ପ୍ରକାଶ ପାଇଛି ଜେଇଇ ମେନ-୧ ପରୀକ୍ଷା ଫଳ। ଓଡ଼ିଶାର ପାଖାପାଖି ୩୧ ହଜାର ଛାତ୍ରଛାତ୍ରୀ ମଧ୍ୟରେ ଡିଏଭି ଚନ୍ଦ୍ରଶେଖରପୁରର ଦ୍ୱାଦଶ ଶ୍ରେଣୀ ଛାତ୍ର ସୌରଭ ସୌମ୍ୟକାନ୍ତ ଦାଶ ଟପର୍ ହୋଇଛନ୍ତି। ଦେଶରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବା ପରେ ସେ ପଢ଼ୁଥିବା ସ୍କୁଲ ଓ କୋଚିଂ ନେଉଥିବା ବିଦ୍ୱାନ କ୍ଲାସେସ୍ରେ ଖୁସିର ଲହରୀ ଖେଳିଯାଇଛି। ରେଲୱେ ସେକ୍ସନ୍ କଣ୍ଟ୍ରୋଲ୍ର ଥିବା ଗୋପାଳ ଚନ୍ଦ୍ର ଦାଶ ଓ ଗୃହିଣୀ ଅନିତା ଦାଶଙ୍କ ସୁପୁତ୍ର ସୌରଭ ଭବିଷ୍ୟତରେ ଜଣେ ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସୌରଭଙ୍କ ସହ ‘ସମ୍ବାଦ’ ପକ୍ଷରୁ କେଶବ ପାଣିଙ୍କ ସ୍ୱତନ୍ତ୍ର ସାକ୍ଷାତକାର...
ଜେଇଇ ମେନ୍ ପରୀକ୍ଷା ପାଇଁ କିଭଳି ଥିଲା ପ୍ରସ୍ତୁତି?
ଗଣିତ ଓ ବିଜ୍ଞାନକୁ ଭଲ ଭାବେ ପଢ଼ୁଥିଲି। ପୂର୍ବ ବର୍ଷ ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ବାରମ୍ବାର ଅଭ୍ୟାସ କରୁଥିଲି। ଯେଉଁଠି ବି ଅସୁବିଧା ରହୁଥିଲା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଦ୍ୱନ୍ଦ୍ୱ ଦୂର କରୁଥିଲି। ମାଟ୍ରିକ୍ ପାସ୍ କରିବା ପରେ ହିଁ ଜେଇଇ ମେନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି।
ଆଗାମୀ ଲକ୍ଷ୍ୟ କ’ଣ?
ଜେଇଇ ମେନ୍ରେ ଭଲ ହୋଇଥିବାରୁ ଏବେ ଜେଇଇ ଆଡଭାନ୍ସଡ୍ ଉପରେ ଗୁରୁତ୍ୱ ଦେଉଛି। ଜେଇଇ ଆଡଭାନ୍ସଡ୍ରେ ଆହୁରି ଭଲ କରି ଦେଶର ଏକ ବଡ଼ ଆଇଆଇଟିରେ ପଢ଼ିବାକୁ ଲକ୍ଷ୍ୟ ରଖିଛି। ବମ୍ବେ, ଦିଲ୍ଲୀ କିମ୍ବା ମାଡ୍ରାସ୍ରେ ପଢ଼ିବାକୁ ଆଗ୍ରହ ରହିଛି।
ପରୀକ୍ଷା ପାଇଁ କୋଚିଂ କେତେ ଗୁରୁତ୍ବପୂର୍ଣ୍ଣ?
ମାଟ୍ରିକ୍ ପରେ ବିଦ୍ୱାନ କ୍ଲାସେସ୍ରେ କୋଚିଂ ନେଇଥିଲି। ସଫଳତା ପାଇଁ ବିଦ୍ୱାନ କ୍ଲାସେସ୍ ବେଶ୍ ସହାୟକ ହୋଇଛି। ବିଦ୍ୱାନ ଟେଷ୍ଟ ପେପର୍ ବହୁତ ଭଲ। ଏଠାକାର ଶିକ୍ଷକମାନଙ୍କ ପାଠପଢ଼ା ଉଚ୍ଚକୋଟୀର। ସେମାନଙ୍କ ଦିଗ୍ଦର୍ଶନ ଯୋଗୁଁ ଆଜି ଏଭଳି ସଫଳତା ମିଳିଛି।
ଜେଇଇ ମେନ୍ ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି କରୁଥିଲେ?
ପ୍ରତିଦିନ ସ୍କୁଲରେ ଯାହା ପଢ଼ା ହୁଏ, ତା’ ସହ ଜେଇଇ ପରୀକ୍ଷା ପାଇଁ ବି ପଢ଼ୁଥିଲି। ସେମିତି କେତେ ଘଣ୍ଟା ନ ପଢ଼ି ଯାହା ବି ପଢ଼ୁଥିଲି, ମନ ଧ୍ୟାନ ଦେଇ ପଢ଼ୁଥିଲି। ଟିକିନିଖି କରି ଅଭ୍ୟାସ କରୁଥିଲି। ଏବେ ଜେଇଇ ଆଡଭାନ୍ସଡ୍ ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଛି।
ଯେଉଁମାନେ ଆଗକୁ ଜେଇଇ ମେନ୍ ପରୀକ୍ଷା ଦେବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ କ’ଣ କହିବେ?
ପ୍ରଶ୍ନଗୁଡ଼ିକୁ ଭଲ ଭାବେ ଅଭ୍ୟାସ କରନ୍ତୁ। ଗଣିତ ଓ ବିଜ୍ଞାନ ବିଷୟକୁ ଭଲ ଭାବେ ପଢ଼ନ୍ତୁ। ତେବେ ଯାଇ ସଫଳତା ମିଳି ପାରିବ।
ସୌରଭଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୦ରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୌରଭଙ୍କ କୃତିତ୍ୱରେ ସମଗ୍ର ଓଡ଼ିଶା ଗର୍ବିତ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।