୨୭୨ ସହରରେ ହେବ ଜେଇଇ ମେନ୍‌ : ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ, ଡିସେମ୍ବର‌ ୧୭ରୁ ମିଳିବ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ୨୦୧୯ ଜାନୁଆରି ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍‌-୧ ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଗତ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ କରିସାରିଥିବା ବେଳେ ଏବେ ପରୀକ୍ଷା ପରିଚାଳନା କରୁଥିବା‌ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ର, ତାରିଖ ଓ ପରୀକ୍ଷା ସିଫ୍ଟ ସମ୍ପର୍କରେ ଅବଗତ କରାଯାଇଛି। ଛାତ୍ରଛାତ୍ରୀ ‘jeemain.nic.in’ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ଡିସେମ୍ବର ୧୭ରୁ ପରୀକ୍ଷାର୍ଥୀମାନେ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜାନୁଆରି ୩୧ରେ ରେଜଲ୍ଟ ବାହାରିବ।

ପରୀକ୍ଷାର୍ଥୀଙ୍କ ନିକଟକୁ କୌଣସି ପ୍ରକାର ଏସ୍‌ଏମ୍‌ଏସ୍‌ ଓ ଇ-ମେଲ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ ନାହିଁ। ଛାତ୍ରଛାତ୍ରୀ ‘jeemain.nic.in’ ‌ୱେବସାଇଟ୍‌କୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ପେପର୍‌-୧ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ‌େଟଷ୍ଟ(ସିବିଟି) ହେବାକୁ ଥିବା ବେଳେ ପେପର୍‌-୨ର ମ୍ୟାଥମେଟିକ୍ସ-ପାର୍ଟ-୧ ଓ ଆପ୍‌ଟିଚ୍ୟୁଡ ଟେଷ୍ଟ ପାର୍ଟ-୨ କେବଳ ସିବିଟି ମୋଡ୍‌ରେ ‌କରାଯିବ। ଡ୍ରଇଂ ଟେଷ୍ଟ-ପେପର ୩ ପରୀକ୍ଷା ପେନ୍‌ ଓ ପେପର୍‌ରେ ଦେବେ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର ସମୟ ଅବଧି ୩ ଘଣ୍ଟା ରଖାଯାଇଛି। ଏହାର ଦୁଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯିବ। ପରୀକ୍ଷାର ଘଣ୍ଟାଏ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଓ ଅଧଘଣ୍ଟା ପୂର୍ବରୁ ହଲ୍‌ ଭିତରକୁ ଆଉ ଛଡ଼ାଯିବ ନାହିଁ। ଜେଇଇ ମେନ୍‌ ପାଇଁ ଦେଶ ଭିତରେ ଓ ବାହାରେ ୨୭୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଦେଶ ଭିତରେ ୨୬୩ଟି ସହରରେ ପରୀକ୍ଷା କେନ୍ଦ୍ର ‌ହୋଇଥିବା ବେଳେ ଦେଶ ବାହାରେ ବାହାରିନ୍‌, କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, ମୁସକାଟ୍‌, ରିହାଦ୍‌, ସାରଜା ଓ ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ମହାରାଷ୍ଟ୍ରରେ ସର୍ବାଧିକ ୩୧ଟି ସହରରେ ପରୀକ୍ଷା କେନ୍ଦ୍ର ହେବ। ଓଡ଼ିଶାର ୯ଟି ସହର ଯଥା‌-ଅନୁଗୁଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ଢ଼େଙ୍କାନାଳ, ଜୟପୁର, ରାଉରକେଲା, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ହେବ।

ସୂଚନାଯୋଗ୍ୟ ଏପ୍ରିଲ ୬ରୁ ୨୦ ପର୍ଯ୍ୟନ୍ତ ଜେଇଇ ମେନ୍‌-୨ ଅନୁଷ୍ଠିତ ହେବ। ଏଥିପାଇଁ ଫେବ୍ରୁଆରି ୮ରୁ ମାର୍ଚ୍ଚ ୭ ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିପାରିବେ। ମାର୍ଚ୍ଚ ୧୮ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିହେବ। ଏପ୍ରିଲ ୩୦ରେ ପରୀକ୍ଷା ଫଳ ବାହାରିବ।

ସମ୍ବନ୍ଧିତ ଖବର