ଜେଇଇ ଆଡଭାନ୍ସକୁ ଦେଶର ୩୦% ଛାତ୍ରଛାତ୍ରୀଙ୍କ ନା: ଓଡ଼ିଶାରୁ ୧୭୦୦ ଜଣ ପଞ୍ଜୀକରଣ କଲେନି

୫ ଦିନ ମଧ୍ୟରେ ପଞ୍ଜୀକରଣ କଲେ ୫୨୮ ଜଣ, ଏଥର ୧.୭୬ ଲକ୍ଷ ଦେବେ ଜେଇଇ ଆଡଭାନ୍ସଡ୍‌

ଭୁବନେଶ୍ବର: ଆଇଆଇଟି ସମେତ ଆଇଏମ୍‌ଏସ୍‌ ଧାନବାଦରେ ନାମଲେଖା ଲାଗି ମେ’ ୨୭‌ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ୍‌। ଏଥିପାଇଁ ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିସାରିଛନ୍ତି। ତେବ‌େ ଏହି ପରୀକ୍ଷା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ପଞ୍ଜୀକରଣ କରିନଥିବା ଜଣାପଡ଼ିଛି।

ଓଡ଼ିଶାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୬୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ନଥିବା ଭୁବନେଶ୍ବର ଆଇଆଇଟି ପକ୍ଷରୁ ସୂଚନା‌ ମିଳିଛି। ଓଡ଼ିଶାକୁ ବାଦ୍‌ ଦେଲେ ୨ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ଲକ୍ଷ ୭୩ ହଜାର ଜଣ ପଞ୍ଜୀକରଣ କରିଛନ୍ତି। ଏହା ବିଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ସଂଖ୍ୟାକୁ ମିଶାଇଲେ ଏଥର ମୋଟ ୧ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଯାହାକି ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ।ବଡ଼ କଥା ହେଉଛି ଯେ ଜେଇଇ ଆଡଭାନ୍ସଡ୍‌ ଲାଗି ଗତ ମେ’ ୯ ତାରିଖ ଶେଷ ତାରିଖ ରଖାଯାଇଥିଲା। ଦେଶର ଛାତ୍ରଛାତ୍ରୀ ଏହି ସମୟ ସୀମା ମଧ୍ୟରେ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ବାତ୍ୟା ପ୍ରଭାବିତ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଲାଗି ମେ’ ୧୪ ତଥା ଆଜି ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିଲା। ମେ’ ୯ ସୁଦ୍ଧା ୨୭୩୩ ଜଣ ପଞ୍ଜୀକରଣ କରିଥିଲେ। ଗତ ୫ ଦିନ ମଧ୍ୟରେ ଆଉ ୫୨୮ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ଲାଗି ଇଣ୍ଟରନେଟ୍‌ର ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ଲାଗି ଆଇଆଇଟି ଭୁବନେଶ୍ବରରେ ହେଲପ୍‌ ଡେକ୍ସ ଖୋଲାଯାଇଥିଲା। ସେଠାରେ ଅନେକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣର ସୁବିଧା‌ ନେଇଛନ୍ତି।

ଭୁବନେଶ୍ବର ଆଇଆଇଟି ନିର୍ଦେଶକ ଆର ଭି ରାଜକୁମାରଙ୍କ କହିବାନୁଯାୟୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କଠାରୁ ସୂଚନା ପାଇବା ପରେ ଆଇଆଇଟିର ସ୍ଥାୟୀ କ୍ୟାମ୍ପସରେ ଡେଲପ୍‌ ଡେକ୍ସ ଖୋଲା ଯାଇଥିଲା। ସେଠାରେ ‌‌ଜେଇଇ ଆଡଭାନ୍ସଡ୍‌ ଛାତ୍ରଛାତ୍ରୀଙ୍କ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ ସୁବିଧା ହୋଇଥିଲା। ରାଜ୍ୟରେ ଥିବା କଲେଜ ଓ କୋଚିଂ ସେଣ୍ଟର ସହ ମଧ୍ୟ ଯୋଗାଯୋଗ କରାଯାଇ ଡେଲପ୍‌ ଡେକ୍ସ ସମ୍ପର୍କରେ ଅବଗତ କରାଯାଇଥିଲା। ବହୁ ସଂଖ୍ୟାର ଛାତ୍ରଛାତ୍ରୀ ସୁବିଧା ନେଇଥିଲେ। କିଛି ଛାତ୍ରଛାତ୍ରୀ ଇ-ମେଲ୍‌ ଓ ଟେଲିଫୋନ୍‌ କଲ୍‌ ମାଧ୍ୟମରେ ବି ନାମ ପଞ୍ଜୀକରଣ ସମ୍ପର୍କରେ ସୂଚନା ପାଇଥିଲେ। ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଜୁନ୍‌ ୧୬‌ରେ ଆଇଆଇଟି କ୍ୟାମ୍ପସରେ ଓପନ୍‌ ଡେ’ ତଥା ଲାଇଭ୍‌ କାଉନସେଲିଂ ସେସନ୍‌ ଅନୁଷ୍ଠିତ ହେବ। ଯେଉଁମାନେ ଜେଇଇ ଆଡଭାନ୍ସଡ୍‌ରେ କୃତକାର୍ଯ୍ୟ ହୋଇଥି‌ବେ, ସେମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଏଥିରେ ଆଇଆଇଟିର ପ୍ରଫେସର୍‌ମାନେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ରଖିବେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନିର୍ଦେଶକ ଡ. ରାଜକୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର