ଜୁଲାଇ ୩ରେ ଜେଇଇ ଆଡଭାନ୍ସଡ୍‌

ଭୁବନେଶ୍ବର : ଆଇଆଇଟି ସମେତ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଜୁଲାଇ ୩‌ରେ ଅନୁଷ୍ଠିତ ହେବ। ଏଥର ଆଇଆଇଟି ଖଡ଼ଗପୁର ଏହି ପରୀକ୍ଷା ଆୟୋଜନ କରିବ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ୭୫ ପ୍ରତିଶତ ଯୋଗ୍ୟତା ମାନଦଣ୍ଡକୁ ହଟାଇ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା‌ ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ କହିଛନ୍ତି। ମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ କହିଛନ୍ତି ଯେ ଏହା ଦେଶର ଶୀର୍ଷ ତଥା ମହତ୍ବପୂର୍ଣ୍ଣ ପରୀକ୍ଷା ଭାବେ ଗଣାଯାଇଥାଏ। ହାତରେ ୬ ମାସର ସମୟ ରହୁଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ଭଲ ଭାବେ ପ୍ରସ୍ତୁତ ହୋଇପାରିବେ। ବିଗତ ବର୍ଷ ତୁଳନାରେ ଏଥର ପିଲାମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ଓ ବିଶ୍ବାସ।

ସାଧାରଣତଃ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ତାରିଖ ସେପ୍ଟେମ୍ବରରେ ଘୋଷଣା ହେବା ସହ ମେ’ ମାସରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ତେବେ ଚଳିତବର୍ଷ କରୋନା ଯୋଗୁଁ ଜେଇଇ ଆଡଭାନ୍ସଡ୍ ବିଜ୍ଞପ୍ତି ବିଳମ୍ବରେ ଜାରି ହୋଇଛି। ଗତବର୍ଷ ଆଇଆଇଟି ଦିଲ୍ଲୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଆୟୋଜନ କରିଥିଲା। ଜେଇଇ ମେନ୍‌ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅର୍ଥାତ୍ ଫେବ୍ରୁଆରି ୨୩ରୁ ୨୬, ମାର୍ଚ୍ଚ ୧୫ରୁ ୧୮, ଏପ୍ରିଲ୍ ୨୭ରୁ ୩୦ ଓ ମେ’ ୨୪ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର