ଭୁବନେଶ୍ୱର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହାର ଜବାବ ରଖିଛି ବିଜେଡି। ଦଳର ସାଂସଦ ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟ ରାଜନୀତିରେ ନିଜ ଦଳ ଦ୍ୱାରା କୋଣଠେସା ହୋଇଥିବା ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା କିଭଳି ଈର୍ଷାନ୍ୱିତ ଓ ନିରାଶ ହୋଇପଡ଼ିଛନ୍ତି, ତାହା ଆଜି ସେ ଦେଇଥିବା ବିବୃତ୍ତିରୁ ଜଣାପଡ଼ିଯାଉଛି। ଯେତେବେଳେ ରାଜ୍ୟ ସରକାର ଭଲ କାମ କରୁଛନ୍ତି ଓ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି, ସେତେବେଳେ ଏହି ନେତା ଜଣଙ୍କ କାହିଁକି ଭୟଭୀତ ହେଉଛନ୍ତି ଓ ଈର୍ଷା କରୁଛନ୍ତି? ଏହି ନେତା କହିପାରିବେ କି ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ସେଣ୍ଟ୍ରାଲ୍‌ ଇନଷ୍ଟିଚ୍ୟୁସନ୍ ଅଫ୍ ଏମିନେନ୍ସ ପ୍ରତିଷ୍ଠା କରାଯାଇଛି? ଗତ ନଅ ବର୍ଷ ମଧ୍ୟରେ ସମ୍ବଲପୁରରୁ କଟକ ଏବଂ ଡୁବୁରୀରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି। ଏହି ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ସାରିବା ପାଇଁ ଏହି ନେତା ଜଣଙ୍କ କ’ଣ କରିଛନ୍ତି? ଏହା ବଦଳରେ ଏହି ନେତା ଓଡ଼ିଶାର ଲୋକଙ୍କୁ ଆଇନହୀନ ବୋଲି କହି ଅପମାନିତ କରନ୍ତି ଏବଂ ଓଡ଼ିଶା ବିଜେପିରେ ଥିବା ତାଙ୍କରି ନେତାମାନେ ମିସନ ଶକ୍ତିର ମହିଳା ଏସ୍‌ଏଚ୍‌ଜି ସଦସ୍ୟା ତଥା ସାଧାରଣ ଜୀବନରେ କାମ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଅପମାନିତ କରନ୍ତି।

Advertisment

ସେହିପରି ସମରୀ ମହାନ୍ତିଙ୍କ ଟ୍ବିଟ୍‌କୁ କଟାକ୍ଷ କରି ଶ୍ରୀ ପାତ୍ର କହିଛନ୍ତି, ଏହି ଟୁଇଟ୍‌ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ। ସେ ହୁଏତ ଜାଣି ନଥିବେ ଆଜି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ କ’ଣ ଟୁଇଟ୍‍ କରାଯାଇଛି। ଆମେ ଶୁଣୁଛୁ ଯେ ଏହି ଟୁଇଟ୍‍ର ହ୍ୟାଣ୍ଡେଲର ପାସୱାର୍ଡ ତାଙ୍କ ପାଖରେ ନାହିଁ ଏବଂ ଏହି ନେତାଙ୍କ ଦ୍ୱାରା ଯାହା ସ୍କ୍ରିପ୍ଟ ହେଉଛି ତାହା ଶ୍ରୀ ମହାନ୍ତିଙ୍କ ଟୁଇଟର ହ୍ୟାଣ୍ଡଲରେ ପୋଷ୍ଟ କରାଯାଉଛି।