ଜେଇଇ ମେନ୍‌-୧: ୨୦ଜଣଙ୍କୁ ୧୦୦ ଏନ୍‌ଟିଏ ସ୍କୋର

ଭୁବନେଶ୍ବର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଜାନୁଆରିରେ ଅନୁଷ୍ଠିତ ଜେଇଇ ମେନ୍‌ ଫଳ ପ୍ରକାଶ ପାଇଛି। ବି.ଇ ଓ ବି.ଟେକ୍‌(ପେପର-୧)ରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଅମୃତାଂଶୁ ମହାନ୍ତି ୯୯.୯୭ ସ୍କୋର କରି ଓଡ଼ିଶାରେ ଅାଗରେ ରହିଥିବା କୁହାଯାଉଛି। ତେବେ ଏନ୍‌ଟିଏ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

ଏହି ସେସନ୍‌ ପରୀକ୍ଷା ଲାଗି ୮ଲକ୍ଷ ୬୦ହଜାର ୬୪ଜଣ ପିଲା ପଞ୍ଜୀକରଣ କରିଥିବା ବେଳେ ୮ଲକ୍ଷ ୨୩ ହଜାର ୯୬୭ ଜଣ ପରୀକ୍ଷା ଦେଇଥିଲେ।
ସେମାନଙ୍କ ମଧ୍ୟରୁ ୨୦ଜଣ ପରୀକ୍ଷାର୍ଥୀ ୧୦୦ ଏନ୍‌ଟିଏ ସ୍କୋର୍‌ କରିଛନ୍ତି। ସେମାନେ ହେଲେ, ଅଭିଜିତ୍‌ ମାଜେଥୀ, ଅମୋଘ ଜଲାନ୍‌, ଅପୂର୍ବ ସମୋତ, ଅସିକ୍‌ ଷ୍ଟେନୀ, ବିକ୍କିନା ଅଭିନବ ଚୌଧୁରୀ, ଦିଶାଙ୍କ ପ୍ରତାପ ସିଂ, ଧ୍ରୁବ ସଞ୍ଜୟ ଜୈନ, ଡି. ଏଚ୍‌ ସିନ୍ଧେ, ଡି.ଭି ଯୋଗେଶ, ଗୁଲସନ୍‌ କୁମାର, ଗୁଣ୍ଠିକୋଣ୍ଡା ଅଭିରାମ, କୌଶଲ ବିଜୟାଭିରଗ୍ୟା, କ୍ରିସ୍‌ ଗୁପ୍ତା, ମୟଙ୍କ ସୋନୀ, ଏନ୍‌.କେ ବିଶ୍ବଜିଥ୍‌, ନିପୁନ୍‌ ଗୋଏଲ୍‌, ଋଷି କଲାର, ସୋହମ୍‌ ଦାସ, ଏସ୍‌ ଏଚ୍‌ ସଞ୍ଜୟଭାଇ, ଭି.ସି ରେଡ୍ଡୀ। ୨୦ଜଣଙ୍କ ମଧ୍ୟରେ ୧୪ଜଣ ସାଧାରଣ ବର୍ଗର ଥିବା ବେଳେ ୪ଜଣ ଓବିସି-ଏନ୍‌ସିଏଲ୍‌, ଜଣେ ଲେଖାଏଁ ସାଧାରଣ ବର୍ଗ-ଇଡବ୍ଲୁଏସ୍‌ ଓ ଏସ୍‌ସି ବର୍ଗର ପରୀକ୍ଷାର୍ଥୀ ରହିଛନ୍ତି। ଏନ୍‌ଟିଏ ପରୀକ୍ଷା କରିବା ଦିନଠାରୁ ଏବର୍ଷ ସବୁଠୁ ଅଧିକ ୯୫.୮୦% ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି।

ବି.ଇ ଓ ବି.ଟେକ୍‌ ଲାଗି ଜାନୁଆରି ୨୪ରୁ ‌ଫେବ୍ରୁଆରି ୧ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍‌ ଲାଗି ୨୮୭ଟି ସହରରେ ୫୭୪ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଯେଉଁଥିରେ ଦେଶ ବାହାରେ ୧୭ଟି ସହର ରହିଥିଲା। ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଆସାମୀ, ବେଙ୍ଗଲି, କନ୍ନଡ଼, ମାଲାୟଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଊର୍ଦ୍ଦୁ ଭାଷାରେ ପରୀକ୍ଷା କରାଯାଇଥିଲା। ଜାନୁଆରି ୨୮ରେ ଅନୁଷ୍ଠିତ ପେପର୍‌-୨ଏ(ବି.ଆର୍କିଟେକ୍‌) ଓ ୨ବି(ବି.ପ୍ଲାନିଂ)ରେ ୪୬ହଜାର ୪୬୫ଜଣ ନାମ ପଞ୍ଜୀକରଣ କରିଥିଲେ। ଜେଇଇ(ମେନ୍‌)ର ଉଭୟ ସେସନ୍‌ ପରୀକ୍ଷା ପରେ ଛାତ୍ରଛାତ୍ରୀଙ୍କ ରାଙ୍କ ପ୍ରକାଶ କରାଯିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର