ଜେଇଇ ଆଡଭାନ୍ସଡ୍‌ରେ ୩୮,୭୦୫ ଜଣ କୃତକାର୍ଯ୍ୟ : ଦେଶରେ କାର୍ତ୍ତିକେୟ, ଓଡ଼ିଶାରେ ସାୟନ୍ତନ ଶୀର୍ଷରେ

ଏସ୍‌ସି ବର୍ଗରେ ଓଡ଼ିଶାର ସମ୍ବିତ୍‌ ବେହେରା ଦେଶରେ ଟପର୍‌, ଆଇଆଇଟିରେ ନାମଲେଖା ପାଇଁ ଓଡ଼ିଶାରୁ ୭୪୧ ଯୋଗ୍ୟ

ଭୁବନେଶ୍ବର : ଭୁବନେଶ୍ବର ସମେତ ଦେଶରେ ଥିବା ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଅନୁଷ୍ଠିତ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୧ ଲକ୍ଷ ୬୧ହଜାର ୩୧୯ ଜଣ ଛାତ୍ରଛାତ୍ରୀ ଏହି ସର୍ବଭାରତୀୟ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୮ହଜାର ୭୦୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ମହାରାଷ୍ଟ୍ରର ଛାତ୍ର ଗୁପ୍ତା କାର୍ତ୍ତିକେୟ ଚନ୍ଦ୍ରେଶ ୩୭୨ରୁ ୩୪୬ ମାର୍କ ରଖି ସାରା ଦେଶରେ ଟପର୍‌ ହୋଇଛନ୍ତି। ସେହିପରି ବମ୍ବେ ଜୋନ୍‌ର ଛାତ୍ରୀ ସବନମ୍‌ ସହାୟ ୩୦୮ ମାର୍କ ରଖି ଛାତ୍ରୀଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ଖଡ଼ଗପୁର ଜୋନ୍‌ରୁ ଓଡ଼ିଆ ଛାତ୍ରମାନଙ୍କ ମଧ୍ୟରେ ସାୟନ୍ତନ ଧର ଶୀର୍ଷରେ ରହିଥିବାବେଳେ ଭୁବନେଶ୍ବରର ସମ୍ବିତ୍‌ ବେହେରା ଅନୁସୂଚିତ ଜାତି(ଏସ୍‌ସି) ବର୍ଗରେ ସାରା ଦେଶରେ ଟପର୍‌ ହୋଇଛନ୍ତି।

ତେବେ ପ୍ରତିଥର ପରି ଏଥର ମଧ୍ୟ ଆଇଆଇଟି ତଥା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଛାତ୍ରୀମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସବୁ ପରୀକ୍ଷାରେ ଆଗରେ ରହୁଥିବା ଛାତ୍ରୀମାନେ ଜେଇଇ ଆଡଭା‌ନ୍ସଡ୍‌‌‌ରେ ପଛରେ ପଡ଼ିଛନ୍ତି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩ହଜାର ୩୪୯ଜଣ ଛାତ୍ର ରହିଥିବାବେଳେ ମାତ୍ର ୫ ହଜାର ୩୫୬ଜଣ ଛାତ୍ରୀ ରହିଛନ୍ତି। ଶ୍ରେଷ୍ଠ ୧୦ ତାଲିକାରେ ମଧ୍ୟ ୯ଜଣ ଛାତ୍ର ରହି ପ୍ରାଧାନ୍ୟ ବିସ୍ତାର କରିଛନ୍ତି।

ଅନୁସୂଚିତ ଜାତି(ଏସ୍‌ସି) ବର୍ଗରେ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଥିବା ସମ୍ବିତ୍‌ ୩୭୨ରୁ ୨୮୪ ମାର୍କ ରଖି କମନ୍‌ ରୢାଙ୍କ ଲିଷ୍ଟ(ସିଆରଏଲ୍‌)ରେ ୪୫ତମ ସ୍ଥାନରେ ରହିଛନ୍ତି। ସେ ବମ୍ବେ ଜୋନ୍‌ ଅଧୀନରେ ପରୀକ୍ଷା ଦେଇଥିଲେ। ଅନ୍ୟପକ୍ଷରେ ପୂର୍ବ ଭାରତ ତଥା ଓଡ଼ିଶା ସମେତ ଆଣ୍ତାମାନ ଓ ନିକୋବର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ତ, ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ନେଇ ଗଠିତ ଖଡ଼ଗପୁର ଜୋନ୍‌ରେ ଓଡ଼ିଶାର ଛାତ୍ର ସାୟନ୍ତନ ଧର ୫ମ ସ୍ଥାନରେ ରହିଛନ୍ତି। ଓଡ଼ିଶାର ଏକମାତ୍ର ଛାତ୍ର ଭାବେ ସେ ଜୋନ୍‌ର ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ରହିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। ସିଆରଏଲ୍‌ରେ ସେ ୫୧ତମ ସ୍ଥାନରେ ରହିଛନ୍ତି। ଖଡ଼ଗପୁର ଜୋନ୍‌ରେ ଛାତ୍ର ଜି ଅଙ୍କିତ୍‌ ୨୯ତମ ରୢାଙ୍କରେ ରହି ଜୋନ୍‌ ଟପର୍‌ ହୋଇଛନ୍ତି। ତେବେ ଆଞ୍ଜେଲିନା ସାକେବା ୪୩୮ତମ ରୢାଙ୍କରେ ରହିବା ସହ ଛାତ୍ରୀଙ୍କ ମଧ୍ୟରେ ଜୋନ୍‌ ଟପର୍‌ ହୋଇଛନ୍ତି।

ସାରା ଦେଶରେ ସାଧାରଣ ବର୍ଗରେ ୧୫ ହଜାର ୫୬୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସାଧାରଣ ବର୍ଗ-ଆର୍ଥିକ ଦୁର୍ବଳ ଶ୍ରେଣୀରେ ୩ ହଜାର ୬୩୬ଜଣ, ଓବିସି-ଏନ୍‌ସିଏଲ୍‌ ବର୍ଗରେ ୭ ହଜାର ୬୫୧, ଏସ୍‌ସି ବର୍ଗରେ ୮,୭୫୮ ଓ ଏସ୍‌ଟି ବର୍ଗରେ ୩ ହଜାର ୯୪ଜଣ ରହିଛନ୍ତି। ଏଥର ଓଡ଼ିଶାରୁ ୩୨୬୧ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୭୪୧ଜଣ ଆଇଆଇଟିରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିଥିବା ରାତି ସୁଦ୍ଧା ସୂଚନା ମିଳିଛି। ଆର୍କିଟେକଚର୍‌ ଆପ୍ଟିଚୁଡ୍‌ ଟେଷ୍ଟ(ଏଏଟି) ଲାଗି ଜେଇଇ ଆଡଭାନ୍ସଡ୍‌ରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଲାଗି ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ଜୁନ୍‌ ୧୫ ସନ୍ଧ୍ୟା ୫ଟା ପଞ୍ଜୀକରଣର ଶେଷ ଦିବସ ରଖାଯାଇଛି।

ସମ୍ବନ୍ଧିତ ଖବର