ଭୁବନେଶ୍ବର: ଆଇଆଇଟି ସମେତ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ଆଡଭାନ୍ସଡ୍‌ ଫଳ ପ୍ରକାଶ ପାଇଛି। ଚଳିତବର୍ଷ ସାରା ଦେଶରୁ ୧ ଲକ୍ଷ ୮୭ ହଜାର ୨୨୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୪ ହଜାର ୩୭୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୋଗ୍ୟତା ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୯,୪୦୪ ଜଣ ଛାତ୍ରୀ ରହିଛନ୍ତି। ୨୦୨୪ ତୁଳନାରେ ଏଥର ଛାତ୍ରୀଙ୍କ ପ୍ରଦର୍ଶନ ଉନ୍ନତମାନର ହୋଇଛି। ଗତବର୍ଷ ମାତ୍ର ୬୫୧୬ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଆଇଆଇଟି ଦିଲ୍ଲୀ ଜୋନ୍‌ର ଛାତ୍ର ରଜିତ୍‌ ଗୁପ୍ତା ୩୬୦ରୁ ୩୩୨ ମାର୍କ ରଖି କମନ୍‌ ରୢାଙ୍କ ଲିଷ୍ଟ (ସିଆର୍‌ଏଲ୍‌)ର ୧ ନମ୍ବରରେ ରହିବା ସହ ଦେଶରେ ଟପର୍‌ ହୋଇଛନ୍ତି।

Advertisment

ଆଇଆଇଟି ଖଡ଼ଗପୁର ଜୋନ୍‌ର ଛାତ୍ରୀ ଦେବଦତ୍ତା ମାଝି ୩୧୨ ମାର୍କ ରଖିବା ସହ ସିଆର୍‌ଏଲ୍‌ରେ ୧୬ତମ ଓ ଦେଶରେ ଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଇଆଇଟି ଖଡ଼ଗପୁର ଜୋନ୍‌ ଅଧୀନରେ ଓଡ଼ିଶା ଆସୁଛି। ଏହି ଜୋନ୍‌ର ଶ୍ରେଷ୍ଠ ୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ଥିବା ଜଣାପଡ଼ିଛି। ଆଲେନ୍‌ରେ କୋଚିଂ ନେଉଥିବା ଛାତ୍ର ହଂସ ଦାରୁକ ୩୯ତମ ସ୍ଥାନରେ ରହିବା ସହ ଓଡ଼ିଶା ଟପର୍‌ ହୋଇଥିବା କୁହାଯାଉଛି। ସେହିପରି ଛାତ୍ର ନବନୀତ ପ୍ରିୟଦର୍ଶୀ ୯୭ତମ ସ୍ଥାନରେ ରହିବା ସହ ଜୋନ୍‌ରେ ୫ମ ଓ ରାଜ୍ୟରେ ଦ୍ବିତୀୟ ହୋଇଥିବା ସୂଚନା ମିଳିଛି। ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଏହି ଦୁଇ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଆଲେନ୍‌ର ଭୁବନେଶ୍ବର କେନ୍ଦ୍ର ମୁଖ୍ୟ ରଜନୀଶ ଶ୍ରୀବାସ୍ତବ କହିଛନ୍ତି ଯେ ‌ସମନ ପୋଦାର ୭୧୧ ଓ ଶ୍ରେୟସ୍‌ ସମନ୍ତ୍ରି ୧୦୦୦ତମ ସ୍ଥାନରେ ରହିଛନ୍ତି। ପରୀକ୍ଷା ଫଳ ଘୋଷଣା ହେବା ପରେ ଆଲେନ୍ କେନ୍ଦ୍ରରେ ଉତ୍ସବ ପାଳନ କରାଯିବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।