ଜେଇଇ ମେନ ଓ ନିଟ୍‌ ପ୍ରବେଶିକା ପରୀକ୍ଷା : ପ୍ରତି ସିଫ୍ଟରେ ୮୫ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ଜେଇଇ ମେନ ଓ ନିଟ୍‌ ପ୍ରବେଶିକା ପରୀକ୍ଷା ସ୍ଥଗିତ ହେବନି। ପୂର୍ବ ନିର୍ଦ୍ଧାରିତ ତାରିଖରେ ଉକ୍ତ ଦୁଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୯୯% ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ସହରରେ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇଛି। ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇ ଦିଆଯାଇଛି। ପୂର୍ବରୁ ସିଫ୍ଟ ସଂଖ୍ୟା ୮ରୁ ୧୨କୁ ବୃଦ୍ଧି କରାଯାଇଥିଲା ବେଳେ ଏବେ ପ୍ରତି ସିଫ୍ଟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ୧.୩୨ ଲକ୍ଷରୁ ୮୫ ହଜାରକୁ କମାଇ ଦିଆଯାଇଛି। ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ନିଟ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଛି। ବି.ଟେକ/ବି.ଇ ଲାଗି ୮ ଲକ୍ଷ ୫୮ ହାଜର ଛାତ୍ରଛାତ୍ରୀ ଓ ନିଟ ଲାଗି ୧୫.୯୭ ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ହଲ ଭିତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯିବ। ଜେଇଇ ମେନରେ ଗୋଟିଏ ଲେଖା ସିଟ ଛାଡ଼ି ଛାତ୍ରଛାତ୍ରୀଙ୍କ ବସିବା ଲାଗି ବ୍ୟବସ୍ଥା ହେବ। ନିଟ୍‌ ପରୀକ୍ଷାରେ ପ୍ରତି ରୁମରେ ୨୪ ଜଣ ବଦଳରେ ୧୨ ଜଣ ପରୀକ୍ଷାର୍ଥୀ ବସିବା ଲାଗି ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ର ବାହାରେ ସାମାଜିକ ଦୂରତ୍ୱ ରଖିବା ଉପରେ ପ୍ରାଥମିକତା ଦିଆଯିବ। ପରୀକ୍ଷାର୍ଥୀ ଯେପରି ସୁରୁଖୁରୁରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିବେ ସେଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଚିଠି ଲେଖାଯାଇଛି। କୋଭିଡ୍‌-୧୯ର ସମସ୍ତ ଗାଇଡ୍‌ଲାଇନକୁ ମାନି ଛାତ୍ରଛାତ୍ରୀ ଓ ଅଭିଭାବକ ସହଯୋଗ କରିବାକୁ ଏନଟିଏ ପକ୍ଷରୁ ନିବେଦନ କରାଯାଇଛି।

ଓଡ଼ିଶାରୁ ୭୬ ହଜାର ପରୀକ୍ଷାର୍ଥୀ
ଏଥର ଓଡ଼ିଶାରୁ ୩୮ ହଜାର ୨୩୬ ଜଣ ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଯେତେବେଳେ କି ଗତ ଜାନୁୟାରୀରେ ଅନୁଷ୍ଠିତ ଜେଇଇ ମେନ-୧ ଲାଗି ୯ଟି ପରୀକ୍ଷା ହୋଇଥିଲା। ୨୧ ହଜାର ୫୫୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ନିଟ୍‌ ପରୀକ୍ଷା ଦେବା ଲାଗି ୩୭ ହଜାର ୪୫୯ ଜଣ ନାମ ପଞ୍ଜୀକରଣ କରିଛନ୍ତି। ୮୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ୨୦୧୯ରେ ୫୪ଟି ପରୀକ୍ଷା କେନ୍ଦ୍ରରେ ୩୩ ହଜାର ୭୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମହାରାଷ୍ଟ୍ରରୁ ସର୍ବାଧିକ ୨.୨୮ ଲକ୍ଷ ପରୀକ୍ଷର୍ଥୀ ଥିବା ବେଳେ କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ରାଜସ୍ଥାନରୁ ଲକ୍ଷାଧିକ ରହିଛନ୍ତି।

ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ: କେନ୍ଦ୍ର ମନ୍ତ୍ରୀ
ଜେଇଇ ପରୀକ୍ଷା କେନ୍ଦ୍ର ସଂଖ୍ୟା ଇତିମଧ୍ୟରେ ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଛି। ଯେତେବେଳେ କି ନିଟ୍‌ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୫୪୬ରୁ ୩୮୪୨କୁ ବଢ଼ିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ପସନ୍ଦ ଅନୁଯାୟୀ ପରୀକ୍ଷା କେନ୍ଦ୍ର ଦିଆଯାଇଛି। ଏନଟିଏ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଜେଇଇ ମେନ ଦେବାକୁ ଥିବା ୮.୫୮ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭.୫ ଲକ୍ଷ ଜଣ ଆଡମିଟ କାର୍ଡ ଡାଉନ୍‌ଲୋଡ କରିସାରିଛନ୍ତି। ଯେତେବେଳେ କି ନିଟ୍‌ ପରୀକ୍ଷା ଦେବାକୁ ଥିବା ୧୫.୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ପିଲା ଆଡମିଟ କାର୍ଡ ଡାଉନ୍‌ଲୋଡ କରିସାରିଛନ୍ତି। ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଯେକୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ଅଛନ୍ତି ବୋଲଇ ଟୁଇଟ୍ କରି ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ।

ସମ୍ବନ୍ଧିତ ଖବର