ଜେଇଇ (ମେନ୍‌) ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖାଯାଉ: ନବୀନ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାରା ରାଜ୍ୟରେ କୋଭିଡ୍‌ ପରିସ୍ଥିତି ଯୋଗୁ ଲୋକମାନେ ସୁବିଧାରେ ଯା’ ଆସ କରିପାରୁନାହାନ୍ତି। ଏଭଳି ସ୍ଥିତିରେ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଜେଇଇ (ମେନ୍‌) ଓ ନିଟ୍‌ ପରୀକ୍ଷା ସ୍ଥଗିତ ରଖାଯାଉ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିୟାଲ ନିଶଙ୍କଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି। ମହାମାରୀ ପାଇଁ ବିଭିନ୍ନ ଜିଲ୍ଲାରେ ଜାରି ହେଉଥିବା ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଯୋଗୁ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଖୋଲିବାକୁ ଜାତୀୟ ପରୀକ୍ଷା ଏଜେନ୍‌ସି (ଏନ୍‌ଟିଏ)କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଚଳିତବର୍ଷ ଏନ୍‌ଟିଏ ପକ୍ଷରୁ ଜେଇଇ (ମେନ୍‌) ଓ ନିଟ୍‌ ପରୀକ୍ଷା ଆସନ୍ତା ମାସ ପହିଲାରୁ ୬ ତାରିଖ ଓ ୧୩ ତାରିଖରେ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଏବର୍ଷ ନିଟ୍‌ ପରୀକ୍ଷାରେ ଓଡ଼ିଶାରୁ ୫୦ ହଜାର ଓ ଜେଇଇ (ମେନ୍‌) ପାଇଁ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏସବୁ ପରୀକ୍ଷା ପାଇଁ ଏନ୍‌ଟିଏ ରାଜ୍ୟରେ ମାତ୍ର ୭ଟି ସହରାଞ୍ଚଳରେ ପରୀକ୍ଷା କେନ୍ଦ୍ର ଖୋଲିଛି। ଓଡ଼ିଶା ସମେତ ସାରା ଦେଶ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଛି। ସ୍ଥାନୀୟ ଅଞ୍ଚଳରେ ମହାମାରୀକୁ ଅଧିକ ବ୍ୟାପିବାକୁ ନ ଦେବା ପାଇଁ ବାରମ୍ବାର ବିଭିନ୍ନ ଜିଲ୍ଲାରେ ସଟ୍‌ ଡାଉନ୍‌ ଓ ଲକ୍‌ଡାଉନ୍‌ ପରି କଟକଣା ଜାରି କରିବାକୁ ପଡ଼ୁଛି। ଫଳରେ ସାଧାରଣ ଜୀବନ ଯାତ୍ରା ମଧ୍ୟ ସ୍ବାଭାବିକ ହୋଇପାରୁନି।

ଖାଲି ସେତିକି ନୁହେଁ, ରାଜ୍ୟର ବାସୀ ଅଧ୍ୟୁଷିତ ଅଞ୍ଚଳରେ ବହୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ସହରାଞ୍ଚଳରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରକୁ ଆସିବା ଭଳି ଅବସ୍ଥାରେ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ଜୀବନର ସୁରକ୍ଷା ପାଇଁ ଆସନ୍ତା ମାସର ପ୍ରଥମ ୧୫ ଦିନ ଭିତରେ ଅନୁଷ୍ଠିତ ହେବାକୁ ଥିବା ଏସବୁ ପରୀକ୍ଷାଗୁଡ଼ିକୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦେବା ଉଚିତ୍‌ ହେବ। ଏହାସହିତ ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଖୋଲାଗଲେ ଛାତ୍ରଛାତ୍ରୀମାନେ ଗୋଟିଏ ଦିନରେ ସୁବିଧାରେ ନିଜ ଘରୁ ଆସି ପରୀକ୍ଷା ଦେଇ ଫେରିପାରିବେ। ଫଳରେ ସାମାଜିକ ଦୂରତା ଓ କୋଭିଡ୍‌ ନିୟମ ଅନୁପାଳନ ମଧ୍ୟ ସମ୍ଭବ ହୋଇପାରିବ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର