ଆଜି ଜେଇଇ ଆଡଭାନ୍ସଡ୍‌, ୧.୬୦ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର : ଭୁବନେଶ୍ବର ସମେତ ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ରବିବାର ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହେବ। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଏହି ପ୍ର‌ବେଶିକା ପରୀକ୍ଷା ଲାଗି ଦେଶର ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ଲାଗି ଦେଶର ୨୨୨ଟି ସହରରେ ୧୧୫୦ କେନ୍ଦ୍ର ହୋଇଛି। ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବେ।

୩ ଘଣ୍ଟା ଲେଖାଏଁ ଦୁଇଟି ପେପର୍‌ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍‌-୧ ଓ ଅପରାହ୍‌ଣ ସାଢ଼େ ୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା କରାଯିବ। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ(ସିବିଟି) ମୋଡ୍‌ରେ ଅନୁଷ୍ଠିତ ହେଉଥିବାରୁ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ଅକ୍ଟୋବର ୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଅକ୍ଟୋବର ୬ରୁ ସିଟ୍‌ ଆଲଟ୍‌ମେଣ୍ଟ ହେବ ଏବଂ ନଭେମ୍ବର ୯ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବ। ଆର୍କିଟେକ୍‌ଚର ଆପ୍ଟିଚ୍ୟୁଡ୍‌ ଟେଷ୍ଟ(ଏଏଟି) ଅକ୍ଟୋବର ୮ରେ ହେବାକୁ ଥିବା ବେଳେ ୧୧ତାରିଖରେ ଫଳ ପ୍ରକାଶ କରାଯିବ। ଜେଇଇ ଆଡଭାନ୍ସଡ୍‌ର ଯୋଗ୍ୟ ଛାତ୍ରଛାତ୍ରୀ ୨୩ଟି ଆଇଆଇଟିରେ ଥିବା ୪ ବର୍ଷିଆ ବି.ଟେକ୍‌ ଓ ବି.ଏସ୍‌ସି, ୫ ବର୍ଷିଆ ବି.ଆର୍କିଟେକ୍‌, ଡୁଆଲ୍‌ ଡିଗ୍ରି ବି.ଟେକ୍‌-ଏମ୍‌.ଟେକ୍‌, ଡୁଆଲ୍‌ ଡିଗ୍ରି ବି.ଏସ୍‌ସି-ଏମ୍‌.ଏସ୍‌ସି ପାଠ୍ୟକ୍ରମ‌ରେ ନାମ ଲେଖାଇପାରିବେ।

ସମ୍ବନ୍ଧିତ ଖବର