ଜେଇଇ ମେନ୍‌‌ ପରୀକ୍ଷା ଫଳ: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରତୀକ୍‌ ଓଡ଼ିଶା ଟପର୍‌

୨୪ ଜଣ ହାସଲ କଲେ ଶହେ ଏନ୍‌ଟିଏ ସ୍କୋର, ୨୬ତମ ସ୍ଥାନରେ ରହିଲେ ପ୍ରତୀକ୍‌

ଭୁବନେଶ୍ବର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଜେଇଇ ମେନ୍‌-୨(ଏପ୍ରିଲ ମାସ) ପରୀକ୍ଷା ଫଳ ପ୍ରକାଶ ପାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ ପେପର୍‌-୧(ବିଇ/ବି.ଟେକ୍‌) ପରୀକ୍ଷାରେ ଦେଶର ୨୪ ଜଣ ପରୀକ୍ଷାର୍ଥୀ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି। ତେଲେଙ୍ଗାନା ଓ ରାଜସ୍ଥାନରୁ ସର୍ବାଧିକ ୪ଜଣ ଲେଖାଏଁ ଏହି ତାଲିକାରେ ରହିଥିବା ବେଳେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୩ଜଣ ଲେଖାଏଁ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଓ ହରିୟାଣାରୁ ଦୁଇ ଜଣେ ଲେଖାଏଁ ଏବଂ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ, ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ପରୀକ୍ଷାର୍ଥୀ ୨୪ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ତେବେ ଓଡ଼ିଶାରୁ ଜଣେ ବି ହେଲେ ପରୀକ୍ଷାର୍ଥୀ ଶହେ ଏନ୍‌ଟିଏ ସ୍କୋର ହାସଲ କରିପାରି ନାହାନ୍ତି। ସାଇ ‌ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରତୀକ୍‌ ‌ଚୌଧୁରୀ ଓଡ଼ିଶାରୁ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ସେ ୯୯.୯୯ ପ୍ରତିଶତ ଏନ୍‌ଟିଏ ସ୍କୋର ରଖି ଓଡ଼ିଶା ଟପର୍‌ ହୋଇଛନ୍ତି। ସର୍ବଭାରତୀୟସ୍ତରରେ ୨୬ତମ ସ୍ଥାନରେ ରହିଥିବା ଜଣାପଡ଼ିଛି। ପ୍ରତୀକ୍‌ଙ୍କ ଏଭଳି ସଫଳତା ପରେ ସ୍କୁଲରେ ଖୁସିର ଲହରି ଖେଳିଯାଇଛି। ସ୍କୁଲ ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁଙ୍କ ସମେତ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରତୀକ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ରୢାଙ୍କ ମିଳିଛି। ତେବେ କେତେଜଣ ପରୀକ୍ଷାର୍ଥୀ ଜେଇଇ ‌ଆଡଭାନ୍ସଡ୍‌ ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ସେନେଇ ସୂଚନା ମିଳିପାରି ନାହିଁ।

ଏଥର କମନ୍‌ ରୢାଙ୍କ ଲିଷ୍ଟ(ସିଆରଏଲ୍‌)ରେ କଟ୍‌ ଅଫ୍‌ ମାର୍କ ୮୯.୭୫% ଥିବା ବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ୍‌)ରେ ୭୮.୨୧%, ଓବିସି-ଏନ୍‌ସିଏଲ୍‌ରେ ୭୪.୩୧%, ଏସ୍‌ସି ବର୍ଗରେ ୫୪.୦୧%, ଏସ୍‌ଟି ବର୍ଗରେ ୪୪.୩୩%, ପିଡବ୍ଲୁଡିରେ ୦.୧୧% କଟ୍‌ ଅଫ୍‌ ମାର୍କ ରହିଛି। ଉଭୟ ଜାନୁଆରି ଓ ଏପ୍ରିଲ ମାସରେ‌ ଜେଇଇ ମେନ୍‌ ପରୀକ୍ଷା ଦେଇଥିବା ୬ ଲକ୍ଷ ୮ ହଜାର ୪୪୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୯୭ ହଜାର ୯୩୨ ଜଣ ସେମାନଙ୍କ ପ୍ରଦର୍ଶନୀରେ ଉନ୍ନତି ଆଣିଛନ୍ତି। ଏପ୍ରିଲ ମାସ ପରୀକ୍ଷା ଲାଗି ୯,୩୫,୭୫୫ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୮,୮୧,୦୯୬ ଜଣ ପରୀକ୍ଷା ‌ଦେଇଥିଲେ। ଉଭୟ ଜାନୁଆରି ଓ ଏପ୍ରିଲ ପରୀକ୍ଷାରେ ମୋଟ ୧୨,୩୭,୮୯୨ ଜଣ ପଞ୍ଜୀକରଣ କରିଥିବା ବେଳେ ୧୧,୪୭,୧୨୫ ଜଣ ପରୀକ୍ଷା ଦେଇଥିଲେ। ଜେଇଇ ମେନ୍‌ର ଉଭୟ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୨ ଲକ୍ଷ ୨୪ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନେ ଆସନ୍ତା ମେ’ ୩ ତାରିଖଠାରୁ ନାମ ପଞ୍ଜୀକରଣ କରିପାରିବେ।

ସମ୍ବନ୍ଧିତ ଖବର