ୍ରୀ ରାୟଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ମାତ୍ର ରାସ୍ତା କାର୍ଯ୍ୟ ତଦନ୍ତରେ ଆସିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ଏବଂ ସହକାରୀ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ସାମଲ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଚାନକ ପଶିଯାଇଥିଲେ । ସେଠାରେ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଭଡ଼ାରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା ।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାମ ପାଇଁ ଜନୈକ ଠିକାଦାର ଭଡ଼ା ସୂତ୍ରରେ ଅଫିସକୁ ନେଇ ସେଠାରେ ସିମେଣ୍ଟ, ମୋବିଲ, କିରୋସିନି, ଟ୍ରାକ୍ଟର ଓ ଜେସିବିର ଯନ୍ତ୍ରାଂଶ ରଖିବା ସହ ରାସ୍ତା ନିର୍ମାଣରେ ନିୟୋଜିତ ସଂପୃକ୍ତ ଠିକାଦାରଙ୍କ ଟ୍ରାକ୍ଟର ଓ ଜେସିବି ଅପରେଟର, ଶ୍ରମିକ ଓ ସୁପରଭାଇଜରମାନେ ରହୁଥିବାର ଦେଖିବାକୁ ମିଳିଥିଲା ।
ଏହାପରେ ଆରମ୍ଭ ହୋଇଥିଲା କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଚଢ଼ଉ । ଏଣୁ ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।