ଦିନକ ପରେ ଜେଇଇ ମେନ : ଭୁବନେଶ୍ୱରରେ ୧୬ ହଜାର ପରୀକ୍ଷାର୍ଥୀ

ସ୍ଥିତି ନେଇ ସମୀକ୍ଷା କଲା ଜିଲ୍ଲା ପ୍ରଶାସନ, ପରୀକ୍ଷାର୍ଥୀଙ୍କ ଗାଡ଼ି ନ ଅଟକାଇବାକୁ ଆରଟିଓଙ୍କୁ ନିର୍ଦେଶ

ଭୁବନେଶ୍ୱର : ଗୋଟିଏ ଦିନ ପରେ ଜେଇଇ ମେନ୍‌ ପରୀକ୍ଷା। ଓଡ଼ିଶାରୁ ୩୮ହଜାର ୨୩୬ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଉଛନ୍ତି। ଏଥିପାଇଁ ଭୁବନେଶ୍ୱର ସମେତ କଟକ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ବ୍ରହ୍ମପୁର ସହରରେ ୨୬ଟି ପରୀକ୍ଷା କେନ୍ଦ୍ର ହୋଇଛି। ଅନ୍‌ଲାଇନ୍‌ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ, ସହଯୋଗ ଯୋଗାଇଦେବା ପାଇଁ ପ୍ରତି ଜିଲ୍ଲାରେ ଆଜିଠାରୁ ନୋଡାଲ କେନ୍ଦ୍ର ଖୋଲିଛି। ଛାତ୍ରଛାତ୍ରୀମାନେ ମଧ୍ୟ ଫୋନ୍‌ ଯୋଗେ ସହାୟତା ଲୋଡ଼ିଛନ୍ତି। ରବିବାରଠାରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ଥିବାରୁ ସେଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀଙ୍କ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଆଜି ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ବୈଠକ କରାଯାଇ ସ୍ଥିତି ଉପରେ ବିଚାରବିମର୍ଶ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ଟି ପରୀକ୍ଷା କେନ୍ଦ୍ରରେ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତାହାକୁ ଦୃଷ୍ଟିରେ ରଖି ଆଜି ଦିନତମାମ ଭୁବନେଶ୍ୱରସ୍ଥିତ ସର୍କିଟ୍‌ ହାଉସ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନସମନସ୍ଥ କରାଯାଇଛି। କୋଭିଡ୍‌ ପରିଚାଳନା ସହ ପରୀକ୍ଷା କେନ୍ଦ୍ର ବାହାରେ ଯେପରି ଶାନ୍ତିଶୃଙ୍ଖଳା ରହିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନୋଡାଲ ସେଣ୍ଟର୍‌ ହୋଇଥିବା ସରକାରୀ ଆଇଟିଆଇର ଅଧ୍ୟକ୍ଷା ଜିତାମିତ୍ର ଶତପଥୀ, ଏସ୍‌ପି ଅଜୟ ପ୍ରତାପ ସିଂଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରୀକ୍ଷାର୍ଥୀଙ୍କ ଯାତାୟାତରେ ଯେପରି କୌଣସି ଆସୁବିଧା ନ ହୁଏ, ତାହା ଉପରେ ଧ୍ୟାନ ଦିଆଯିବ। ବସ୍‌ ବ୍ୟବସ୍ଥା ପାଇଁ ଜିଲ୍ଲାପାଳମାନଙ୍କ ଭିତରେ ଆଲୋଚନା କରାଯିବ। ପରୀକ୍ଷା ସେଣ୍ଟରରେ ଯଦି ହଷ୍ଟେଲ ସୁବିଧା ଅଛି, ତା’ହେଲେ ସେଠାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ସହ ଆସିଥିବା ଅଭିଭାବକ ରହିପାରିବେ। ନ ହେଲେ ବିକଳ୍ପ ବ୍ୟବସ୍ଥା ହେବ।

ପର୍ଯ୍ୟାୟକ୍ରମେ ପରୀକ୍ଷା ହେଉଥିବାରୁ କିଛି ଅସୁବିଧା ହେବ ନାହିଁ। ପରୀକ୍ଷାର୍ଥୀଙ୍କୁ ଆଣି ଆସୁଥିବା ଗାଡ଼ିକୁ ଯେପରି ଅଟକା ନ ଯାଏ, ସେନେଇ ଖୋର୍ଦ୍ଧା ଜିଲ୍ଲାର ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକ ପରେ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି ଯେ ସେପ୍ଟେମ୍ବର ୧ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ରବିବାର ତଥା ଅଗଷ୍ଟ ୩୦ରୁ ଛାତ୍ରଛାତ୍ରୀ ଆସିବା ଆରମ୍ଭ କରିବେ। ଭୁବନେଶ୍ୱରର ୬ଟି କେନ୍ଦ୍ରରେ ୬ ଦିନରେ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାରୁ ପରୀକ୍ଷାର ସୁପରିଚାଳନା ଦାୟିତ୍ୱ ଆମର। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ପରୀକ୍ଷାରେ ଯେମିତି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ହେବ। ବସ୍‌ ଚଢ଼ିବା ସମୟ‌ରେ ଥରେ ଓ ପହଞ୍ଚିବା ପରେ ଆଉ ଥରେ କରାଯିବ। ନୋଡାଲ ସେଣ୍ଟର ଅଧିକାରୀଙ୍କ ବ୍ୟକ୍ତିଗତ ନମ୍ବରରେ ଛାତ୍ରଛାତ୍ରୀ ଫୋନ କରି ଦ୍ବନ୍ଦ୍ୱ ଦୂର କରିପାରିବେ।

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସିଂ କହିଛନ୍ତି ଯେ ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀ କିଭଳି ସାମାଜିକ ଦୂରତା ରକ୍ଷା କରି ଛିଡ଼ା ହେବେ, ଗହଳି ନ ହେବ ଓ ଟ୍ରାଫିକ ନିୟନ୍ତ୍ରଣ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଯେଉଁମାନେ ଖୋର୍ଦ୍ଧାରୁ ଅନ୍ୟ ଜିଲ୍ଲାକୁ ପରୀକ୍ଷା ଦେବା ପାଇଁ ଯିବେ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର