ଭାରତ ବନ୍ଦ ପାଇଁ ପ୍ରଭାବିତ ହେବ ଜେଇଇ ମେନ୍‌! ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ବର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ଜେଇଇ ମେନ୍‌ ଆରମ୍ଭ ହେଉଛି। ଯାହାକି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୪ ଦିନ ଧରି ଭିନ୍ନ ଭିନ୍ନ ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ୮ ତାରିଖ ଦିନ ଦେଶର ୧୦ଟି ଟ୍ରେନ୍‌ ୟୁନିୟନ୍‌ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଦାବି ନେଇ ସଙ୍ଗଠନଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇବେ। ସାରା ଦେଶରେ ଚକା ଜାମ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ବସ୍‌, ଟ୍ରେନ୍‌ ଓ ଅଟୋ ଚଳାଚଳ ବନ୍ଦ ରହିବ। ଯାହାର ସିଧାସଳଖ ପ୍ରଭାବ ସେହିଦିନ ଜେଇଇ ମେନ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅଭିଭାବକ ଓ ପରୀକ୍ଷାର୍ଥୀ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ୮ ତାରିଖରେ ଭାରତ ବନ୍ଦ ଯୋଗୁଁ ପରୀକ୍ଷା‌ର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିବେ ନାହିଁ। ରାଜ୍ୟର ସବୁ ଜିଲ୍ଲା କିମ୍ବା ସହରରେ ପରୀକ୍ଷା କେନ୍ଦ୍ର ହୋଇ ନାହିଁ। ତେଣୁ ଗୋଟିଏ ଜିଲ୍ଲାର ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନ୍ୟ ଜିଲ୍ଲାକୁ ଯିବାକୁ ପଡ଼ିବ। ଏଥିପାଇଁ ଟ୍ରେନ୍‌ ଓ ବସ୍‌ ଉପରେ ସେମାନେ ମୁଖ୍ୟତଃ ନିର୍ଭର କରିବେ। ସେହି ଦୃଷ୍ଟିରୁ ଦେଖିଲେ ବସ୍‌ ବନ୍ଦ ଓ ଟ୍ରେନ୍‌ ରୋକ ଯୋଗୁଁ ପରୀକ୍ଷାର୍ଥୀ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ ନାହିଁ। ଯଦି ବି କେହି ଛାତ୍ରଛାତ୍ରୀ ଯେ କୌଣସି ପ୍ରକାରେ ପରୀକ୍ଷା କେନ୍ଦ୍ର ହୋଇଥିବା ସହରରେ ପହଞ୍ଚି ଯାଉଛନ୍ତି, ସେଠାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିଶେଷକରି ସକାଳ ୯ଟା ୩୦ରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ବହୁ ପରିମାଣରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ସେହିଦିନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର