ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ: ଗୌତମ ଦାସ ଓଡ଼ିଶା ଟପର୍‌

ଦେଶରେ ମ୍ରିଦୁଲ ଅଗ୍ରୱାଲ ଟପର୍‌, ୪୧ ହଜାର ୮୬୨ କୃତକାର୍ଯ୍ୟ, ଓଡ଼ିଶାରୁ ୬୦୦

ଭୁବନେଶ୍ୱର/ବାଲେଶ୍ୱର : ଦେଶରେ ଥିବା ଆଇଆଇଟି, ଏନ୍‌ଆଇଟି ସମେତ ପ୍ରମୁଖ ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଅନୁଷ୍ଠିତ ଜେଇଇ ଆଡ଼ଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ଚଳିତ ବର୍ଷ ଦେଶରେ ସମୁଦାୟ ୧ ଲକ୍ଷ ୫୧ ହଜାର ୧୯୩ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୧ ହଜାର ୬୯୯ ଜଣ ପରୀକ୍ଷା ଦେଇଥିଲେ ଏବଂ ୪୧ ହଜାର ୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନର ମ୍ରିଦୁଲ ଅଗ୍ରଓ୍ବାଲ ୩୬୦ ନମ୍ବରରୁ ୩୪୮ ନମ୍ବର ରଖି ସର୍ବଭାରତୀୟ ଟପର୍‌ ହୋଇଛନ୍ତି। ସେହି ଜୋନ୍‌ର କାବ୍ୟା ଚୋପ୍ରା ୨୮୬ ନମ୍ବର ରଖି ଛାତ୍ରୀଙ୍କ ମଧ୍ୟରେ ଟପର୍‌ ହୋଇଛନ୍ତି।

ଜେଇଇ ମେନ୍‌ରେ ଓଡ଼ିଶା ଟପର୍‌ ହୋଇଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଗୌତମ ଦାସ ଜେଇଇ ଆଡ଼ଭାନ୍ସଡରେ ବି ବାଜି ମାରିଛନ୍ତି। ସର୍ବଭାରତୀୟସ୍ତରରେ ୧୧୫ତମ ସ୍ଥାନରେ ରହିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। ମୋଟ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରାୟ ୬୦୦ ଜଣ ରହିଥିବା ଜଣାପଡ଼ିଛି। ଶ୍ରେଷ୍ଠ ହଜାରେ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୨୨ଜଣ ରହିଛନ୍ତି।

ବାଲେଶ୍ୱର ଜିଲ୍ଲା ବ୍ୟବସାୟୀ ରବୀନ୍ଦ୍ର ଦାସ ଓ ଗୃହିଣୀ ମଧୁସ୍ମିତା ଦାସଙ୍କ ପୁଅ ଗୌତମ ପିଲାଟି ଦିନରୁ ଲଗାତାର ଭାବେ କଠିନ ପରିଶ୍ରମ କରି ଚାଲିଛନ୍ତି। ଗୌତମଙ୍କ କହିବାନୁଯାୟୀ, କରୋନା ପାଇଁ ଲାକଡାଉନ୍‌ ଚାଲିଥିବା ବେଳେ ସେ ଏହାର ଫାଇଦା ଉଠାଇଥିଲେ। ବାରମ୍ବାର ଅଭ୍ୟାସ କରିବା ସହ ଯେତେବେଳେ କୌଣସି ଦ୍ଵନ୍ଦ୍ବରେ ପଡୁଥିଲେ, ସ୍କୁଲ ଶିକ୍ଷକମାନେ ଅନ୍‌ଲାଇନ୍‌ରେ ତାହା ଦୂର କରୁଥିଲେ। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ବିଜୟ କୁମାର ସାହୁଙ୍କ ପ୍ରେରଣା ଯୋଗୁଁ ଆଜି ଜେଇଇ ପରୀକ୍ଷାରେ ସଫଳତା ମିଳିଛି। ଭବିଷ୍ୟତରେ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର କରିବାକୁ ଲକ୍ଷ୍ୟ ରଖିଥିବା ଗୌତମ କହିଛନ୍ତି।

ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ କହିଛନ୍ତି ଯେ ଗୌତମ ରାଜ୍ୟ ଟପର୍‌ ହେବା ଆମ ପାଇଁ ଗର୍ବର ବିଷୟ। ତାଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଏଭଳି ସଫଳତା ପାଇଛନ୍ତି। କେବଳ ସ୍କୁଲକୁ ଗୌରବାନ୍ବିତ କରିଛନ୍ତି, ତାହା ନୁହେଁ, ବରଂ ସର୍ବଭାରତୀୟସ୍ତରରେ ୧୧୫ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ପଞ୍ଜୀକୃତ ହୋଇଥିବା ୧ ଲକ୍ଷ ୧୬ ହଜାର ୬୭୨ ଛାତ୍ର, ୩୪ ହଜାର ୫୨୦ ଛାତ୍ରୀଙ୍କ ମଧ୍ୟରୁ ଯଥାକ୍ରମେ ୧ ଲକ୍ଷ ୯ହଜାର ୪୧୪ ଛାତ୍ର, ୬ ହଜାର ୪୫୨ ଛାତ୍ରୀ ଉଭୟ ପେପର୍‌ ପରୀକ୍ଷା ଦେଇଥିଲେ। ଏଥିରୁ ୩୫ ହଜାର ୪୧୦ ଛାତ୍ର, ୬୪୫୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜଣେ କିନ୍ନର ବର୍ଗର ବିଦ୍ୟାର୍ଥୀ ମଧ୍ୟ ପରୀକ୍ଷା ପାଇଁ ପଂଜୀକୃତ ହୋଇଥିଲେ। ପଂଜୀକୃତ ହୋଇଥିବା ୧୪୧୮ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୩୦୬ ଜଣ ପରୀକ୍ଷା ଦେଇ ୩୭୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଦେଶରେ ରହୁଥିବା ମୂଳ ଭାରତୀୟଙ୍କ ମଧ୍ୟରୁ ୨୫୭ ପଂଜୀକୃତ ହୋଇ ୨୪୭ ଜଣ ପରୀକ୍ଷା ଦେଇଥିଲେ। ଏଥିରୁ ୧୬୯ ସଫଳତା ପାଇଛନ୍ତି। ୯୭ ପଂଜୀକୃତ ବିଦେଶୀ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୪୨ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର