ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶ : ଚିରାଗ ଦେଶରେ ଟପର୍‌

ଓଡ଼ିଶାର ରୌନକ ୫୨ତମ ସ୍ଥାନରେ, ୭୩ତମ ସ୍ଥାନରେ ଶିବାଶିଷ, ୧୦୦ତମ ସ୍ଥାନରେ ମନ୍ଥନ

ଭୁବନେଶ୍ୱର : ଦେଶର ୨୩ଟି ଆଇଆଇଟି ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ପେପର୍‌-୧ ଓ ୨ରେ ମୋଟ ୧ ଲକ୍ଷ ୫୦ ହଜାର ୮୩୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୩ ହଜାର ୨୦୪ ଜଣ ଯୋଗ୍ୟତ‌ା ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରେ ୩୬ ହଜାର ୪୯୭ ଜଣ ଛାତ୍ର ଓ ୬୭୦୭ଜଣ ଛାତ୍ରୀ ରହିଛନ୍ତି। ଆଇଆଇଟି ମୁମ୍ବାଇ ଜୋନ୍‌ରେ ପରୀକ୍ଷା ଦେଇଥିବା ଚିରାଗ୍‌ ଫାଲୋର ୩୯୬ରୁ ୩୫୨ମାର୍କ ରଖି ସାରା ଦେଶରେ ଟପର୍‌ ହୋଇଛନ୍ତି। ସେ ଜେଇଇ ମେନ୍‌ରେ ୧୨ତମ ସ୍ଥାନରେ ରହିଥିଲେ। ସେହିପରି ଆଇଆଇଟି ରୁର୍‌କୀ ଜୋନ୍‌ରେ ପରୀକ୍ଷା ଦେଇଥିବା ଛାତ୍ରୀ କନିଷ୍କା ମିତ୍ତଲ ୩୯୬ରୁ ୩୧୫ ମାର୍କ ରଖି ସର୍ବଭାରତୀୟସ୍ତରରେ ୧୭ ନମ୍ବର ସ୍ଥାନରେ ରହିବା ସହ ଛାତ୍ରୀଙ୍କ ଭିତରେ ଟପର୍‌ ହୋଇଛନ୍ତି। ଶ୍ରେଷ୍ଠ ୧୦ଟି ରୢାଙ୍କ ମଧ୍ୟରେ କୌଣସି ଛାତ୍ରୀ ସ୍ଥାନ ପାଇପାରି ନାହାନ୍ତି।

ଜେଇଇ ଆଡଭାନ୍ସଡ୍‌ରେ ଓଡ଼ିଶାର ଛାତ୍ରଛାତ୍ରୀ ଏଥର ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ୮୦୦ରୁ ଅଧିକ ଛାତ୍ରଛ‌ାତ୍ରୀ କୃତକାର୍ଯ୍ୟ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିର ଛାତ୍ର ରୌନକ ଡାଲମିଆ ସର୍ବଭାରତୀୟସ୍ତରରେ ୫୨ତମ ସ୍ଥାନରେ ରହିବା ସହ ଓଡ଼ିଶାରୁ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଦ୍ବାଦଶ ଶ୍ରେଣୀରେ ଶିକ୍ଷା ଗ୍ରହଣ କରିଥିବା ତଥା ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ରେ କୋଚିଂ ନେଇଥିବା ଛାତ୍ର ଶିବାଶିଷ ରାଉତ ୭୩ତମ ଓ କଣ୍ଟାବାଞ୍ଝିର ଛାତ୍ର ମନ୍ଥନ ଡାଲମିଆ ୧୦୦ତମ ରୢାଙ୍କରେ ସ୍ଥାନ ପାଇଛନ୍ତି। ଶ୍ରେଷ୍ଠ ହଜାରେ ରୢାଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରାୟ ୧୮ଜଣ ଛାତ୍ରଛାତ୍ରୀ ରହିଥିବା ସୂଚନା ମିଳିଛି।

ଛାତ୍ରଛାତ୍ରୀଙ୍କ ସିଟ୍‌ ଆଲଟ୍‌ମେଣ୍ଟ ଜଏଣ୍ଟ ସିଟ୍‌ ଆଲୋକେସନ୍‌ ଅଥରିଟି(ଜୋସା)ମାଧ୍ୟମରେ ଅନୁଷ୍ଠିତ ହେବ। ୨୦୨୦-୨୧ରେ ୨୩ଟି ଆଇଆଇଟି ସମେତ ୩୧ଟି ଏନ୍‌ଆଇଟି, ଆଇଆଇଇଏସ୍‌ଟି ଶିବପୁର, ୨୬ଟି ଆଇଆଇଆଇଟି ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ୨୯ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଜୋସା ସିଟ୍‌ ଆଲଟ୍‌ମେଣ୍ଟ କରିବ। ଅକ୍ଟୋବର ୬ ପୂର୍ବାହ୍ନ ୧୦ଟାରୁ ୧୧ ତାରିଖ ଅପରାହ୍‌ଣ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ସହ ଚଏସ୍‌ ଫିଲିଂ କରିପାରିବେ। ଅକ୍ଟୋବର ୧୨ପୂର୍ବାହ୍ନ ୧୦ଟାରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ-୧ କରାଯିବ। ଅକ୍ଟୋବର ୧୭ ପୂର୍ବାହ୍ନ ୧୦ଟାରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୭ରୁ ୧୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫି’ ପେମେଣ୍ଟ/ଡକ୍ୟୁମେଣ୍ଟ ଅପଲୋଡ୍‌ କରିପାରିବେ। ନଭେମ୍ବର ୯ ସୁଦ୍ଧା ମୋଟ ୬ଟି ରାଉଣ୍ଡରେ ନାମଲେଖା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ପରିଚାଳନା କରୁଥିବା ଦିଲ୍ଲୀ ଆଇଆଇଟି ପକ୍ଷରୁ ସୂଚନ‌ା ଦିଆଯାଇଛି।

ସମ୍ବନ୍ଧିତ ଖବର