ସେପ୍ଟେମ୍ବରରେ ହିଁ ଜେଇଇ ମେନ୍‌ ଓ ନିଟ୍‌, ତାରିଖରେ ପରିବର୍ତ୍ତନ ହେବନି: ଏନଟିଏ

ଭୁବନେଶ୍ୱର : ଜେଇଇ ମେନ୍‌ ଓ ନିଟ୍‌ ପ୍ରବେଶିକା ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ସେପ୍ଟେମ୍ବର ମାସରେ ହିଁ ଉକ୍ତ ଦୁଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଦେଶର ୨୨୪ଟି ସହରର ୬୦୫ଟି କେନ୍ଦ୍ରରେ ବି.ଟେକ୍‌/ବି.ଇ ଓ ୪୮୯ କେନ୍ଦ୍ରରେ ବି. ଆର୍କିଟେକ/ବି.ପ୍ଲାନିଂ ଲାଗି କମ୍ପ୍ୟୁଟର ବେସଡ୍‌ ଟେଷ୍ଟ(ସିବିଟି) କରାଯିବ। ବି.ଟେକ/ବି.ଇ ଲାଗି ସର୍ବାଧିକ ୭ ଲକ୍ଷ ୪୬ ହାଜର ୧୧୫ ଜଣ ଆବେଦନ କରିଛନ୍ତି। ଏଥର ମୋଟ ୮ ଲକ୍ଷ ୫୮ ହଜାର ୨୭୩ ଜଣ ଛାତ୍ରଛାତ୍ରୀ ଜେଇଇ ମେନ ଦେବେ। ଯେଉଁ ଛାତ୍ରଛାତ୍ରୀ ଫି’ ଦେଇସାରିଛନ୍ତି, ସେମାନେ www.jeemain.nta.nic.in କିମ୍ବା http://www.jeemain.nta.nic.in ୱେବ୍‌ସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ଏଥର ୪ ପୃଷ୍ଠାର ଆଡମିଟ୍ କାର୍ଡ ହୋଇଛି। ଯେଉଁଥିରେ କରୋନା ଗାଇଡଲାଇନ୍‌ ସମ୍ପର୍କରେ ଉଲ୍ଲେଖ ରହିଛି। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ନିର୍ଦେଶାବଳିକୁ ଭଲ ଭାବେ ପଢ଼ିବାକୁ ଏନ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ପରୀକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ସେହିପରି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସେପ୍ଟେମ୍ବର ୧୩ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଖୁବଶୀଘ୍ର ଆଡମିଟ୍ କାର୍ଡ ୱେବସାଇଟ୍‌‌‌ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ସେଠାରୁ ଡାଉନଲୋଡ୍‌ କରିପାରିବେ। ଏଥିରେ ରୋଲ ନମ୍ବର, ସେଣ୍ଟର ନମ୍ବର, ଠିକଣା, ପ୍ରଶ୍ନପତ୍ର ମିଡିୟମ୍, ପ୍ରବେଶ ସମୟ, ଗେଟ୍‌ ବନ୍ଦ ସମୟ ଆଦି ଉଲ୍ଲେଖ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିୟମିତ ବ୍ୟବଧାନରେ www.nta.ac.in କିମ୍ବା http://www.nta.ac.in କିମ୍ବା www.ntaneet.nic.in କିମ୍ବା http://www.ntaneet.nic.in ୱେବ୍‌ସାଇଟ୍‌ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର