ଭୁବନେଶ୍ୱର : ଭୁବନେଶ୍ବର ସମେତ ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ରବେଶିକା ପରୀକ୍ଷା ଲାଗି ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଯାହାକି ଗତ ୩ ବର୍ଷ ମଧ୍ୟରେ ସର୍ବନିମ୍ନ। ୨୦୧୯ରେ ୧ ଲକ୍ଷ ୭୩ ହଜାର ଓ ୨୦୧୮ରେ ୧ ଲକ୍ଷ ୬୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ପରୀକ୍ଷା ପରିଚାଳନା କରୁଥିବା ଦିଲ୍ଲୀ ଆଇଆଇଟି ପକ୍ଷରୁ ସୂଚନା ମିଳିଛି।
ସେପ୍ଟେମ୍ବର ୨୭ରେ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ଦେଶର ୨୨୨ଟି ସହରରେ ଅନୁଷ୍ଠିତ ହେବ। ୨୦୧୯ରେ ୧୬୪ଟି ସହରରେ ଏହି ପରୀକ୍ଷା ହୋଇଥିଲା। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଛି। ୨୦୧୯ରେ ୬୦୦ ପରୀକ୍ଷା କେନ୍ଦ୍ର ଥିବା ବେଳେ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ୧୧୫୦କୁ ବୃଦ୍ଧି ପାଇଛି। ୩ ଘଣ୍ଟା ଲେଖାଏ ଦୁଇଟି ପେପର୍ ପରୀକ୍ଷା ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍-୧ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା କରାଯିବ। ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୧ ସୋମବାର ପୂର୍ବାହ୍ନ ୧୦ଟାରୁ ସେପ୍ଟେମ୍ବର ୨୭ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଆଡମିଟ୍ କାର୍ଡ ଡାଉନ୍ଲୋଡ କରିପାରିବେ। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମୋଡ୍ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।
ଜେଇଇ ଆଡଭାନ୍ସଡ୍ର ଯୋଗ୍ୟ ଛାତ୍ରଛାତ୍ରୀ ୨୩ଟି ଆଇଆଇଟିରେ ଥିବା ୪ ବର୍ଷିଆ ବି.ଟେକ୍ ଓ ବି.ଏସ୍ସି, ୫ ବର୍ଷିଆ ବି.ଆର୍କିଟେକ୍, ଡୁଆଲ୍ ଡିଗ୍ରି ବି.ଟେକ୍-ଏମ୍.ଟେକ୍, ଡୁଆଲ୍ ଡିଗ୍ରି ବି.ଏସ୍ସି-ଏମ୍.ଏସ୍ସି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଆଇଆଇଟି ବ୍ୟତୀତ ଦେଶର ଆଉ କିଛି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଯଥା ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍ସି, ବ୍ରହ୍ମପୁର, ଭୋପାଳ, କୋଲକାତା, ମୋହାଲି, ପୁନେ, ଥିରୁଅନନ୍ତପୁରମ୍ ଓ ତ୍ରିପୁରାସ୍ଥିତ ଆଇଜର, ଥିରୁଅନନ୍ତପୁରମ୍ସ୍ଥିତ ଆଇଆଇଏସ୍ଟି, ରାଏବରେଲିସ୍ଥିତ ରାଜୀବ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିଅମ୍ ଟେକ୍ନୋଲୋଜି, ବିଶାଖାପାଟଣାସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିଅମ୍ ଓ ଏନର୍ଜିରେ ମଧ୍ୟ ନାମ ଲେଖାଇପାରିବେ।